ସର୍ବଭାରତୀୟ ସିଭିଲ୍‌ ସର୍ଭିସ୍‌ ଚେସ୍‌: ଉତ୍କଳଙ୍କୁ ସ୍ବର୍ଣ୍ଣ; ଅଭିଷିକ୍ତା ରୌପ୍ୟ, ସୌମ୍ୟ ଜିତିଲେ କାଂସ୍ୟ

ଭୁବନେଶ୍ବର: କିଟ୍‌ ବିଶ୍ବବିଦ୍ୟାଳୟର ବିଶ୍ବନାଥନ୍ ଆନନ୍ଦ ଚେସ୍‌ ହଲ୍‌ଠାରେ ଆୟୋଜିତ ସର୍ବଭାରତୀୟ ସିଭିଲ୍ ସର୍ଭିସ୍‌ ଚେସ୍‌ (ଏଆଇସିଏସ୍‌ସିଟି) ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ବ୍ୟକ୍ତିଗତ ପୁରୁଷ ବର୍ଗରେ ଭୁବନେଶ୍ବର ଆର୍‌ଏସ୍‌ବିର ଉତ୍କଳ ରଂଜନ ସାହୁ (୭.୫ ପଏଣ୍ଟ) ବିଜେତା ହୋଇଥିଲା ବେଳେ ସୌମ୍ୟ ରଂଜନ ମିଶ୍ର (୭ ପଏଣ୍ଟ୍‌) ତୃତୀୟ ସ୍ଥାନରେ ରହିଥିଲେ। ଜୟପୁର ଆର୍‌ଏସ୍‌ବିର ସେର୍‌ ସିଂହ (୭.୫) ଉପବିଜେତା ‌ହୋଇଥିଲେ। ମହିଳାରେ କେରଳର ସୁଧା ପି (୮.୫ ପଏଣ୍ଟ୍‌) ବିଜେତା ଏବଂ ନୟନତାରା ଆର୍‌ (୭) ତୃତୀୟ ହୋଇଥିଲା ବେଳେ ଓଡ଼ିଶାର ଅଭିଷିକ୍ତା ପଟ୍ଟନାୟକ (୮) ଦ୍ବିତୀୟ ସ୍ଥାନରେ ରହିଥିଲେ। ଭେଟେରାନରେ ଚେନ୍ନାଇ ଆର୍‌ଏସ୍‌ବିର ବେଞ୍ଜର ଯୋଶେଫ, ଓଡ଼ିଶାର ସୁଧୀର କୁମାର ବେହେରା ସମାନ ୬.୫ ପଏଣ୍ଟ୍‌ ପାଇ ପ୍ରଥମ ଦୁଇ ସ୍ଥାନରେ ରହିଥିଲା ବେଳେ କାନପୁର ଆର୍‌ଏସ୍‌ବିର ହରିଓମ୍‌ ଶର୍ମା (୬) ତୃତୀୟରେ ରହିଥିଲେ।

ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଜିଏମ୍‌ ଦିବ୍ୟେନ୍ଦୁ ବରୁଆ, କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କ୍ରୀଡ଼ା ବିଭାଗ ଯୁଗ୍ମ ସଚିବ ସୁଭ୍ରାଂଶୁ ମିଶ୍ର, କୈଳାଶ ଚନ୍ଦ୍ର ଦାସ, ଏଆଇସିଏସ୍‌ସିଟି କନ୍‌ଭେନର ଅତୁଲ ମିଶ୍ର, ଆୟୋଜକ କମିଟି ସମ୍ପାଦକ ରଂଜନ ମହାନ୍ତି, କନ୍‌ଭେନର ଶ୍ବେତମ୍ବର ନାୟକ ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ବଣ୍ଟନ କରିଥିଲେ। ରାଜ୍ୟ କ୍ରୀଡ଼ା ବିଭାଗ ଏବଂ ସେଣ୍ଟ୍ରାଲ ସିଭିଲ ସର୍ଭିସ କଲ୍‌ଚରାଲ ଓ କ୍ରୀଡ଼ା ବୋର୍ଡ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ମିଡିଆ ପାର୍ଟନର ‘ଇଷ୍ଟର୍ଣ୍ଣ ମିଡିଆ ଗ୍ରୁପ୍‌’ ତଥା ‘ସମ୍ବାଦ’ ରହିଥିଲା।

ସମ୍ବନ୍ଧିତ ଖବର