ରସୁଲପୁର: ରସୁଲପୁର ବ୍ଲକ୍ ଅନ୍ତର୍ଗତ ଖଣ୍ତିତରଠାରେ ୬୮ତମ ସର୍ବଭାରତୀୟ ‘ଏ’ ଗ୍ରେଡ୍ ପୁରୁଷ ଓ ମହିଳା ଦିବାରାତ୍ର କବାଡ଼ି ପ୍ରତିଯୋଗିତା ମଙ୍ଗଳବାର ଉଦ୍ଘାଟିତ ହୋଇଯାଇଛି। ଯାଜପୁର କବାଡ଼ି ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ମେଗା ପ୍ରତିଯୋଗିତାକୁ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ କ୍ରୀଡ଼ା ପତାକା ଉତ୍ତୋଳନ କରି ଉଦ୍ଘାଟନ କରିଥିଲେ। ଯାଜପୁର କବାଡ଼ି ଆସୋସିଏସନର କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା କବାଡ଼ି ଆସୋସିଏସନର ସାଧାରଣ ସମ୍ପାଦକ ଅଜୟ କୁମାର ବେହେରା, ରସୁଲପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅରୁଣ କୁମାର ରାଉତ, କୁଆଖିଆ ଥାନା ଅଧିକାରୀ ଶିବଚରଣ ବେହେରା, ରସୁଲପୁର ଅତିରିକ୍ତ ତହସିଲଦାର ଶୁଭସ୍ମିତା ନାୟକ, ଯାଜପୁର କବାଡ଼ି ଆସୋସିଏସନ ସାଧାରଣ ସମ୍ପାଦକ ରବୀନ୍ଦ୍ର ପୃଷ୍ଟି, ଉପସଭାପତି ନିଗମାନନ୍ଦ ମହାନ୍ତି, ସନ୍ତୋଷ କୁମାର ପୃଷ୍ଟି ଓ ରସୁଲପୁର ସରପଞ୍ଚ ସୁରେନ୍ଦ୍ର ତିଆଡ଼ି ପ୍ରମୁଖ ଯୋଗ ଦେଇଥିଲେ।
ସହସମ୍ପାଦକ ଅଧ୍ୟାପକ ସମରେନ୍ଦ୍ର ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉଦ୍ଘାଟନୀ ଉତ୍ସବରେ ରାଜ୍ୟ ବାହାରର ୭ଟି ଦଳ ସହିତ ମୋଟ ୧୯ଟି ଦଳ ଭାଗ ନେଇଥିଲେ। ନୃତ୍ୟଶିଳ୍ପୀମାନଙ୍କ ନୃତ୍ୟ ଓ ସଂଗୀତରେ ଖେଳାଳିମାନଙ୍କୁ ସ୍ବାଗତ କରାଯାଇଥିଲା। ଧର୍ମଶାଳାଠାରେ ଚାଲିଥିବା ରଜ ମହୋତ୍ସବକୁ ବିଧାୟକ ଶ୍ରୀ ବଳବନ୍ତ ରାୟ ସମସ୍ତ ଖେଳାଳିମାନଙ୍କୁ ନିମନ୍ତ୍ରଣ କରିଥିଲେ। ବିଧାୟକଙ୍କ ସହଯୋଗରେ ଗତବର୍ଷ ମ୍ୟାଟ୍ ଉପରେ ଖେଳ ହୋଇଥିବା ବେଳେ ଚଳିତବର୍ଷ ଫ୍ଲଡ୍ ଲାଇଟ୍ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ମଧ୍ୟ ବହୁ ପ୍ରୋ କବାଡ଼ି ଲିଗ୍ର ଖେଳାଳି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି। ସେହିପରି ଏଆଇଏଏଫ୍ ସ୍ବୀକୃତିପ୍ରାପ୍ତ ରେଫରି ଓ ଅନ୍ୟ ଅଫିସିଆଲମାନେ ମଧ୍ୟ ଯୋଗ ଦେଇଛନ୍ତି। ଉଦ୍ଘାଟନୀ ମ୍ୟାଚ୍ର ପୁରୁଷ ବିଭାଗରେ ୱାଇଏମସିଏ ଫରିଦାବାଦ ଓ ସ୍ପୋର୍ଟ୍ସ ଏକାଡେମୀ ଲକ୍ଷ୍ନୌ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଉଭୟ ଦଳ ୩୮-୩୮ ପଏଣ୍ଟ ହାସଲ କରିବାରୁ ମ୍ୟାଚ୍ ଅମୀମାଂସିତ ରହିଥିଲା। ସସ୍ମିତା ଦାସ, ପ୍ରକାଶ ସାହୁ ଓ ମୁକେଶ ସାହୁ, ଦୀପକ କୁମାର ଗଡ଼ନାୟକ, ସରୋଜ କୁମାର ସେଠୀ ମ୍ୟାଚ୍ ପରିଚାଳନା କରିଥିଲେ।