ରସୁଲପୁର: ଖଣ୍ତିତରସ୍ଥିତ ଯାଜପୁର କବାଡ଼ି ସଂଘ ଷ୍ଟାଡିୟମ୍‌ରେ ଚାଲିଥିବା ୬୮ତମ ସର୍ବଭାରତୀୟ ଦିବାରାତ୍ର କବାଡ଼ି ପ୍ରତିଯୋଗିତାର ଦ୍ବିତୀୟ ଦିନରେ ରାଜ୍ୟ ବାହାର ଦଳମାନଙ୍କର ଉନ୍ନତ ପ୍ରଦର୍ଶନ ଜାରି ରହିଛି। ପୁରୁଷ ବିଭାଗ ପ୍ରଥମ ମ୍ୟାଚ୍‌ରେ କୋଲ୍‌କାତା ପୁଲିସ ୪୯-୧୮ ବ୍ୟବଧାନରେ ଆସ୍କା ଗଞ୍ଜାମକୁ ହରାଇଥିଲା। ମହିଳା ବିଭାଗ ପ୍ରଥମ ମ୍ୟାଚ୍‌ରେ କଳିଙ୍ଗ କବାଡ଼ି ଏକାଡେମୀ ପଟିଆ ୧୮-୧୭ ପଏଣ୍ଟରେ ଆସ୍କାକୁ ହରାଇଥିଲା। ପୁରୁଷ ବିଭାଗରେ କଟକ ଦଳ ଫରିଦାବାଦକୁ ୩୪-୧୯ ପଏଣ୍ଟରେ ହରାଇ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଥିଲା।

Advertisment

ଭୁବନେଶ୍ବର କିଶୋର କ୍ଲବ୍ ୪୭-୩୪ ପଏଣ୍ଟରେ ନିଜାମପୁର ଦିଲ୍ଲୀକୁ, ବୁଲନ୍ଦସର ଦିଲ୍ଲୀ ୪୩-୧୮ ପଏଣ୍ଟରେ ପିପିଲିକୁ ହରାଇଛି। ମହିଳା ବିଭାଗର ଚନ୍ଦନନଗର ପଶ୍ଚିମବଙ୍ଗ ୩୫-୩ ପଏଣ୍ଟରେ କିଶୋର କ୍ଲବକୁ ହରାଇଥିଲା। ବୁଲନ୍ଦସର ଟିମ୍‌ରେ ଖେଳୁଥିବା ପ୍ରୋ କବାଡ଼ି ଷ୍ଟାର୍‌ ଭାନୁପ୍ରତାପ ତୋମାର ଓ ଗୌରବ କୁମାର (ଉଭୟ ୟୁପି ଯୋଦ୍ଧା ଟିମ୍‌ର ଖେଳାଳି) ଖୁବ୍ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରିଥିଲେ। ଅତିଥି ଭାବେ ରାଜ୍ୟ ମହିଳା ଦଳର ପୂର୍ବତନ ଅଧିନାୟିକା ତଥା ଭାରତୀୟ ରେଳବାଇ ମହିଳା କବାଡ଼ି ଦଳର ପ୍ରଶିକ୍ଷକ ଜୟଶ୍ରୀ ସ୍ବାଇଁ ଓ ଓଡ଼ିଶା କବାଡ଼ି ସଂଘ ସାଧାରଣ ସମ୍ପାଦକ ଅଜୟ କୁମାର ବେହେରା ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।