ସମ୍ବଲପୁର: ୬୬ତମ ସର୍ବଭାରତୀୟ ରେଳବାଇ ଟ୍ବେଣ୍ଟି-୨୦ କ୍ରିକେଟ୍ ପ୍ରତିଯୋଗିତାର ବୁଧବାର ପଞ୍ଚମ ଦିନରେ ରେଳବାଇ ଷ୍ଟାଡିୟମ୍ରେ ୨ଟି ଏବଂ ଗୋଟିଏ ମ୍ୟାଚ୍ ଭିଏସ୍ଏସ୍ ଷ୍ଟାଡିୟମ୍ରେ ଖେଳାଯାଇଛି। ରେଳବାଇ ଷ୍ଟାଡିୟମ୍ରେ ପ୍ରଥମ ମ୍ୟାଚ୍ରେ ରେଳଚକ କାରଖାନା (ଆର୍ଡବ୍ଲୁଏଫ୍)କୁ ପୂର୍ବ ରେଳବାଇ ୨ ଵିକେଟ୍ରେ ପରାସ୍ତ କରିଥିଲା। ରେଳଚକ କାରଖାନା ଦଳ ନିର୍ଦ୍ଧାରିତ ୨୦ ଓଭର୍ରେ ୧୨୯ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ସାଗର ସୋଲାଙ୍କି ୪୦ ରନ୍ କରିଥିଲେ। ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ଗୋଟିଏ ବଲ୍ ବାକିଥାଇ ପୂ୍ର୍ବ ରେଳବାଇ ଦଳ ୮ ଵିକେଟ୍ ହରାଇ ୧୩୩ ରନ୍ କରିନେଇଥିଲା। ୪ ଵିକେଟ୍ ହାସଲ କରିଥିବା ପୂର୍ବ ରେଳବାଇର ଦୀପଞ୍ଜନ ମୁଖାର୍ଜୀ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ହୋଇଥିଲେ।
ଦ୍ବିତୀୟ ମ୍ୟାଚ୍ରେ ବର୍ଷା ନିୟମ (ଡିଏଲ୍ ମେଥଡ୍) ଅନୁଯାୟୀ ଦକ୍ଷିଣ ରେଳବାଇକୁ ଆର୍ପିଏଫ୍ ଦଳ ୭ ଵିକେଟ୍ରେ ପରାସ୍ତ କରିଛି। ଦକ୍ଷିଣ ରେଳବାଇ ୧୨ ଓଭର୍ରେ ୩ ଵିକେଟ୍ ହରାଇ ୮୦ ରନ୍ କରିଥିଲା। ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ରେ ଆର୍ପିଏଫ୍ ଦଳକୁ ୧୦ ଓଭର୍ରେ ୬୮ ରନ୍ ବିଜୟ ଲକ୍ଷ୍ୟ ମିଳିଥିଲା। ଯାହାକୁ ୯.୧ ଓଭର୍ରେ ୩ ଵିକେଟ୍ ହରାଇ ଆର୍ପିଏଫ୍ ଦଳ ହାସଲ କରିନେଇଥିଲା। ଆର୍ପିଏଫ୍ ପକ୍ଷରୁ ୩୦ ବଲ୍ରେ ୩୮ ରନ୍ କରିଥିବା ଅନନ୍ତ ବୈଭବ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ହୋଇଥିଲେ। ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ବିନିତ୍ ସିଂ, ପୂର୍ବତଟ ରେଳବାଇ ମହିଳା କଲ୍ୟାଣ ସଂଗଠନର ଅଧ୍ୟକ୍ଷା ଅଞ୍ଜନୀ ସିଂ ଏବଂ ଏଡିଆର୍ଏମ୍ ଆନନ୍ଦ ସିଂ ଅତିଥି ଭାବେ ଯୋଗଦେଇ ଅନନ୍ତଙ୍କୁ ପୁରସ୍କୃତ କରିଥିଲେ।
ଭିଏସ୍ଏସ୍ ଷ୍ଟାଡିୟମ୍ରେ ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ଡିଏଲ୍ ମେଥଡ୍ରେ ସମନ୍ବିତ କୋଚ୍ କାରଖାନାକୁ ୫ ରନ୍ରେ ପରାସ୍ତ କରିଛି। ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ୧୫ ଓଭର୍ରେ ୬ ଵିକେଟ୍ ହରାଇ ୯୯ ରନ୍ କରିଥିଲା। ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ରେ ଡିଏଲ୍ ମେଥଡ୍ ଅନୁଯାୟୀ ସମନ୍ବିତ କୋଚ୍ କାରଖାନାକୁ ୯ ଓଭର୍ରେ ୬୦ ରନ୍ର ବିଜୟ ଲକ୍ଷ୍ୟ ଦିଆଯାଇଥିଲା। କିନ୍ତୁ ଏହି ଦଳ ୫୪ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ୨୩ ବଲ୍ରେ ୩୫ ରନ୍ କରିଥିବା ଦକ୍ଷିଣ କେନ୍ଦ୍ରୀୟ ରେଳବାଇର ଫରିଦ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ହୋଇଥିଲେ।