ବିଶ୍ବବିଦ୍ୟାଳୟ କ୍ରୀଡ଼ା ସଂଗୀତ ଉନ୍ମୋଚିତ, ଡିଡି ଓ ଷ୍ଟାର ସ୍ପୋର୍ଟ୍ସରେ ହେବ ପ୍ରସାରିତ

ଭୁବନେଶ୍ବର: ଚଳିତ ମାସ ୨୨ରୁ ମାର୍ଚ ୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଆୟୋଜିତ ହେବ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା। ଏଥି ଲାଗି ନୂଆଦିଲ୍ଲୀରେ ସୋମବାର ପ୍ରତିଯୋଗିତାର ସଂଗୀତ ଉନ୍ମୋଚିତ ହୋଇଛି। ଜାତୀୟ ସ୍ତରରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ପ୍ରତିଯୋଗିତାକୁ ଇଣ୍ଡିଆନ୍ ଅଏଲ୍ ଏବଂ ଗେଲ୍‌ ପ୍ରା‌‌ୟୋଜିତ କରିଛନ୍ତି। ସଂଗୀତ ଉନ୍ମୋଚନ ଉତ୍ସବରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ଏବଂ ଇଣ୍ଡିଆନ୍ ଅଏଲ୍‌ର କାର୍ପୋରେଟ୍‌ କମ୍ୟୁନିକେସନ୍ସ ବ୍ରାଣ୍ଡିଂ ବିଭାଗର କାର୍ଯ୍ୟକାରୀ ନିର୍ଦେଶକ ସୁବୋଧ ଡାଖୱାଲେ ଉପସ୍ଥିତ ଥିଲେ। ପ୍ରଥମ ଥର ପାଇଁ ଭାରତରେ ବିଶ୍ବବିଦ୍ୟାଳୟ ସ୍ତରରେ ଏଭଳି ଏକ ପେସାଦାର ତଥା ସଂଗଠିତ ପ୍ରତିଯୋଗିତା ଆୟୋଜିତ ହୋଇଛି। ଦେଶ ପାଇଁ ଏହା ଏକ ବୈପ୍ଳବିକ ପଦକ୍ଷେପ। ଇଣ୍ଡିଆନ୍ ଅଏଲ୍‌ର ସମର୍ଥନ ଲାଗି ରିଜିଜୁ ଧନ୍ୟବାଦ ଜଣାଇଥିଲେ। ଏହି ଉତ୍ସବରେ ମହାନ ସୁଟର୍‌ ମନୁ ଭାକର, ଅନୀଷ ଭାନୱାଲ, ସନ୍ଦୀପ ରାଜପୁତ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଖେଲୋ ଇଣ୍ଡିଆ ଜାତୀୟ ଯୁବ କ୍ରୀଡ଼ାର ତିନିଟି ସଂସ୍କରଣକୁ ସଫଳତାର ସହ ସମ୍ପନ୍ନ କରିବା ପରେ ଏବେ ବିଶ୍ବବିଦ୍ୟାଳୟ ସ୍ତରକୁ ଅଣ୍ଟା ଭିଡିଛନ୍ତି ଭାରତ ସରକାର।

ପ୍ରତିଯୋଗିତାର ସଫଳ ଆୟୋଜନ ଲାଗି ଗତ ସପ୍ତାହରେ ଓଡ଼ିଶା କ୍ରୀଡ଼ା ଓ ଯୁବ‌ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁ‌ଷ୍ଠିତ ହୋଇଥିଲା। ଖେଳାଳିମାନେ ଆସିବାଠାରୁ ଯିବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥାର ସୁପରିଚାଳନା ନେଇ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ ଏହି ୧୦ ଦିନିଆ ପ୍ରତିଯୋଗିତାରେ ୧୫୯ ବିଶ୍ବବିଦ୍ୟାଳୟରୁ ୩୩୯୯ ଖେଳାଳି ଓ ଅଧିକାରୀ ଅଂଶଗ୍ରହଣ କରିବେ। ଖେଳାଳି ଓ ଅଧିକାରୀଙ୍କ ପାଇଁ କିଟ୍‌ରେ ରହିବାର ବ୍ୟବସ୍ଥା କରାଯାଇଛି। ୧୭ଟି ଇଭେଣ୍ଟ୍‌ରୁ ୨ଟି କଟକରେ ଏବଂ ଅନ୍ୟଗୁଡ଼ିକ କଳିଙ୍ଗ ଷ୍ଟାଡିୟମ‌, କିଟ୍‌ ଓ ସାଇ ଇଣ୍ଟରନ୍ୟାସ୍‌ନାଲ୍‌ଠାରେ ଖେଳାଯିବ। ଉଦ୍‌ଘାଟନୀ ଉତ୍ସବ ୨୧ ତାରିଖରେ କଟକର ଜବାହରଲାଲ ନେହରୁ ‌ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଷ୍ଟାର ସ୍ପୋର୍ଟସ ଫାଷ୍ଟ୍‌, ଷ୍ଟାର୍‌ ସ୍ପୋର୍ଟସ-୧, ଷ୍ଟାର୍‌ ସ୍ପୋର୍ଟସ-୧ ହିନ୍ଦୀ, ଡିଡି‌ ସ୍ପୋର୍ଟସରେ ଏହା ପ୍ରସାରିତ ହେବ।

ସମ୍ବନ୍ଧିତ ଖବର