ଅଯୋଗ୍ୟ କାଟୋ ହେଲେ ମିଶ୍ରିତ ଯୁଗଳ ବିଜେତା

ସାବାଲେଙ୍କାଙ୍କୁ ହରାଇ ମୁଚୋଭା ଫାଇନାଲରେ

ପ୍ୟାରିସ୍‌: ଜାପାନ୍‌ର ମିୟୁ କାଟୋ ଗୁରୁବାର ଫ୍ରେଞ୍ଚ ଓପନ୍‌ ମିଶ୍ରିତ ଯୁଗଳରେ ବିଜେତା ହୋଇଛନ୍ତି। ଚାରି ଦିନ ପୂର୍ବରୁ ମହିଳା ଯୁଗଳ ମ୍ୟାଚ୍‌ ସମୟରେ ବଲ୍‌ ଗର୍ଲଙ୍କୁ ସଟ୍‌ ମାରି ସେ ରେଫରିଙ୍କ ଦ୍ବାରା ଅଯୋଗ୍ୟ ଘୋଷିତ ହୋଇଥିଲେ। କିନ୍ତୁ ମିଶ୍ରିତ ଯୁଗଳ ଫାଇନାଲ୍‌ରେ କାଟୋ ଓ ତାଙ୍କ ଜର୍ମାନ ଯୋଡ଼ି ଟିମ୍‌ ପୁଏଜ୍‌ ୪-୬, ୬-୪, ୧୦-୬ ରେ ବିୟାଙ୍କା ଆନ୍ଦ୍ରେସ୍କୁ ଓ ମାଇକେଲ୍‌ ଭେନସ୍‌ଙ୍କୁ ହରାଇ ଟ୍ରଫି ହାତେଇଛନ୍ତି। ମହିଳା ଯୁଗଳରୁ ଅଯୋଗ୍ୟ ଘୋଷିତ ହେବା ପରଠୁ ମାନସିକ ଭାବେ ସେ ଭାଙ୍ଗି ପଡ଼ିଥିଲେ। କିନ୍ତୁ ସବୁ ଖେଳାଳିମାନେ ତାଙ୍କୁ ସମର୍ଥନ କରିବାରୁ ସେ ନିଜ ଭିତରେ ଉର୍ଜା ଭରିଥିଲେ ଓ ଫାଇନାଲ୍‌ ଜିତିଥିଲେ ବୋଲି କାଟୋ କହିଛନ୍ତି। ସୂଚନାଯୋଗ୍ୟ, କାଟୋ ଓ ତାଙ୍କ ଇଣ୍ଡୋନେସିଆ ସାଥି ଅଲଦିଲା ସୁତଜିଆଦି ରବିବାର ମହିଳା ଯୁଗଳ ମ୍ୟାଚ୍‌ ଅବସରରେ ଅଜଣାତରେ ବଲ୍‌କୁ ହିଟ୍‌ କରିଥିଲେ। ଯାହାକି ଜଣେ ବଲ୍‌ ଗର୍ଲଙ୍କ ମୁହଁରେ ଜୋର୍‌ରେ ବାଜିବାରୁ ସେ କାନ୍ଦିଥିଲେ। ଚେୟାର ଅମ୍ପାୟାର ଏହି ଯୋଡ଼ିଙ୍କୁ କେବଳ ଚେତାବନୀ ଦେଇଥିଲେ ବି ପ୍ରତିପକ୍ଷ ମାରି ବୌଜକୋଭା ଓସାରା ସୋରିବେସ୍‌ ଘଟଣାକୁ ପୁଣି ଥରେ ଦେଖିବାକୁ ଅପିଲ୍‌କରିଥିଲେ। ଏହାପରେ ଅମ୍ପାୟାର କାଟୋ ଓ ତାଙ୍କ ସାଥିଙ୍କୁ ଅଯୋଗ୍ୟ ଘୋଷିତ କରାଇ ମ୍ୟାଚ୍‌ ବନ୍ଦ କରାଇଥିଲେ।

ଅନ୍ୟପକ୍ଷରେ ଚତୁର୍ଥ ସିଡ୍‌ କାସପର ରୁଡ୍‌ ପୁରୁଷ ଏକକ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। କ୍ବାର୍ଟରଫାଇନାଲ୍‌ରେ ସେ ୬-୧, ୬-୨, ୩-୬, ୬-୩ ରେ ହୋଲଗର ରୁନେଙ୍କୁ ପରାସ୍ତ କରିଥିଲେ। ସେମିଫାଇନାଲ୍‌ରେ ରୁଡ୍‌ଙ୍କ ମୁକାବିଲା ଆଲେକଜାଣ୍ଡର ଜିଭେରେଭ୍‌ଙ୍କ ସହିତ ହେବ।

ସାବାଲେଙ୍କାଙ୍କୁ ହରାଇ ମୁଚୋଭା ଫାଇନାଲରେ

ମହିଳା ଏକକ ସେମିଫାଇନାଲ୍‌ରୁ ସା‌ବାଲେଙ୍କା ବିଦାୟ ନେଇଛନ୍ତି। ଚଳିତବର୍ଷର ଅଷ୍ଟ୍ରେଲିଆନ୍ ଓପନ୍ ବିଜୟିନୀ ଦ୍ବିତୀୟ ମାନ୍ୟତାପ୍ରାପ୍ତ ବେଲାରୁଷର ସାବାଲେଙ୍କା ୬-୭, ୭-୬, ୫-୭ରେ ଚେକ୍‌ ରିପବ୍ଲିକ୍‌ର କରୋଲିନା ମୁଚୋଭାଙ୍କଠୁ ପରାଜିତ ହୋଇଥିଲେ। ଏହାଫଳରେ ମୁଚୋଭା ପ୍ରଥମ ଥର ପାଇଁ ଗ୍ରାଣ୍ଡସ୍ଲାମ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

ସମ୍ବନ୍ଧିତ ଖବର