ମୁମ୍ବାଇ: ‘‘୨୦୧୧ ମସିହା ପର୍ଯ୍ୟନ୍ତ ଧୋନିଙ୍କର ମୋ ଉପରେ ଆଗାଧ ବିଶ୍ବାସ ଥିଲା ମୁଁ ତାଙ୍କର ପ୍ରମୁଖ ଖେଳାଳି ବୋଲି ସେ ମୋତେ ସବୁବେଳେ କହୁଥିଲେ। ହେଲେ ମୁଁ କର୍କଟ ରୋଗରୁ ସୁସ୍ଥ ହୋଇ ଫେରିବା ପରେ ସବୁକିଛି ଯେମିତି ବଦଳି ଯାଇଥିଲା। ଦଳ ଭିତରେ ମଧ୍ୟ ଅନେକ ପରିବର୍ତ୍ତନ ‌ହୋଇ ସାରିଥିଲା’’। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ତାରକା ଅଲରାଉଣ୍ଡର ଯୁବରାଜ ସିଂହ ମଙ୍ଗଳବାର ଏଭଳି ମନ୍ତବ୍ୟ ଦେଇଛନ୍ତି। ୨୦୧୫ ବିଶ୍ବକପ୍ ଦଳରେ ସ୍ଥାନ ନପାଇବାର କାରଣ ଉପରେ ମତ ରଖିବାକୁ ଯାଇ ସେ କହିଥିଲେ ଯେ ଆପଣ ଏଥିଲାଗି କୌଣସି ଗୋଟିଏ କଥାକୁ ଦାୟୀ କରିପାରିବେ ନାହିଁ। ଏହା ଜଣକର ବ୍ୟକ୍ତିଗତ ନିଷ୍ପତ୍ତି ଉପରେ ନିର୍ଭର କରେ। ଏଣୁ ଅଧିନାୟକ ଭାବେ ଆପଣ ସବୁକଥାର କାରଣ ଦର୍ଶାଇ ପାରିବେ ନାହିଁ ବୋଲି ମୁଁ ଭାବୁଛି। କାରଣ ଶେଷକୁ ଆପଣଙ୍କୁ ଦେଖିବାକୁ ହୋଇଥାଏ ଯେ ଦଳ କିଭଳି ପ୍ରଦର୍ଶନ କରୁଛି।

Advertisment

୨୦୧୯ ବିଶ୍ବକପ୍ ଦଳରେ ସ୍ଥାନ ନପାଇବା କଥାକୁ ମନେ ପକାଇ ଯୁବି କହିଥିଲେ, ‘‘ମୁଁ ଯେତେବେଳେ ଦଳକୁ ଫେରିଲି, ବିରାଟ କୋହଲି ମୋତେ ଦୃଢ଼ ସମର୍ଥନ କରିଥିଲେ। ସେ ସମର୍ଥନ କରିନଥିଲେ, ସମ୍ଭବତଃ ମୁଁ ଆଉ ଦଳକୁ ଫେରିପାରିନଥା’ନ୍ତି। ଏହା ପରେ କିନ୍ତୁ ଧୋନି ମୋତେ ୨୦୧୯ ବିଶ୍ବକପ୍‌ ଯୋଜନାର ଅସଲ ଚିତ୍ର ଦେଖାଇଥିଲେ। ଚୟନକର୍ତ୍ତାମାନେ ମୋତେ ଯେ ବିଶ୍ବକପ୍ ଦଳର ଅଂଶବିଶେଷ ଭାବେ ଦେଖୁନାହାନ୍ତି, ତାହା ସ୍ପଷ୍ଟ ଭାବେ କହିଥିଲେ। ଅବଶ୍ୟ ସେ ଯେତିକି କରିବା କଥା କରିଥିଲେ। ସୂଚନାଯୋଗ୍ୟ ଯେ ଯୁବରାଜ ଭାରତ ପାଇଁ ନିଜ ଶେଷ ମ୍ୟାଚ୍ ୨୦୧୭ ମସିହାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିଥିଲେ। କର୍କଟ ମୁକ୍ତ ହୋଇ ଦଳକୁ ଫେରିବା ପରେ ୧୧ ମ୍ୟାଚ୍‌ରୁ କଟକରେ ଖେଳ ଜୀବନର ଶ୍ରେଷ୍ଠ ଦିନିକିଆ ପାଳି ୧୫୦ ରନ୍ ସହ ମୋଟ ୩୧୨ ରନ୍ କରିଥିଲେ। ହେଲେ ୨୦୧୫ ଭଳି ୨୦୧୯ ବିଶ୍ବକପ୍ ଖେଳିବାରୁ ବଞ୍ଚିତ ହୋଇଥିଲେ। ତେବେ ଭାରତର ୨୦୦୭ ପ୍ରଥମ ଟ୍ବେଣ୍ଟି-୨୦ ବିଶ୍ବକପ୍ ସହ ୨୦୧୧ ଏକଦିବସୀୟ ବିଶ୍ବକପ୍ ବିଜୟରେ ଯୁବି ହିଁ ନିର୍ଣ୍ଣାୟକ ଭୂମିକା ତୁଲାଇଥିଲେ। ୨୦୧୧ ମସିହା ଘରୋଇ ବିଶ୍ବକପ୍ ବିଜୟରେ ସେ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।