ଓଡ଼ିଶା ବିପକ୍ଷରେ ୟୁପି ପଲ୍ଲା ଭାରି, ସୋମବାରଠୁ ରଣଜୀ ଟ୍ରଫି ଦ୍ବିତୀୟ ରାଉଣ୍ଡ

ଭୁବନେଶ୍ବର: ରଣଜୀ ଟ୍ରଫିର ଦ୍ବିତୀୟ ରାଉଣ୍ଡ୍‌ରେ ଓଡ଼ିଶା ସୋମବାରଠାରୁ କିଟ୍ କ୍ରିକେଟ ଷ୍ଟାଡିୟମରେ ଉତ୍ତରପ୍ରଦେଶ ସହିତ ଖେଳିବ। ଓଡ଼ିଶା ନିଜର ପ୍ରଥମ ମ୍ୟାଚ୍‌କୁ ହରିଆନା ସହିତ ଅମୀମାଂସିତ ରଖିଥିବାବେଳେ କାନପୁରରେ ଉତ୍ତରପ୍ରଦେଶ ପାଳି ବ୍ୟବଧାନରେ ଗୋଆକୁ ହରାଇ ଭୁବନେଶ୍ବର ଆସିଛି। ଓଡ଼ିଶା ପାଇଁ ଏହି ଘରୋଇ ମ୍ୟାଚ୍ ଗୁରୁତ୍ବପୂର୍ଣ୍ଣ ରହିବ। ଅତୀତରେ ଓଡ଼ିଶା ଏବଂ ଉତ୍ତରପ୍ରଦେଶ ଯେତେଥର ଭେଟ ହୋଇଛନ୍ତି ଓଡ଼ିଶାକୁ ନିରାଶ ହେବାକୁ ପଡ଼ିଛି। ବିଗତ ୧୬ ବର୍ଷ ମଧ୍ୟରେ ଦୁଇ ରାଜ୍ୟ ପରସ୍ପରକୁ ୫ ଥର ଭେଟିଛନ୍ତି। ଓଡ଼ିଶା ୨ ଥର ହାରିଥିବାବ‌େଳେ ୩ ଥର ମ୍ୟାଚ୍ ଅମୀମାଂସିତ ରଖିବାରେ ସକ୍ଷମ ହୋଇଛି। ୨୦୦୨ ମସିହାରେ କେଡି ସିଂହ ବାବୁ ଷ୍ଟାଡିୟମରେ ଅନୁଷ୍ଠିତ ଏଲିଟ୍ ଗ୍ରୁପ୍‌ ମୁକାବିଲାରେ ପ୍ରତିକୂଳ ପାଗ କାରଣରୁ ମ୍ୟାଚ୍ ସମ୍ପୂର୍ଣ୍ଣ ହୋଇପାରିନଥିଲା। ସୁଖବିନ୍ଦର ସିଂହ (୧୦୨)ଙ୍କ ଶତକ ଏବଂ ନିରଂଜନ ବେହେରା (୫୧)ଙ୍କ ଅର୍ଧଶତକ ବଳରେ ଓଡ଼ିଶା ୨୪୫ ରନ୍ କରିଥିଲା। ଦ୍ରୁତ ବୋଲର ଆଶିଷ ୱିନଷ୍ଟନ୍ ଜୈଦି ୬ ୱିକେଟ୍ ନେଇଥିଲେ। ଜବାବରେ ଉତ୍ତରପ୍ରଦେଶ ୧୮୦ ରନ୍‌ରେ ୬ ୱିକେଟ୍‌ ହରାଇଥିଲେ ମଧ୍ୟ ଶେଷ ଦିନ ଖେଳ ଆଦୌ ନ ହେବାରୁ ମ୍ୟାଚ୍ ବିନା ପଏଣ୍ଟରେ ଶେଷ ହୋଇଥିଲା।୨୦୦୭ ମସିହାରେ କଟକର ବାରବାଟୀ ଷ୍ଟାଡିୟମରେ ରଣଜୀ ଟ୍ରଫି ସୁପରଲିଗ୍‌ ମୁକାବିଲାରେ ଘରୋଇ ଓଡ଼ିଶାକୁ ମହମ୍ମଦ କୈଫଙ୍କ ଓଡ଼ିଶା ଏକ ପାଳି ଓ ୧୦ ରନ୍‌ରେ ହରାଇ ଦେଇଥିଲା। ଶିବସୁନ୍ଦର ଦାସ (୭୫), ପିନାଟି ଚୟଚନ୍ଦ୍ର (୫୫)ଙ୍କ ବଳରେ ଓଡ଼ିଶା ମାତ୍ର ୨୧୬ ରନ୍ କରିଥିଲା। ପଦାର୍ପଣରେ ସୁଦୀପ ତ୍ୟାଗୀ ୬ ୱିକେଟ୍ ନେଇ ଓଡ଼ିଶାର ବିପର୍ଯ୍ୟୟ ଘଟାଇଥିଲେ। ଜବାବରେ ଉତ୍ତରପ୍ରଦେଶ ସୁରେଶ ରାଇନା (୨୦୩) ଏବଂ ପୀୟୂଷ ଚାୱଲା (୬୯)ଙ୍କ ସହୟତା‌ରେ ୪୪୮ ରନ୍‌ର ବଡ଼ ସ୍କୋର କରିଥିଲା। ଓଡ଼ିଶା ପକ୍ଷରୁ ବାମହାତୀ ଦ୍ରୁତ ବୋଲର ପ୍ରୀତମଜିତ ଦାସ (୫/୬୩) ଏବଂ ସୁକାନ୍ତ ଖଟୁଆ (୩/୧୦୯) ସଫଳ ବୋଲର ଥିଲେ। ଓଡ଼ିଶା ଦ୍ବିତୀୟ ପାଳିରେ ସୁଦୀପ ତ୍ୟାଗୀ (୪/୪୬) ଏବଂ ପୀୟୂଷ ଚାୱଲା (୩/୮୯)ଙ୍କୁ ଖେଳି ନପାରି ୨୨୨ ରନ୍‌ରେ ସମସ୍ତ ୱିକେଟ୍‌ ହରାଇ ଦେଇଥିଲା। ୨୦୧୦-୧୧ ଋତୁରେ ଓଡ଼ିଶା ଲକ୍ଷ୍ନୌ ଗସ୍ତ କରି ଅଳ୍କକେ ପରାଜୟରୁ ବର୍ତିଯାଇଥିଲା। ଆଲୋକ ସାହୁ (୪/୧୦୦) ଏବଂ ଦେବାଶିଷ ମହାନ୍ତି (୩/୩୭)ଙ୍କ ସଫଳତା ସତ୍ତ୍ବେ ଉତ୍ତରପ୍ରଦେଶ ୪୦୩ ରନ୍ କରିଥିଲା। ଜବାବରେ ନଟରାଜ ବେହେରା (୧୧୩)ଙ୍କ ଶତକ ସତ୍ତ୍ବେ ଓଡ଼ିଶା ୨୪୫ ରନ୍ କରି ଫଲୋଅନ୍ ଖେଳିଥିଲା। ଆରପ୍ ସିଂହ ଏହି ବିପର୍ଯ୍ୟୟ ଘଟାଇଥିଲେ। ଦ୍ବିତୀୟ ପାଳିରେ ଓଡ଼ିଶା ୧୭୧/୯ରେ ସୀମିତ ରହି ମ୍ୟାଚ୍ ବଞ୍ଚାଇଥିଲା। ବିପ୍ଳବ ସାମନ୍ତରାୟ (୪୫) ଏବଂ ନଟରାଜ ବେହେରା (୩୬) ସର୍ବାଧିକ ରନ୍ କରିଥିଲେ ମଧ୍ୟ ବସନ୍ତ ମହାନ୍ତି (୧*,୩୬ ବଲ) ଏବଂ ଧୀରାଜ ସିଂହ (୧*, ୫ ବଲ) ଦଳକୁ ପରାଜୟରୁ ରକ୍ଷା କରିଥିଲେ। ସୁଦୀପ ତ୍ୟାଗୀ ୪, ଆର୍ ପି ସିଂହ ୩ ଏବଂ ପୀୟୂଷ ଚାୱଲା ୨ ୱିକେଟ୍‌ ନେଇଥିଲେ। ଲଗାତାର ଦ୍ବିତୀୟ ଋତୁପାଇଁ ଉଭୟ ରାଜ୍ୟ ପରସ୍ପରକୁ ଭେଟିବାର ସୁଯୋଗ ଆସିଥିଲା। ଏଲିଟ୍ ଗ୍ରୁପ୍‌ ଏହି ମୁକାବିଲା ସମ୍ବଲପୁରର ଭିଏସସ ଷ୍ଟାଡିୟମରେ ଖେଳାଯାଇଥିଲା। ବିପ୍ଳବ ସାମନ୍ତରାୟ (୧୭୧), ଅଭିଳାଷ ମଲ୍ଲିକ (୯୯), ନଟରାଜ ବେହେରା (୫୩) ଏବଂ ନିରଂଜନ ବେହେରା (୫୪)ଙ୍କ ପାଳି ବଳରେ ଓଡ଼ିଶା ୪୮୨ ରନ୍ କରିଥିଲା। ପୀୟୂଷ ଚାୱଲା ୫ ୱିକେଟ୍ ‌ନେଇଥିଲେ। ଜବାବରେ ଉତ୍ତରପ୍ରଦେଶ କିନ୍ତୁ ମହମ୍ମଦ କୈଫ (୮୮), ପ୍ରଶାନ୍ତ ଗୁପ୍ତା (୪୯), ପରବିନ୍ଦର ସିଂହ (୨୦୨*) ଏବଂ ଆରିସ ଆଲାମ (୧୧୮*)ଙ୍କ ବଳରେ ୪ ୱିକେଟ୍‌ ହରାଇ ୫୯୦ ରନ୍ ସଂଗ୍ରହ କରିବାରୁ ମ୍ୟାଚ୍ ଅମୀମାଂସିତ ରହିଥିଲା। ବସନ୍ତ ମହାନ୍ତି ୨ ୱିକେଟ୍‌ ନେଇଥିଲେ।

ଶେଷ ଥର ପାଇଁ ୨୦୧୨-୧୩ ଋତୁରେ ଓଡ଼ିଶା ଓ ଉତ୍ତରପ୍ରଦେଶ ମୁକାବିଲା କଟକରେ ହୋଇଥିଲା। ଛୋଟ ସ୍କୋର ବିଶିଷ୍ଟ ଏହି ମ୍ୟାଚରେ ଓଡ଼ିଶାକୁ ଉତ୍ତରପ୍ରଦେଶ ୪୩ ରନ୍‌ରେ ହରାଇ ଦେଇଥିଲା। ଦୀପକ ବେହେରା (୬/୩୭), ବସନ୍ତ ମହାନ୍ତି (୨/୨୮) ଏବଂ ବିପ୍ଳବ ସାମନ୍ତରାୟ (୨/୩୦)ଙ୍କୁ ଖେଳି ନପାରି ମହମ୍ମଦ କୈଫଙ୍କ ଦଳ ମାତ୍ର ୧୬୦ ରନ୍ କରିଥିଲେ ମଧ୍ୟ ଓଡ଼ିଶା ପ୍ରଥମ ପାଳିକୁ ୧୨୭ ରନ୍‌ରେ ସୀମିତ ରଖିଥିଲା। ଇମିତିଆଜ ଅହମ୍ମଦ ୫ ୱିକେଟ୍ ନେଇଥିଲେ। ଉତ୍ତରପ୍ରଦେଶ ଦ୍ବିତୀୟ ପାଳିରେ ୧୧୧ ରନ୍ କରିଥିଲା। ବସନ୍ତ ମହାନ୍ତି (୪/୩୧), ଦୀପକ ବେହେରା (୩/୨୭), ବିପ୍ଳବ ସାମନ୍ତରାୟ (୧/୧୭) ଏବଂ ଆଲୋକ ମଙ୍ଗରାଜ (୧/୩୦) ୱିକେଟ ବାଣ୍ଟିଥିଲେ। ଓଡ଼ିଶା ସମ୍ମୁଖରେ ୧୪୫ ରନ୍ ବିଜୟ ଲକ୍ଷ୍ୟ ରହିଥିଲେ ମଧ୍ୟ ନଟରାଜ ବେହେରାଙ୍କ ଦଳ ୧୦୧ ରନ୍ କରିଥିଲା। ଇମତିଆଜ ଅହମ୍ମଦ (୫/୨୯) ପୁଣି ଓଡ଼ିଶାର କଣ୍ଟା ସାଜିଥିଲେ।

ବସନ୍ତ ଖେଳିବେ
କଟକ: ଉତ୍ତରପ୍ରଦେଶ ବିପକ୍ଷରେ ସୋମବାରଠୁ କିଟ୍‌ ଷ୍ଟାଡିୟମରେ ଓଡ଼ିଶା ଦ୍ବିତୀୟ ରଣଜୀ ମ୍ୟାଚ୍‌ ଖେଳିବ। ଏଥି ପାଇଁ ଓଡ଼ିଶା ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ପ୍ରଥମ ମ୍ୟାଚ୍‌ରେ ଦ୍ରୁତ ବୋଲର ବସନ୍ତ ମହାନ୍ତି ପିତାଙ୍କ ଅସୁସ୍ଥତା କାରଣରୁ ଶେଷ କ୍ଷଣରେ ଦଳଠୁ ଦୂରେଇ ରହିଥିଲେ। ଗୁରୁବାର ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିବାରୁ ଦ୍ବିତୀୟ ମ୍ୟାଚ୍‌ରେ ତାଙ୍କର ଖେଳିବା ନେଇ ଆଶଙ୍କା ଥିଲା। ତଥାପି ସେ ଖେଳିବାକୁ ସହମତି ଦେଇଥିବାରୁ ଏହି ମ୍ୟାଚ୍‌ ପାଇଁ ଦଳରେ କୌଣସି ପରିବର୍ତ୍ତନ କରାଯାଇନଥିବା ଓସିଏ ପକ୍ଷରୁ ଜଣାପଡ଼ିଛି। ଏହି ମ୍ୟାଚ୍‌ ପାଇଁ ସେ ଉପଲବ୍ଧ ଏବଂ ଖେଳିବାକୁ ବ୍ୟଗ୍ର ବୋଲି ବସନ୍ତ ‘ସମ୍ବାଦ’କୁ କହିଛନ୍ତି। କିଟ୍‌ ଗେଷ୍ଟହାଉସ୍‌ରେ ରହୁଥିବା ଓଡ଼ିଶା ଦଳ ସହ ବସନ୍ତ ଶନିବାର ମଧ୍ୟ ସାମିଲ ହୋଇଛନ୍ତି। ଷ୍ଟାଡିୟମରେ ହରିୟାଣା ବିପକ୍ଷ ପ୍ରଥମ ମ୍ୟାଚ୍‌ ଅମୀମା˚ସିତ ରହିବାବେଳେ ଓଡ଼ିଶା ୧ ପଏଣ୍ଟରେ ସନ୍ତୁଷ୍ଟ ହୋଇଥିଲା।

ସମ୍ବନ୍ଧିତ ଖବର