ଗିମିନେଜ୍‌ ହେଡର୍‌ରେ ଉରୁଗୁଏ ଜିତିଲା

ୟାକାଟେରିନ୍‌ବର୍ଗ: ଫିଫା ବିଶ୍ୱକପ୍‌ର ଏକ ଗ୍ରୁପ୍‌ ‘ଏ’ ମ୍ୟାଚ୍‌ରେ ଶୁକ୍ରବାର ଜୋସ୍‌ ଗିମିନେଜ୍‌ଙ୍କ ଶେଷ ମୁହୂର୍ତ ଗୋଲ୍‌ ବଳରେ ଉରୁଗୁଏ ୧-୦ ଗୋଲ୍‌ରେ ଆଫ୍ରିକୀୟ ଦେଶ ଇଜିପ୍ଟକୁ ପରାସ୍ତ କରି ଅଭିଯାନ ଆାରମ୍ଭ କରିଛି। ଉରୁଗୁଏର ଏହି ବିଳମ୍ବିତ ତଥା ନାଟକୀୟ ବିଜୟ ଦେଶକୁ ୪୮ବର୍ଷ ପରେ ପ୍ରଥମ ମ୍ୟାଚ୍‌ରେ ବିଜୟ ଦେଇଛି। ୧୯୭୦ ମସିହା ପରେ ଦେଶ ନିଜର ପ୍ରଥମ ମ୍ୟାଚ୍‌ରେ ଜିତିଲା। ଏହି ସମୟ ମଧ୍ୟରେ ଉରୁଗୁଏ ୩ ହାରି ୨ ଅମୀମାଂସିତ ରଖିଥିଲା। ଶୁକ୍ରବାର ଫଳାଫଳ ପରେ ଗ୍ରୁପ୍‌ ‘ଏ’ରେ ରୁଷିଆ ପରେ ଉଗୁଗୁଏ ନିଜ ନିଜ ପ୍ରଥମ ମ୍ୟାଚ୍‌ ଜିତି ୩ ପଏଣ୍ଟ୍‌ ଲେଖାଏଁ ହାସଲ କରି ନେଇଛନ୍ତି। ଶୁକ୍ରବାର ତାରକା ଷ୍ଟ୍ରାଇକର ମହମ୍ମଦ ସଲାହଙ୍କ ବିନା ପଡ଼ିଆକୁ ଓହ୍ଲାଇଥିବା ଇଜିପ୍ଟ ଶେଷ ପର୍ଯ୍ୟନ୍ତ ପଏଣ୍ଟ ଭାଗ କରିବାକୁ ଯାଉଥିବା ବେଳେ ଜୋସ୍‌ ଗିମିନେଜ୍‌ଙ୍କ ହେଡର୍‌ ଏହି ଉତ୍ତର ଆଫ୍ରିକୀୟ ଦେଶକୁ ନାଟକୀୟ ପରାଜୟ ପ୍ରଦାନ କରିଥିଲା। ଡାହାଣ ପାର୍ଶ୍ୱରୁ କାର୍ଲୋସ୍‌ ସାଞ୍ଚେଜ୍‌ ମାରିଥିବା ଫ୍ରି କିକ୍‌କୁ ଗିମିନେଜ୍‌ ଦୁଇ ଜଣ ଇଜିପ୍ଟ ରକ୍ଷଣଭାଗ ଖେଳାଳିଙ୍କ ମଝିରୁ ଡେଇଁ ମୁଣ୍ଡରେ ଗୋଲ୍‌ ଭିତରକୁ ପଠାଇବାରେ ସକ୍ଷମ ହୋଇଥିଲେ। ଏଥି ସହ ୪୮ ବର୍ଷ ଧରି ଉରୁଗୁଏ ନିଜର ପ୍ରଥମ ମ୍ୟାଚ୍‌ ଜିତିବାରେ ରଖିଥିବା ବିଫଳତା ଧାରାକୁ ଭାଙ୍ଗି ପାରିଥିଲା। ଗିମିନେଜଙ୍କ ଗୋଲ୍‌ ସମୟରେ ୭୧ ବର୍ଷୀୟ ଉରୁଗୁଏ ମୁଖ୍ୟ ପ୍ରଶିକ୍ଷକ ଓସ୍କାର ତାବାରେଜ ଜଣେ ଯୁବ ଖେଳାଳିଙ୍କ ଭଳି ବେଞ୍ଚରୁ ଡେଇଁ ପଡ଼ିବା ଦୃଶ୍ୟ ପ୍ରଶଂସକଙ୍କୁ ଖୁବ୍‌ ପ୍ରଭାବିତ କରିଥିଲା। ଏହି ଚମତ୍କାର ମ୍ୟାଚ୍‌କୁ ୨୭,୦୧୫ ପ୍ରଶଂସକ ଷ୍ଟାଡିୟମରୁ ଦେଖିଥିଲେ। ଇଜିପ୍ଟକୁ ଏକାଧିକ ଗୋଲ୍‌ରୁ ବଞ୍ଚାଇଥିବା ମହମ୍ମଦ ଏଲ୍‌ ସିନାଓ୍ଵି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଫିଫା ଡଟ୍‌ କମ୍‌ କିନ୍ତୁ ଉରୁଗୁଏ ଅଧିନାୟକ ଡିଏଗୋ ଗଡ଼ିନ୍‌ଙ୍କୁ ଶ୍ରେଷ୍ଠ ଖେଳାଳି ବିବେଚନା କରିଥିଲା।

ଗିମିନେଜ୍‌ଙ୍କ ଗୋଲ୍‌ ପୂର୍ବରୁ ଇଜିପ୍ଟ ଗୋଲରକ୍ଷକ ମହମ୍ମଦ ଏଲ୍‌ ସେନାଓ୍ଵି ଏକ ସାହସିକ ପ୍ରଦର୍ଶନ ବଳରେ ଦଳକୁ ରକ୍ଷା କରିଥିଲେ। ଲୁଇସ ସୁଆରେଜଙ୍କୁ ଏକ ନିଶ୍ଚିତ ଗୋଲରୁ ବଞ୍ଚିତ କରିଥିଲେ। ଗୋଲଶୂନ୍ୟ ପ୍ରଥମାର୍ଧରେ ସୁଆରେଜଙ୍କ ଏକ ସୁଯୋଗ ଭରା ସଟ୍‌କୁ ମଧ୍ୟ ଏଲ୍‌ ସିନାଓ୍ଵି ବଞ୍ଚାଇଥିଲେ। ସଲାହଙ୍କ ଅନୁପସ୍ଥିତିରୁ ଉରୁଗୁଏ କିନ୍ତୁ ଫାଇଦା ଉଠାଇଥିଲା ଏବଂ ମ୍ୟାଚ୍‌ ଯେତେ ଗତିଶୀଳ ହୋଇଥିଲା ସେତେ ଦୃଢ଼ତା ଅର୍ଜନ କରି ନେଇଥିଲା।  ଶୁକ୍ରବାର ୨୬ ବର୍ଷରେ ପଦାର୍ପଣ କରିଥିବା ସଲାହ ୧୦୦ ପ୍ରତିଶତ ଫିଟ୍‌ ବୋଲି ପ୍ରଶିକ୍ଷକ ହେକ୍ଟର କୁପର ଘୋଷଣା କରିଥିଲେ ମଧ୍ୟ ଖେଳିନଥିଲେ। ଶେଷକୁ ଏହି ଲିଭରପୁଲ୍‌ ଷ୍ଟ୍ରାଇକର୍‌ ବେଞ୍ଚରେ ବସି ଦଳର ଶେଷ ମୁହୂର୍ତ ପରାଜୟ ଦେଖିଥିଲେ। ଏବେ ୪ ଦିନ ପରେ ଇଜିପ୍ଟ ନିଜର ପରବର୍ତୀ ମ୍ୟାଚ୍‌ ଖେଳିବାକୁ ଥିବାରୁ ସଲାହଙ୍କୁ ସୁଯୋଗ ମିଳିବା ସମ୍ଭାବନା ଦେଖା ଦେଇଛି। ଇଜିପ୍ଟ ନିଜର ପରବର୍ତୀ ମ୍ୟାଚ୍‌ ମଙ୍ଗଳବାର ସେଣ୍ଟ୍‌ ପିଟର୍ସବର୍ଗରେ ଆୟୋଜକ ରୁଷିଆ ସହ ଖେଳିବ। ଏହାର ପରଦିନ ରୋସ୍ତଭ୍‌ରେ ଉରୁଗୁଏ ଖେଳିବ ସାଉଦି ଆରବ ସହିତ।

ସମ୍ବନ୍ଧିତ ଖବର