ମୋଟେରାରେ ମଧ୍ୟ ଟର୍ନିଂ ଟ୍ରାକ୍

ମୋଟେରା : ମୋଟେରାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଷ୍ଟାଡିୟମ୍‌ରେ ବୁଧବାରଠାରୁ ଆରମ୍ଭ ହେବାକୁ ଥିବା ଭାରତ-ଇଂଲଣ୍ଡ ଗୋଲାପି ବଲ୍ ଟେଷ୍ଟ୍‌ରେ ମଧ୍ୟ ଟର୍ନିଂ ଟ୍ରାକ୍‌ର ଉପଯୋଗ ହେବ। ବିଶ୍ବର ସର୍ବବୃହତ୍ କ୍ରିକେଟ୍ ଷ୍ଟାଡିୟମ୍‌ର ମାନ୍ୟତା ପାଇ ସାରିଥିବା ଏହି ବିଶାଳ କ୍ରୀଡ଼ାଙ୍ଗନରେ ମୋଟ ୧୧ଟି ପିଚ୍ ଥିଲେ ମଧ୍ୟ ଆଗାମୀ ମ୍ୟାଚ୍‌ରେ ସ୍ପିନରଙ୍କୁ ସୁହାଇଲା ଭଳି ପିଚ୍ ଉପଯୋଗ ହେବ ବୋଲି କ୍ୟୁରେଟର ଆଭାସ ଦେଇଛନ୍ତି। ଯାହା ଭାରତୀୟ ଦଳ ପାଇଁ ଶୁଭଙ୍କର ହେବ। କାରଣ ଚେନ୍ନାଇର ଏମ୍‌ ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌କୁ ୨୨୭ ରନ୍‌ରେ ହାରିବା ପରେ ସେହିଠାରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟ୍‌କୁ ୩୧୭ ରନ୍‌ରେ ଜିତି ଭାରତୀୟ କ୍ରିକେଟ୍ ଦଳ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା। ପ୍ରଥମ ଅପେକ୍ଷା ଦ୍ବିତୀୟ ଟେଷ୍ଟ୍ ଲାଗି ସେଠାକାର କ୍ୟୁରେଟର ଅଧିକ ଟର୍ନ ନେଉଥିବା ପିଚ୍ ପ୍ରସ୍ତୁତ କରିଥିଲେ। ଭାରତର ଏହି ପ୍ରତ୍ୟାବର୍ତ୍ତନକାରୀ ବିଜୟରେ ଘରୋଇ ସ୍ପିନରମାନେ ହିଁ ନିର୍ଣ୍ଣାୟକ ଭୂମିକା ନେଇଥିଲେ। ଗୋଲାପି ବଲ୍ ବା ଦିବା-ରାତ୍ର ଟେଷ୍ଟ୍‌ରେ ମଧ୍ୟ ସ୍ପିନରମାନେ ମହତ୍ବପୂର୍ଣ୍ଣ ଭୂମିକା ନେବେ ବୋଲି ଆଶା କରାଯାଉଛି।

ସତର୍କତାର ସହ ଖେଳିବେ ରୋହିତ
ଗୋଲାପି ବଲ୍ ଟେଷ୍ଟ୍‌ର ସୂର୍ଯ୍ୟାସ୍ତ ସମୟ ସବୁବେଳେ ବ୍ୟାଟ୍ସମ୍ୟାନ୍‌ଙ୍କ ପାଇଁ ଆହ୍ବାନପୂର୍ଣ୍ଣ ରହିଥାଏ। ସଞ୍ଜ ନଇଁ ଆସୁଥିବାରୁ ଏକାଗ୍ରତା ହରାଇ ୱିକେଟ୍ ଫିଙ୍ଗିଦେବାର ଆଶଙ୍କା ଅଧିକ ଥାଏ। ସେଥିପାଇଁ ସୂର୍ଯ୍ୟାସ୍ତ ବେଳେ କ୍ରିଜ୍‌ରେ ଥିଲେ ସେ ଅତିରିକ୍ତ ସତର୍କତା ଏବଂ ଦୃଢ଼ ଏକାଗ୍ରତାର ସହ ଖେଳିବେ ବୋଲି ହିଟ୍‌ମ୍ୟାନ୍ ରୋହିତ ଶର୍ମା ରବିବାର କହିଛନ୍ତି। ଦ୍ବିତୀୟ ଟେଷ୍ଟ୍‌ରେ ୧୬୧ ରନ୍‌ର ମ୍ୟାଚ୍ ବିଜୟୀ ପାଳି ଖେଳିଥିବା ରୋହିତ ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ଗୋଲାପି ବଲ୍ ଟେଷ୍ଟ୍‌ରେ ଖେଳିଥିଲେ। ହେଲେ ସଂଧ୍ୟା ସମୟରେ ବ୍ୟାଟିଂ କରିନଥିଲେ। ଏଣୁ ମୋଟେରାରେ ଏଭଳି ପରିସ୍ଥିତିର ସମ୍ମୁଖୀନ ଯଦି ସେ ହୁଅନ୍ତି, ତାହ‌ାଲେ ଧୈର୍ଯ୍ୟର ସହ ଖେଳି ଏହି ସମୟକୁ ସାହସର ସହ କଟାଇବାକୁ ଚେଷ୍ଟା କରିବେ। ରବିବାର ଅନୁଷ୍ଠିତ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଏହି ବିଷୟ ଚର୍ଚା କରି ସେ କହିଥିଲେ ଯେ ଏହି ସମୟରେ ମନ‌ରେ ଦ୍ବନ୍ଦ୍ବ ସୃଷ୍ଟି ହେଉଥିବା ମୁଁ ସାଥୀ ଖେଳାଳିଙ୍କଠାରୁ ଶୁଣିଛି। ଏ ପର୍ଯ୍ୟନ୍ତ ମୁଁ କେବଳ ଗୋଟିଏ ଗୋଲାପି ବଲ୍ ଟେଷ୍ଟ୍ ଖେଳିଛି ଏବଂ ସୂର୍ଯ୍ୟାସ୍ତ ସମୟରେ ବ୍ୟାଟିଂ କରିବାର ଦରକାର ପଡ଼ିନି। ଏହା ନିଶ୍ଚିତ ଭାବେ ଆହ୍ବାନପୂର୍ଣ୍ଣ ରହିବ ବୋଲି ଆଶା କରୁଛି। ଟର୍ନିଂ ୱିକେଟ୍‌କୁ ନେଇ ହେଉଥିବା ଚର୍ଚାକୁ ଅଦରକାରି ଭାବେ ବର୍ଣ୍ଣନା କରି ଆମେ ବିଦେଶ ଗସ୍ତରେ ଯିବା ବେଳେ ଆୟୋଜକ କ’ଣ ଆମ କଥା ଭାବନ୍ତି ବୋଲି ପ୍ରଶ୍ନ କରିଥିଲେ ରୋହିତ।

କୋହଲିଙ୍କ ନେତୃତ୍ବରେ କଡ଼ା ଅଭ୍ୟାସ
ବହୁ ପ୍ରତୀକ୍ଷିତ ଗୋଲାପି ବଲ୍ ଟେଷ୍ଟ୍ ଲାଗି ଭାରତୀୟ ଦଳ ମୋଟେରା ଷ୍ଟାଡିୟମ୍‌ରେ କଡ଼ା ଅଭ୍ୟାସ ଜାରି ରଖିଛି। ରବିବାର ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ବରେ ଭାରତୀୟ ଖେଳାଳିମାନେ ଗୋଲାପି ବଲ୍‌ର ସୁଇଂ ସହ ଅଭ୍ୟସ୍ତ ହେବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା। ସେହିଭଳି ଷ୍ଟ୍ରେଚିଂ, ଫିଲ୍ଡ ଡ୍ରିଲିଂ ଭଳି ବ୍ୟାୟାମ ମଧ୍ୟ କରିଥିଲେ। କୋହଲି, ଉପଅଧିନାୟକ ଅଜିଙ୍କ୍ୟ ରାହାଣେ, ହିଟ୍ ମ୍ୟାନ୍ ରୋହିତ ଶର୍ମା, ଚର୍ଚିତ ୱିକେଟ୍ ରକ୍ଷକ ଋଷବ ପନ୍ତ ଦୀର୍ଘ ସମୟ ନେଟ୍‌ରେ ବ୍ୟାଟିଂ କରିଥିଲେ। ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସିରାଜ ଟାଣ ଖରାରେ ଦୌଡ଼ାଦୌଡ଼ି କରି ନିଜ ଫିଟ୍‌ନେସ୍‌କୁ ତଉଲିଥିଲେ। ଯୁବ ତାରକା ଶୁବମନ ଗିଲ୍ ଓ ମୟଙ୍କ ଅଗ୍ରୱାଲ ମଧ୍ୟ ଢେର ସମୟ ଝାଳ ବୁହାଇଥିଲେ। ଅନ୍ୟପକ୍ଷରେ ଦଳର ତିନି ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ, ଅକ୍ଷର ପଟେଲ ଓ କୁଲଦୀପ ଯାଦବ ବୋଲିଂ କରୁଥିବାର ଭିଡିଓ ବିସିସିଆଇ ନିଜ ଟ୍ବିଟର ପୃଷ୍ଠାରେ ପ୍ରକାଶ କରିଥିଲା। ମୋଟେରା ଷ୍ଟାଡିୟମ୍‌କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦ୍‌ଘାଟନ କରିବାର ଥିଲା ବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ।

ଈଶାନ୍ତଙ୍କ ଶତକୀୟ ଟେଷ୍ଟ୍‌
ମୋଟେରାର ଗୋଲାପି ବଲ୍ ଟେଷ୍ଟ୍ ଭାରତର ଅଭିଜ୍ଞ ଦ୍ରୁତ ବୋଲର ଈଶାନ୍ତ ଶର୍ମାଙ୍କ ପାଇଁ ସ୍ବତନ୍ତ୍ର ମହତ୍ବ ରଖିବ। ଏହି ମ୍ୟାଚ୍‌ରେ ସେ ନିଜ ଖେଳ ଜୀବନର ୧୦୦ତମ ଟେଷ୍ଟ୍ ଖେଳିବେ। ଈଶାନ୍ତ ସଂପ୍ରତି ୯୯ ଟେଷ୍ଟ୍ ଖେଳି ୩୦୨ ୱିକେଟ୍ ନେଇଛନ୍ତି। ସେଥିମଧ୍ୟରେ ୧୧ଟି ପାଞ୍ଚ ୱିକେଟ୍ ଏବଂ ଗୋଟିଏ ୧୦ ୱି‌କେଟ୍ ସଫଳତା ସାମିଲ ରହିଛି। ଚେନ୍ନାଇରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍‌ର ଦ୍ବିତୀୟ ପାଳିରେ ଇଂଲଣ୍ଡର ଡାନିଏଲ୍ ଲ‌ରେନ୍ସଙ୍କୁ ଆଉଟ୍ କରି ମହାନ କପିଳ ଦେବ ଓ ଜାହିର ଖାନ୍‌ଙ୍କ ପରେ ତୃତୀୟ ଭାରତୀୟ ଦ୍ରୁତ ବୋଲର ଭାବେ ଟେଷ୍ଟ୍‌ କ୍ରିକେଟ୍‌ରେ ୩୦୦ ୱିକେଟ୍ ପୂରଣ କରିଥିଲେ ସେ।

ସମ୍ବନ୍ଧିତ ଖବର