ଉରୁଗୁଏ ହ୍ୟାଟ୍ରିକ୍‌: ରୁଷିଆର ପ୍ରଥମ ପରାଜୟ

ସାମରା : ତିନିଟି ମ୍ୟାଚ୍‌ରୁ ତିନିଟି ବିଜୟ ସହ ଦକ୍ଷିଣ ଆମେରିକୀୟ ଦଳ ଉରୁଗୁଏ ଗ୍ରୁପ୍‌-ଏ ବିଜେତା ଭାବେ ଚଳିତ ଫିଫା ବିଶ୍ୱକପ୍‌ର ପ୍ରି-କ୍ୱାର୍ଟର ଫାଇନାଲକୁ ଯାଇଛି। ମସ୍କୋ ମହାସମରରେ ଗ୍ରୁପ୍‌ ବିଜେତା ହେବାରେ ବିଶ୍ୱକପ୍‌ର ପ୍ରଥମ ବିଜେତା ଉରୁଗୁଏ ମଧ୍ୟ ପ୍ରଥମ ଦଳ ହୋଇଛି। ପ୍ରଥମ ମ୍ୟାଚ୍‌ରେ ଇଜିପ୍ଟ ଏବଂ ଦ୍ୱିତୀୟରେ ସାଉଦି ଆରବକୁ ସମାନ ୧-୦ ଗୋଲ୍‌ରେ ହରାଇଥିବା ଉରୁଗୁଏ ସୋମବାର ଆୟୋଜକ ରୁଷିଆକୁ ଏକତରଫା ଭାବେ ୩-୦ରେ ପରାସ୍ତ କରି ଏହି ଅନନ୍ୟ ସଫଳତା ଲାଭ କରିଛି। ନିଜର ପ୍ରଥମ ଦୁଇ ମୁକାବିଲାରେ ସାଉଦି ଆରବକୁ (୫-୦) ଏବଂ ଇଜିପ୍ଟକୁ (୩-୧) ସହଜରେ ହରାଇଥିବା ରୁଷିଆ କିନ୍ତୁ ଆଜି ଉରୁଗୁଏ ନିକଟରେ ଆଶ୍ଚର୍ଯ୍ୟଜନକ ଭାବେ ଆତ୍ମସମର୍ପଣ କରିଥିଲା। ଆତ୍ମଘାତୀ ଗୋଲ୍‌ ଉପହାର ଦେବା ସହ ଉଭୟାର୍ଧରେ ଆଉ ଗୋଟିଏ ଲେଖାଏଁ ଗୋଲ୍‌ ବରଣ କରି ଶୋଚନୀୟ ଭାବେ ପରାଜିତ ହୋଇଥିଲା। ସୋମବାରର ପରାଜୟ ପରେ ପୂର୍ବରୁ ପ୍ରି-କ୍ୱାର୍ଟର ଟିକେଟ ହାସଲ କରି ସାରିଥିବା ରୁଷିଆ ଗ୍ରୁପ୍‌-ଏର ଉପ ବିଜେତା ହୋଇଛି। ଉରୁଗୁଏ ୯ ଏବଂ ଏହି ଦଳ ୬ ପଏଣ୍ଟ ପାଇଛି।
ସୋମବାର ମୁକାବିଲାର ଘଟଣା ବହୁଳ ପ୍ରଥମାର୍ଧରେ ହିଁ ରୁଷିଆ ମ୍ୟାଚ୍‌ ହାତଛଡ଼ା କରି ଦେଇଥିଲା। ନବମ ମିନିଟ୍‌ରେ ବିପଜ୍ଜନକ ଖେଳ ପାଇଁ ରୁଷିଆର ଲୁରି ଗାଜିନସ୍କିଙ୍କୁ ରେଫରି ମ୍ୟାଚ୍‌ର ପ୍ରଥମ ହଳଦିଆ କାର୍ଡ ଦେଖାଇଥିଲେ। ମିନିଟକ ପରେ ଉରୁଗୁଏ ଅଗ୍ରଭାଗ ତାରକା ଲୁଇସ୍‌ ସୁଆରେଜ୍‌ ଏହାର ସୁଯୋଗ ନେଇ ନିଜ ଦଳକୁ ଆଗୁଆ କରି ଦେଇଥିଲେ। ବକ୍ସ ଧାରରୁ ଫ୍ରି-କିକ୍‌ରେ ଗୋଲ୍‌ କରି ସେ ଉରୁଗୁଏ ପାଇଁ ପ୍ରଥମ ଗୋଲ୍‌ ଅର୍ଜନ କରିଥିଲେ। ସେହିଭଳି ୨୩ ମିନିଟ୍‌ରେ ରୁଷିଆର ଡେନିସ୍‌ ଚେରିସେଭ୍‌ ଆତ୍ମଘାତୀ ଗୋଲ୍‌ ଦେବା ପରେ ଉରୁଗୁଏ ସ୍ଥିତି ୨-୦ କରି ନେଇଥିଲା। ଆତ୍ମଘାତୀ ଗୋଲ୍‌ର ୧୩ ମିନିଟ୍‌ ପରେ ରୁଷିଆକୁ ଆଉ ଏକ ଝଟ୍‌କା ଲାଗିଥିଲା। ଇଗୋର ସ୍ମୋଲନିକୋଭ ମ୍ୟାଚ୍‌ର ତୃତୀୟ ଏବଂ ବ୍ୟକ୍ତିଗତ ଭାବେ ଦ୍ୱିତୀୟ ହଳଦିଆ କାର୍ଡ ପାଇଥିଲେ। ୮ ମିନିଟ୍‌ ଭିତରେ (୨୮ ଏବଂ ୩୬ ମିନିଟ) ଦୁଇଟି ହଳଦିଆ କାର୍ଡ ପାଇବାରୁ ରେଫରି ତାଙ୍କୁ ପଡ଼ିଆ ବାହାରକୁ ପଠାଇ ଦେଇଥିଲେ। ସେଥିପାଇଁ ରୁଷିଆ ବଳକା ସମୟ ୧୦ ଜଣରେ ଖେଳିବାକୁ ବାଧ୍ୟ ହୋଇଥିଲା। ତେବେ ପ୍ରଥମାର୍ଧରେ ୧୦ ଜଣିଆ ରୁଷିଆ ଉରୁଗୁଏକୁ ଆଉ ଗୋଲ୍‌ କରିବାକୁ ଦେଇ ନଥିଲା। ଫଳରେ ସେହି ୨-୦ରେ ପ୍ରଥମାର୍ଧ ଶେଷ ହୋଇଥିଲା। ହେଲେ ୧୯୬୬ ମସିହା ପରେ ଉରୁଗୁଏ ପ୍ରଥମ ଥର ପାଇଁ ବିଶ୍ୱକପ୍‌ର କୌଣସି ମ୍ୟାଚ୍‌ର ପ୍ରଥମାର୍ଧରେ ଦୁଇଟି ଗୋଲ୍‌ ଦେଇଥିଲା। ପ୍ରଥମାର୍ଧ ପ୍ରକରଣ ପାଇଁ ଆତ୍ମବିଶ୍ୱାସ ହରାଇ ସାରିଥିବା ରୁଷିଆ ଦ୍ୱିତୀୟାର୍ଧରେ ଆଉ ଏକ ଗୋଲ୍‌ ବରଣ କରିଥିଲା। ଠିକ୍‌ ୯୦ ମିନିଟ୍‌ରେ ଏହି ଗୋଲ୍‌ଟି ଏଡିନସନ୍‌ କାଭାନି ଦେଇଥିଲେ। କ୍ରିଷ୍ଟିଆନ ରୋଡ୍ରିଗେ୍ଵଜଙ୍କ ଜବରଦସ୍ତ ସଟ୍‌କୁ ଇଗୋର ଆକିନଫିଭ୍‌ ଚମତ୍କାର ଢଙ୍ଗରେ ରୋକି ନେଇଥିଲେ। ହେଲେ କର୍ନରକୁ ଗୋଲ୍‌ରେ ରୂପାନ୍ତର କରି କାଭାନି ଏହି କ୍ଷତିକୁ ତୁରନ୍ତ ଭରଣା କରି ନେଇଥିଲେ। ୩ ମିିନିଟ୍‌ ଷ୍ଟପେଜ୍‌ ଟାଇମରେ ରୁଷିଆ ଗୋଲ୍‌ ଖାତା ଖୋଲି ନପାରିବା ପରେ ଉରୁଗୁଏ ୩-୦ର ଏକତରଫା ବିଜୟ ସହ ପୂରା ୯ ପଏଣ୍ଟ ପାଇ ପ୍ରି-କ୍ୱାର୍ଟରକୁ ଯାଇଥିଲା।

ସମ୍ବନ୍ଧିତ ଖବର