ଆମେରିକା, ମେକ୍ସିକୋ ଓ କାନାଡାର ଆୟୋଜନରେ ହେବ ଫିଫା ୨୦୨୬ ବିଶ୍ୱ କପ୍‌

ଭାଗ ନେବେ ୪୮ ଟିମ୍‌, ଫାଇନାଲ ସମେତ ଆମେରିକାରେ ଖେଳାଯିବ ୬୦ଟି ମ୍ୟାଚ୍‌

ମସ୍କୋ: ଫୁଟବଲ ମହାକୁମ୍ଭ ‘ଫିଫା ୨୦୧୬ ବିଶ୍ୱ କପ୍‌’ ୩ଟି ଦେଶର ଯୁଗ୍ମ ଆୟୋଜନରେ ଖେଳାଯିବ। ବ୍ୟୟ ବହୁଳ ଫିଫା ବିଶ୍ୱ କପ୍‌ର ୨୩ତମ ସଂସ୍କରଣ ଆମେରିକା, ମେକ୍ସିକୋ ଓ କାନାଡାର ମିଳିତ ଉଦ୍ୟମରେ ଆୟୋଜନ ହେବ। ୨୯୨୦ ଦିନ ପରେ ହେବାକୁ ଥିବା ବିଶ୍ୱର ବଡ଼ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଏହି ତିନିଟି ଦେଶ ଋଷିଆର ରାଜଧାନୀ ମସ୍କୋରେ ବୁଧବାର ହୋଇଥିବା ଭୋଟରେ ମୋରୋକୋ ବିପକ୍ଷରେ ଭୋଟ ଜିତିଛି। ଉତ୍ତର ଆମେରିକା(ଆମେରିକା, କାନାଡା ଓ ମେକ୍ସିକୋ)କୁ ୧୩୪ ଖଣ୍ଡ ଭୋଟ ମିଳିଥିବା ବେଳେ ମୋରୋକୋକୁ ୬୫ ଖଣ୍ଡ ଭୋଟ ମିଳିଛି।

ଚଳିତ ଜୁନ ୧୪ରୁ ଆରମ୍ଭ ହେବାକୁ ଥିବା ଋଷିଆ ବିଶ୍ୱ କପ୍‌ରେ ୩୨ଟି ଦେଶ ଖେଳୁଥିବା ବେଳେ ବିଶ୍ୱ କପ୍‌ ୨୦୨୬ ଟୁର୍ଣ୍ଣାମେଣ୍ଟ ବ୍ୟୟବହୁଳ ହେବ। ଏଥିରେ ୪୮ଟି ଟିମ୍‌ ଭାଗ ନେବେ। ପ୍ରଥମ ଥର ପାଇଁ ୩ଟି ଦେଶର ମିଳିତ ଆୟୋଜନରେ ଫିଫା ବିଶ୍ୱ କପ୍‌ ଖେଳାଯିବ। ୮୦ଟି ମ୍ୟାଚରୁ କାନାଡାରେ ୧୦ଟି, ମେକ୍ସିକୋରେ ୧୦ଟି ଓ ଆମେରିକାରେ ୬୦ ଟି ମ୍ୟାଚ ଖେଳାଯିବ। ନ୍ୟୁ ଜର୍ସିର ମେଟଲାଇଫ୍‌ ଷ୍ଟାଡିୟମରେ ଖେଳାଯିବ।

ୟୁଏସ୍‌ ସୋସର ଫେଡେରେସନର ସଭାପତି କାର୍ଲୋସ କୋର୍ଡିଏରୋ କହିଛନ୍ତି, ଫିଫା ବିଶ୍ୱ କପ୍‌ ୨୦୨୬ ଆୟୋଜନ କରିବା ପାଇଁ ଆମକୁ ଉତ୍ସାହିତ କରିଥିବାରୁ ଧନ୍ୟବାଦ ଜଣାଉଛି। ସେ କହିଛନ୍ତି, ଏହି ବିଶ୍ୱ କପ୍‌ରୁ ୧୪ ବିଲିୟନ ଡଲାର ରାଜସ୍ୱ ସଂଗ୍ରହ ହେବ। ସେଥିରୁ ୧୧ ବିଲିୟନ ଡଲାର ଫିଫାକୁ ଲାଭ ପହଞ୍ଚାଇବ। ଆମେରିକା ପୂର୍ବରୁ ୧୯୯୪ରେ ଫିଫା ବିଶ୍ୱ କପ୍‌ ଆୟୋଜନ କରିଥିଲା। ୧୯୭୦ ଓ ୧୯୮୬ରେ ମେକ୍ସିକୋରେ ଫିଫା ଓ୍ଵାଲର୍ଡ କପ୍‌ ଖେଳାଯାଇଥିଲା। ସେହିପରି କାନାଡା ପୁରୁଷ ବିଶ୍ୱ କପ୍‌ର ଆୟୋଜନ ହୋଇ ନଥିଲେ ବି ୨୦୧୫ରେ ଅନ୍ତର୍ଜାତୀୟ ମହିଳା ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିଲା। କତାରରେ ୨୦୨୨ରେ ୨୨ତମ ଫିଫା ବିଶ୍ୱ କପ୍‌ ଖେଳାଯିବ।

ସମ୍ବନ୍ଧିତ ଖବର