ନ୍ୟୁୟର୍କ : ୟୁଏସ୍ ଓପନ୍ ଟେନିସ ପ୍ରତିଯୋଗିତାର ପ୍ରଥମ ଦିନରେ ସେଭଳି କୌଣସି ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିନି। ପୁରୁଷ ବର୍ଗରେ ଶୀର୍ଷ ମାନ୍ୟତାପ୍ରାପ୍ତ ନୋଭାକ ଜୋକୋଭିକ, ଷ୍ଟିଫାନସ୍ ସିସିପାସ (ଚତୁର୍ଥ), ଆଲେକଜାଣ୍ଡର ଭେରଭ (ପଞ୍ଚମ), ଡେଭିଡ ଗଫିନ (ସପ୍ତମ) ଆଗକୁ ବଢ଼ିଛନ୍ତି। ସେହିପରି ମହିଳା ବର୍ଗରେ ଶୀର୍ଷ ମାନ୍ୟତାପ୍ରାପ୍ତ କାରୋଲିନା ପ୍ଲିସକୋଭା, ନାଓମି ଓସାକା (ଚତୁର୍ଥ), ପେଟ୍ରା କ୍ବିତୋଭା (ଷଷ୍ଠ), ପୂର୍ବତନ ଶୀର୍ଷ ମାନ୍ୟତା ଖେଳାଳି ଆଞ୍ଜେଲିକ୍ କର୍ବର ପ୍ରଥମ ପର୍ଯ୍ୟାୟ ବାଧା ଅତିକ୍ରମ କରିଛନ୍ତି।
ପୁରୁଷ ଏକକରେ ସର୍ବିୟା ତାରକା ଜୋକୋଭିକ ସିଧାସଳଖ ୬-୧, ୬-୪, ୬-୧ ସେଟ୍ରେ ବୋସନିଆର ଦାମିର ଜୁମୁରଙ୍କୁ, ଗ୍ରିସ୍ର ସିସିପାସ ୬-୨, ୬-୧, ୬-୧ ସେଟ୍ରେ ସ୍ପେନ୍ର ଅଲ୍ବୋର୍ଟ ରାମୋସ-ଭିନୋଲାସଙ୍କୁ, ଜର୍ମାନିର ଭେରଭ ୭-୬, ୫-୭, ୬-୩, ୭-୫ରେ ଦକ୍ଷିଣ ଆଫ୍ରିକାର କେଭିନ ଆଣ୍ଡରସନ୍ଙ୍କୁ, ବେଲ୍ଜିୟମର ଗଫିନ ୭-୬, ୩-୬, ୬-୧, ୬-୪ ସେଟ୍ରେ ଆମେରିକାର ରିଲି ଓପେକାଙ୍କୁ ପରାସ୍ତ କରିଥିଲେ। ମହିଳା ଏକକରେ ଚେକ୍ ଗଣରାଜ୍ୟର ପ୍ଲିସକୋଭା ୬-୪, ୬-୦ ସେଟ୍ରେ ୟୁକ୍ରେନ୍ର ଆନିଲିନା କାଲିନିନାଙ୍କୁ, ଜାପାନ୍ର ଓସାକା ୬-୨, ୫-୭, ୬-୨ ସେଟ୍ରେ ନିଜ ଦେଶର ମିସାକି ଦୋଇଙ୍କୁ, ଚେକ୍ ଗଣରାଜ୍ୟର କ୍ବିତୋଭା ୬-୩, ୬-୨ ସେଟ୍ରେ ରୋମାନିଆର ଇରିନା-କାମଲିଆ ବେଗୁଙ୍କୁ ଏବଂ ସପ୍ତଦଶ ମାନ୍ୟତାପ୍ରାପ୍ତ ଜର୍ମାନିର କର୍ବର ୬-୪, ୬-୪ ସେଟ୍ରେ କ୍ରୋଏସିଆର ଆଜଲା ଟୋମଲଜାନଭିକ୍ଙ୍କୁ ପରାସ୍ତ କରିଥିଲେ।
ନିଦ୍ରାହୀନ ଓ ମାନସିକ କ୍ଲାନ୍ତିରେ ଖେଳାଳି
କରୋନା ମହାମାରୀ ଯୋଗୁଁ ଜୈବ ସୁରକ୍ଷିତ ପରିବେଶରେ ସୋମବାରଠୁ ୟୁଏସ୍ ଓପନ୍ ଟେନିସ ପ୍ରତିଯୋଗିତା ଆରମ୍ଭ ହୋଇଛି। ଜୈବ ବଳୟ ମଧ୍ୟରେ ସୁରକ୍ଷିତ ସତ୍ତ୍ବେ ଖେଳାଳିମାନେ ନିଦ୍ରାହୀନ ଓ ମାନସିକ କ୍ଲାନ୍ତି ଅନୁଭବ କରୁଥିବା ଜଣାପଡ଼ିଛି। ରବିବାର ଫ୍ରାନ୍ସ ତାରକା ବେନୋଇଟ ପିଏରେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ସେ ନିଜେ ସାମାଜିକ ଗଣମାଧ୍ୟମରେ କରୋନା ପଜିଟିଭ ବାହରିଥିବା ବିଷୟରେ ପ୍ରକାଶ କରିଥିଲେ। ଫଳରେ ପ୍ରତିଯୋଗିତାର ଆୟୋଜକ ପିଏରେଙ୍କୁ ଖେଳିବାକୁ ସୁଯୋଗ ଦେଇନଥିଲା। ପିଏରେଙ୍କ କରୋନା ପଜିଟିଭ୍ ସତ୍ତ୍ବେ ଏହି ଦେଶର ଆଣ୍ଡ୍ରିଆନ୍ ମାନାରିନୋ, କ୍ରିସ୍ତିନା ମ୍ଲାଦେନୋଭିକ ଓ ଏଡୁୱାର୍ଡ ରୋଜର ଭାସେଲିନ୍ଙ୍କୁ କରୋନା ନିୟମାବଳୀ ଅନୁଯାୟୀ ଖେଳିବାକୁ ଅନୁମତି ଦିଆଯାଇଥିଲା।
କଡ଼ା କରୋନା ନିୟମାବଳୀରେ ଖେଳି ମାନାରିନୋ ୧-୬, ୪-୬, ୬-୨, ୩-୬ରେ ଇଟାଲିର ଲେରେଞ୍ଜୋ ସୋନେଗୋଙ୍କଠୁ ହାରିଯାଇଥିଲେ। ଏହା ପରେ ସେ କହିଛନ୍ତି ଯେ ମୋତେ ଏଟିପି ଅଧିକାରୀ ଶନିବାର ରାତିରେ କହିଲେ ଯେ ତୁମେ ଘରେ ରହିବା ଆବଶ୍ୟକ। ରବିବାର ଜଣେ ଖେଳାଳିଙ୍କ ପଜିଟିଭ୍ ବାହାରିବାରୁ ତାଙ୍କୁ ଖେଳିବାକୁ ଅନୁମତି ଦିଆଯାଇଥିଲା। ମୁଁ ପ୍ରତିଦିନ ପରୀକ୍ଷା କରୁଛି। ମୋର ପଜିଟିଭ୍ ଅଛି କି ନାହିଁ ମୁଁ ଜାଣିନି। କିନ୍ତୁ ଏହି ଚିନ୍ତାରେ ପ୍ରତିଦିନ ନିଦ୍ରାହୀନ ଓ ମାନସିକ କ୍ଲାନ୍ତିରେ ରହୁଛି ବୋଲି ମାନାରିଓ କହିଛନ୍ତି। ପିଏରେ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଆମେ ୧୦୦ ପ୍ରତିଶତ ନିଶ୍ଚିତ ନୁହଁ। ତାଙ୍କ ପରୀକ୍ଷାରୁ ବହୁଥର ନେଗେଟିଭ୍ ଆସିଥିଲା ବୋଲି ମାନାରିଓ କହିଛନ୍ତି।
ମ୍ଲାଦେନୋଭିକଙ୍କ ଅଭିଯୋଗ ଯେ ଯେଉଁମାନେ ପିଏରେଙ୍କ ସହ ମିଶିଥିଲେ ସେମାନଙ୍କର ପ୍ରତି ୪ ଦିନରେ ଥରେ ହେବାକୁଥିବା ପରୀକ୍ଷା ପ୍ରତିଦିନ ହେଉଛି। ୩୦ ମାନ୍ୟତାପ୍ରାପ୍ତ ମ୍ଲାଦେନୋଭିକ ୭-୫, ୬-୨ ସେଟ୍ରେ ଆମେରିକାର ହାଲି ବାପିଷ୍ଟଙ୍କୁ ହରାଇଥିଲେ।
ଆମେ ନ୍ୟୁୟର୍କ ସିଟି ସ୍ବାସ୍ଥ୍ୟ ବିଭାଗ ନିୟମାବଳୀ ଅନୁଯାୟୀ କାର୍ଯ୍ୟ କରୁଛୁ। କେଉଁ ଖେଳାଳିଙ୍କ ରିପୋର୍ଟ ପଜିଟିଭ୍ ଆସିଛି ତାହାକୁ ସର୍ବସାଧାରଣରେ ପ୍ରକାଶ କରିବାକୁ ଚାହୁନୁ। ସଂପ୍ରତି କଣ୍ଟ୍ରାକ୍ଟ ଟ୍ରେସିଂ ଚାଲିଛି ବୋଲି ଆମେରିକା ଟେନିସ ସଂଘର ମୁଖପାତ୍ର ଏକ ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି।