ଗ୍ରାଣ୍ଡ୍‌ ସ୍ଲାମ୍‌ ଟେନିସ୍‌ ପ୍ରତିଯୋଗିତା ୟୁଏସ୍‌ ଓପନ୍‌ ନୂଆ ବିଜୟିନୀ ଆନ୍ଦ୍ରିସ୍କୁ

ନ୍ୟୁୟର୍କ : ଚଳିତ ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡ୍‌ ସ୍ଲାମ୍‌ ଟେନିସ୍‌ ପ୍ରତିଯୋଗିତା ୟୁଏସ୍‌ ଓପନ୍‌ ଜଣେ ନୂ୍ଆ ବିଜୟିନୀଙ୍କୁ ପାଇଯାଇଛି। କାନାଡାର ୧୯ ବର୍ଷ ବୟସ୍କା ବିଅଙ୍କା ଆନ୍ଦ୍ରିସ୍କୁ ଶନିବାର ବିଳମ୍ବିତ ରାତିରେ ଏହି ମୁକୁଟ ପରିଧାନ କରିଛନ୍ତି। ଏଥି ସହିତ ସେ ରୁଷିଆର ମାରିଆ ସାରାପୋଭାଙ୍କ ପରେ ପ୍ରଥମ ଯୁବା ଖେଳାଳି ଭାବେ ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜୟିନୀ ହେବାର ଗୌରବ ବହନ କଲେ। ୧୯ ବର୍ଷ ବୟସରେ ସାରାପୋଭା ୨୦୦୬ରେ ୟୁଏସ୍‌ ଓପନ୍‌ ଟ୍ରଫି ଜିତିଥିଲା ବେଳେ ୧୯ ବର୍ଷ ୨ ମାସ ବୟସରେ ସ୍ବେତ୍‌ଲାନା କୁଜେଁତ୍ସୋଭା ୨୦୦୪ରେ ୟୁଏସ୍‌ ଓପନ୍‌ ବିଜେତା ହୋଇଥିଲେ। ଶନିବାର ମହିଳା ଏକକ ଫା‌ଇନାଲ୍‌ରେ ପଞ୍ଚଦଶ ମାନ୍ୟତାପ୍ରାପ୍ତ ଏହି କାନାଡା ଯୁବତୀ ସିଧାସଳଖ ୬-୩ ଓ ୭-୫ ସେଟ୍‌ରେ ତାଙ୍କର ପିଲା ଦିନର ଆଦର୍ଶ ତଥା ଏଠାରେ ଅଷ୍ଟମ ମାନ୍ୟତାପ୍ରାପ୍ତ ଶକ୍ତିଶାଳୀ ଆମେରିକୀୟ ତାରକା ସେରେନା ୱିଲିୟମ୍‌ସଙ୍କୁ ପରାସ୍ତ କରି ଚର୍ଚ୍ଚିତ ନାୟିକା ପାଲଟି ଯାଇଛନ୍ତି। ସେରେନାଙ୍କ ବିପକ୍ଷରେ ଏହା ମଧ୍ୟ ଆନ୍ଦ୍ରିସ୍କୁଙ୍କ ଦ୍ବିତୀୟ ବିଜୟ। ଉଭୟଙ୍କ ମଧ୍ୟରେ ଏହା ଦ୍ବିତୀୟ ଥର ମୁହାଁମୁହିଁ ଥିଲା ବେଳେ ପ୍ରଥମ ମୁକାବିଲା ରୋଜର୍ସ କପ୍‌ ଫାଇନାଲ୍‌ରେ ହୋଇଥିଲା। ସେଥିରେ ଆନ୍ଦ୍ରିସ୍କୁ ୩-୧ରେ ଆଗୁଆ ଥିଲା ବେଳେ ସେରେନା ଓହରି ଯାଇଥିଲେ। ହେଲେ ୟୁଏସ୍‌ ଓପନ୍‌ରେ ସେରେନାଙ୍କ ଅଭିଜ୍ଞତା ଆନ୍ଦ୍ରିସ୍କୁଙ୍କୁ ରୋକିବାରେ କିଛି ବି କାମ ଦେଲାନି। ବରଂ ତାଙ୍କୁ ପରାସ୍ତ କରି ପେସାଦାର ଯୁଗରେ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି ଜିତିବାରେ ଆନ୍ଦ୍ରିସ୍କୁ ପ୍ରଥମ କାନାଡା ଖେଳାଳି ହୋଇଥିଲା ବେଳେ ଏହା ମଧ୍ୟ ତାଙ୍କର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି। ଫଳରେ ଏଠା‌ରେ ୬ ଥର ଟ୍ରଫି କରାୟତ କରିସାରିଥିବା ସେରେନାଙ୍କର କିର୍ତ୍ତିମାନ ସମକକ୍ଷ ୨୪ତମ ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜୟ ସ୍ବପ୍ନ ଅଧୁରା ରହିଗଲା। ଅନ୍ୟପକ୍ଷରେ ଗତବର୍ଷ ବିଶ୍ବ ମାନ୍ୟତାରେ ୧୭୮ତମ ସ୍ଥାନରେ ଥିବା ଆନ୍ଦ୍ରିସ୍କୁ ଜୀବନର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି ଜିତିବା ପରେ ଏବେ ପଞ୍ଚମ ସ୍ଥାନକୁ ଲମ୍ଫ ମାରିଛନ୍ତି। ଯାହାକି ସୋମବାର ପ୍ରକାଶିତ ଡବ୍ଲୁଟିଏ ମାନ୍ୟତା ତାଲିକାରେ ସ୍ପଷ୍ଟ ହୋଇଯିବ।

ମାତ୍ର ଚତୁର୍ଥ ଥର ଗ୍ରାଣ୍ଡ୍‌ ସ୍ଲାମ୍‌ ମୁଖ୍ୟ ପ୍ରତିଯୋଗିତାରେ ଆବିର୍ଭାବ ହେବା ପରେ ପ୍ରଥମ ଟ୍ରଫି ଜିତିଛନ୍ତି ଆନ୍ଦ୍ରିସ୍କୁ। ଏ ‌କ୍ଷେତ୍ରରେ ସେ ‌ମୋନିକା ସେଲେସ୍‌ଙ୍କ ସମକକ୍ଷ ହୋଇଛନ୍ତି। ସେଲେସ୍‌ ତାଙ୍କ ଚତୁର୍ଥ ଗ୍ରାଣ୍ଡ୍‌ ସ୍ଲାମ୍‌ ଆବିର୍ଭାବରେ ‌୧୯୯୦ରେ ରୋଲାଁ ଗ୍ୟାରସ୍‌ରେ ହିଁ ପ୍ରଥମ ଟ୍ରଫି କରାୟତ କରିଥିଲେ।

ସେମିଫାଇନାଲ୍‌ରେ ବେଲିନ୍ଦା ବେନ୍‌ସିକ୍‌ଙ୍କୁ ପରାସ୍ତ କରି ଦ୍ବିତୀୟ କାନାଡା ମହିଳା ଭାବେ ସେ ଗ୍ରାଣ୍ଡ୍‌ ସ୍ଲାମ୍‌ ଫାଇନାଲ୍‌ ପ୍ରବେଶ କରିଥିଲେ। ଏହା ପୂର୍ବରୁ କୌଣସି ଗ୍ରାଣ୍ଡ୍‌ ସ୍ଲାମ୍‌ ଫାଇନାଲ୍‌ରେ ପହଞ୍ଚିବାରେ ପ୍ରଥମ କାନାଡା ମହିଳା ଥିଲେ ଇଉଜେନି ବୁଚାର୍ଡ। ବୁଚାର୍ଡ ୨୦୧୪ ୱିମ୍ବିଲଡନ୍‌ ଫାଇନାଲ୍‌ ପ୍ରବେଶ କରିଥିଲେ ମଧ୍ୟ ଉପବିଜୟିନୀରେ ସନ୍ତୁଷ୍ଟ ରହିଥିଲେ।

ସେହିପରି ୨୦୦୯ରେ କାରୋଲିନେ ୱଜ୍‌ନିଆକିଙ୍କ ପରେ ୟୁଏସ୍‌ ଓପନ୍‌ ଫାଇନାଲ୍‌ ଖେଳିବାରେ ଆନ୍ଦିସ୍କୁ ଥିଲେ ପ୍ରଥମ ସର୍ବକନିଷ୍ଠା।

ଜୀବନର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି କରାୟତ କରିଥିବା ଆନ୍ଦ୍ରିସ୍କୁ ଏହା ପୂର୍ବରୁ ଚଳିତ ବର୍ଷ ୩ଟି ଡବ୍ଲୁଟିଏ ଟ୍ରଫି ଜିତିଥିଲେ। ଗତବର୍ଷ ୟୁଏସ୍‌ ଓପନ୍‌ ଯୋଗ୍ୟତା ପର୍ଯ୍ୟାୟ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିବା ଆନ୍ଦ୍ରିସ୍କୁ ଚଳିତ ବର୍ଷ କିନ୍ତୁ ତାଙ୍କଠୁ ଯଥେଷ୍ଟ ଉଚ୍ଚ ମାନ୍ୟତାପ୍ରାପ୍ତ ଖେଳାଳିଙ୍କୁ ମାତ୍‌ ଦେଇ ଟ୍ରଫି ହାସଲ କରିଛନ୍ତି। ଫାଇନାଲ୍‌ରେ ସେରେନାଙ୍କୁ ହରାଇବା ପୂର୍ବରୁ ଆନ୍ଦ୍ରିସ୍କୁ ପ୍ରଥମ ରାଉଣ୍ଡ୍‌ରେ ଆମେରିକାର କାଟି ଭୋଲିନେଟ୍‌ସ (୬-୨, ୬-୪), ଦ୍ବିତୀୟ ରାଉଣ୍ଡ‌ରେ ବେଲ୍‌ଜିୟମ୍‌ର କର୍ଷ୍ଟେନ୍‌ ଫ୍ଲିପ୍‌କେନ୍‌ସ (୬-୩, ୭-୫), ତୃତୀୟ ରାଉଣ୍ଡରେ ଡେନ୍‌ମାର୍କର କାରୋଲିନେ ୱିଜ୍‌ନିଆକି (୬-୪, ୬-୪), ଚତୁର୍ଥ ରାଉଣ୍ଡରେ ଆମେରିକାର ଟେଲର ଟାଉନ୍‌ସେଣ୍ଡ୍‌ (୬-୧, ୪-୬, ୬-୨), କ୍ବାର୍ଟର ଫାଇନାଲ୍‌ରେ ବେଲ୍‌ଜିୟମ୍‌ର ଏଲିସେ ମର୍ତେନ୍‌ସ (୩-୬, ୬-୨, ୬-୩) ଏବଂ ସେମିଫାଇନାଲ୍‌ରେ ସ୍ବିଜରଲାଣ୍ଡ୍‌ର ବେଲିନ୍ଦା ବେନ୍‌ସିକ୍‌ (୭-୬, ୭-୫)ଙ୍କୁ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର