ୟୁଏସ୍ ଓପନ୍: କ୍ବାର୍ଟରରେ ସେରେନା, ମର୍ଟେନ୍ସ

ନ୍ୟୁୟର୍କ: ତୃତୀୟ ସିଡ୍ ତଥା ମହିଳା ଟେନିସ୍‌ର ସବୁଠାରୁ ଧନୀ ଖେଳାଳି ସେରେନା ୱିଲିୟମ୍ସ ଚଳିତ ୟୁଏସ୍ ଓପନ୍‌ର ମହିଳା ଏକକ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ରେକର୍ଡ ୨୪ତମ ଗ୍ରାଣ୍ଡସ୍ଲାମ୍ ବିଜୟ ଅଭିଯାନରେ ଥିବା ଏହି ସ୍ଥାନୀୟ ତାରକା ତଥା ୬ ଥର ୟୁଏସ୍ ଓପନ୍‌ ଟ୍ରଫି ବିଜୟିନୀ ପ୍ରି-କ୍ବାର୍ଟର ମୁକାବିଲାରେ ଗ୍ରିସ୍‌ର ମାରିଆ ସକାରିଙ୍କୁ ୬-୩, ୬-୭ (୬), ୬-୩ରେ ପରାସ୍ତ କରି ଏହି ସଫଳତା ଲାଭ କରିଛନ୍ତି। ତା’ ସହ ସଦର୍ନ ଓ ୱେଷ୍ଟର୍ନ ଓପନ୍ ପ୍ରଥମ ରାଉଣ୍ଡ ପରାଜୟର ମଧୁର ପ୍ରତିଶୋଧ ନେଇଛନ୍ତି। ଏହି ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରୁ ସକାରି ହିଁ ସେରେନାଙ୍କୁ ବିଦାୟର ପଥ ଦେଖାଇଥିଲେ।

ସୋମବାର ସେରେନା ଡବଲ ଫଲ୍ଟରୁ ମୁକାବିଲା ଆରମ୍ଭ କରିଥିଲେ। ପରେ କିନ୍ତୁ ନିଜ ଫର୍ମ ଫେରି ପାଇ ପ୍ରଥମ ସେଟ୍‌କୁ ସହଜରେ ଜିତି ‌ନେଇଥି‌‌ଲେ। ଦ୍ବିତୀୟ ସେଟ୍‌କୁ କିନ୍ତୁ ପଞ୍ଚଦଶ ସିଡ୍ ସକାରି ଜିତି ନେଇ ସ୍ଥିତି ବରାବର କରି ଦେଇଥିଲେ। ତେବେ ତୃତୀୟ ତଥା ନିର୍ଣ୍ଣାୟକ ସେଟ୍‌କୁ ୩ ପଏଣ୍ଟ୍‌ ବ୍ୟବଧାନରେ ଜିତି ନେଇ ସେ‌ରେନା କ୍ବାର୍ଟର ଫାଇନାଲ୍ ଟିକେଟ ହାସଲ କରି ନେଇଥିଲେ। ୩୮ ବର୍ଷୀୟା ‌ସେରେନା ଆର୍ଥର ଆସ୍ ଷ୍ଟାଡିୟମରେ ନିଜ ଶତକୀୟ ବିଜୟ ବି ହାସଲ କରିଥିଲେ। କ୍ବାର୍ଟରରେ ସେ ବୁଲଗେରିଆର ସ୍ବିତନା ପିରୋଙ୍କୋଭାଙ୍କୁ ଭେଟିବେ। ସେହିଭଳି ବେଲଜିୟମର ଏଲିସ୍ ମର୍ଟେନ୍ସ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କ୍ବାର୍ଟର ଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ପ୍ରି-କ୍ବାର୍ଟରରେ ସେ ଅନ୍ୟତମ ସ୍ଥାନୀୟ ତାରକା ତଥା ଦ୍ବିତୀୟ ସିଡ୍ ସୋଫିଆ କେନିନଙ୍କୁ ୬-୩, ୬-୩ ସିଧାସଳଖ ସେଟ୍‌ରେ ପରାସ୍ତ କରି ବିଦାୟ ପଥ ଦେଖାଇ ଦେଇଛନ୍ତି। ଷୋଡ଼ଶ ସିଡ୍‌ର ମାନ୍ୟତା ଲାଭ କରିଥିବା ମର୍ଟେନ୍ସ ଏଥିସହିତ ଚଳିତ ବର୍ଷ ୨୩ତମ ବିଜୟ ହାସଲ କରିଛନ୍ତି।

ପୁରୁଷ ଏକକରେ ଦ୍ବିତୀୟ ସିଡ୍ ଡୋମିନିକ ଥିମ୍ କାନାଡାର ଯୁବ ତାରକା ଫେଲିକ୍ସ ଆଲିଆସିମେଙ୍କୁ ୭-୬ (୪), ୬-୧, ୬-୧ରେ ପରାସ୍ତ କରି ଗ୍ରାଣ୍ଡସ୍ଲାମ୍ ଟ୍ରଫି ବିଜୟ ଦିଗରେ ଆଉ ଏକ ପାଦ ଆଗକୁ ବଢ଼ାଇଛନ୍ତି। ଶୀର୍ଷ ସିଡ୍ ନୋଭାକ ଜୋକୋଭିକ୍‌ ଅଯୋଗ୍ୟ ଘୋଷିତ ହେବା ପରେ ଥିମ୍‌ ହିଁ ଚଳିତବର୍ଷର ବିଜେତା ହେବେ ବୋଲି ତାଙ୍କ ପ୍ରଶଂସକ ଆଶା ରଖିଛନ୍ତି। ସେହିଭଳି ରୁଷିଆର ତୃତୀୟ ସିଡ୍ ଖେଳାଳି ଡାନିଲ ମେଦ୍‌ଭେଦେଭ୍ ନିଜ ଜୟଯାତ୍ରା ଜାରି ରଖିଛନ୍ତି। ଫ୍ରାନସିସ୍ ତିଆଫୋଇଙ୍କ ବିପକ୍ଷରେ ୬-୪, ୬-୧, ୬-୦ର ଏକତରଫା ବିଜୟ ହାସଲ କରି ସେ ବି କ୍ବାର୍ଟର ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି। ଗତବର୍ଷର ପ୍ରି-କ୍ବାର୍ଟରରେ ମେଦଭେଦେଭ ଶୀର୍ଷ ସିଡ୍ ସ୍ପେନ୍‌ର ରାଫେଲ ନାଦାଲଙ୍କଠାରୁ ହାରି ଯାଇଥିଲେ। ଏବର୍ଷ କିନ୍ତୁ ସେ ସେହି ଭୁଲକୁ ଆଉ ଦୋହରାଇ ନାହାନ୍ତି। ଅଷ୍ଟ୍ରେଲୀୟ ଆଲେକ୍ସ ଡି’ ମିନାଉରଙ୍କ ପାଇଁ କିନ୍ତୁ ସୋମବାର ବେଶ୍ ସ୍ମରଣୀୟ ଥିଲା। କାନାଡାର ଭାସେକ ପସ୍ପିସିଲଙ୍କୁ ୭-୬ (୬), ୬-୩, ୬-୨ରେ ପରାସ୍ତ କରି ସେ ପ୍ରଥମ ଥର ପାଇଁ ୟୁଏସ୍ ଓପନ୍‌ର କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ୨୧ ବର୍ଷୀୟ ମିନାଉର କ୍ବାର୍ଟରରେ ଥିମଙ୍କୁ ଭେଟିବେ। ୨୦୧୮ ମସିହା ପରେ ୟୁଏସ୍ ଓପନ୍‌ କ୍ବାର୍ଟରରେ ପ୍ରବେଶ କରିବାରେ ପ୍ରଥମ ଅଷ୍ଟ୍ରେଲୀୟ ହେବାର ଗୌରବ ଅର୍ଜନ କରିଛନ୍ତି ସେ।

ବୋପାନ୍ନା ବିଦାୟ ନେଲେ
ଚଳିତ ୟୁଏସ୍ ଓପନରୁ ଭାରତର ଅଭିଯାନ ଶେଷ ହୋଇଛି। ପୂର୍ବରୁ ସୁମିତ ନାଗଲ ଓ ଦିଭିଜ ସରଣ ବିଦାୟ ନେଇଥିଲା ବେଳେ ସୋମବାର ରୋହନ ବୋପାନ୍ନା ଓ ତାଙ୍କ ସାଥୀ, କାନାଡାର ଡେନିସ୍ ସାପୋଭାଲଭୋ ପୁରୁଷ ଯୁଗଳର କ୍ବାର୍ଟର ଫାଇନାଲ୍ ମୁକାବିଲାରେ ହାରି ଯାଇଛନ୍ତି। ଏହି ଭାରତ-କାନାଡା ଯୋଡ଼ିଙ୍କୁ ନେଦରଲାଣ୍ଡର ଜିନ୍ ଜୁଲିଏନ ରୋଜର ଓ ରୋମାନିଆର ହୋରିଆ ଟେକାଉ ୭-୫, ୭-୫ ସେଟ୍‌ରେ ପରାସ୍ତ କରିଛନ୍ତି। ଏକ ଘଣ୍ଟା ୨୬ ମିନିଟ୍ ଲଢ଼ିବା ସତ୍ତ୍ବେ ବୋପାନ୍ନା ଓ ସାପୋଭାଲଭୋ ଶେଷରେ ପରାଜିତ ହୋଇଥିଲେ। ଉଭୟ ସେଟ୍‌ରେ ସେମାନେ ଥରେ ଲେଖାଏଁ ନିଜ ସର୍ଭିସ ହରାଇଥିଲେ। ୨୦୧୮ ମସିହାରେ ଉଭୟ ୟୁଏସ୍ ଓପନ୍ ଓ ଫ୍ରେଞ୍ଚ ଓପନ୍‌ର କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିବା ପରେ ଅବଶ୍ୟ ବୋପାନ୍ନାଙ୍କର ବ୍ୟକ୍ତିଗତ ଭାବେ ଏହା ଶ୍ରେଷ୍ଠ ଗ୍ରାଣ୍ଡସ୍ଲାମ୍ ପ୍ରଦର୍ଶନ।

ସମ୍ବନ୍ଧିତ ଖବର