ନ୍ୟୁୟର୍କ: ଭାରତୀୟ ଯୁବ ଟେନିସ୍ ତାରକା ସୁମିତ ନାଗଲଙ୍କ ୟୁଏସ୍ ଓପନ୍ ପଦାର୍ପଣ ସବୁଦିନ ପାଇଁ ସ୍ମରଣୀୟ ହୋଇଯାଇଛି। ସୁମିତ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ ମଧ୍ୟ ପ୍ରତିପକ୍ଷ ତଥା ସ୍ବିଜରଲାଣ୍ଡର ମହାନ ଖେଳାଳି ରୋଜର ଫେଡେରର ତାଙ୍କ ଲଢ଼ୁଆ ଖେଳକୁ ଭୂୟଶୀ ପ୍ରଶଂସା କରିଛନ୍ତି। ତା’ ସହ ସୁମିତଙ୍କ ଭବିଷ୍ୟତ ଉଜ୍ଜ୍ବଳ। ବିଶ୍ବ ଟେନିସ୍ରେ ସେ ସଫଳତାର ନୂଆ ସ୍ତର ଛୁଇଁବେ ବୋଲି ଫେଡେରର ଭବିଷ୍ୟବାଣୀ କରିଛନ୍ତି। ଫେଡେରରଙ୍କ ଭଳି କିମ୍ବଦନ୍ତୀ ଖେଳାଳିଙ୍କଠାରୁ ପ୍ରଶଂସା ପାଇବା ସୁମିତଙ୍କୁ କୌଣସି ବଡ଼ ପ୍ରତିଯୋଗିତା ଜିତିବାଠାରୁ କିଛି କମ୍ ଖୁସୀ ଦେଇନି। ଚଳିତ ୟୁଏସ୍ ଓପନର ପ୍ରଥମ ରାଉଣ୍ଡରେ ସୁମିତ ୨୦ ଗ୍ରାଣ୍ଡସ୍ଲାମ୍ ଟ୍ରଫି ବିଜୟୀ ଫେଡେରରଙ୍କୁ ଭେଟିଥିଲେ। ଏହି ମ୍ୟାଚ୍ ଉପରେ ସମଗ୍ର ଟେନିସ୍ ଜଗତର ନଜର ଥିଲା। ହରିଆଣାର ଝାଝରରେ ଜନ୍ମଗ୍ରହଣ କରିଥିବା ସୁମିତ ଅବଶ୍ୟ ୪-୬, ୬-୧, ୬-୨, ୬-୪ରେ ଫେଡେରରଙ୍କଠାରୁ ହାରି ଯାଇଥିଲେ। ହେଲେ ଫେଡେରରଙ୍କୁ ମ୍ୟାଚ୍ ଜିତିବା ଲାଗି ଦୁଇ ଘଣ୍ଟାରୁ ଅଧିକ ସମୟ ଲଢ଼ିବାକୁ ପଡ଼ିଥିଲା। ବିଶ୍ବ ମାନ୍ୟତାର ୧୯୦ତମ ସ୍ଥାନରେ ଥିବା ସୁମିତ ପ୍ରଥମ ସେଟ୍ରେ ଫେଡେରରଙ୍କୁ କଡ଼ା ଟକ୍କର ଦେଇଥିଲେ। ଏପରିକି ସେହି ସେଟ୍କୁ ୬-୪ ପଏଣ୍ଟ ବ୍ୟବଧାନରେ ଜିତି ନେଇଥିଲେ। ୟୁଏସ୍ ଓପନର ମୁଖ୍ୟ ଡ୍ର’ରେ ଗୋଟିଏ ସେଟ୍ ଜିତିବାରେ ଗତ ଦୁଇ ଦଶନ୍ଧି ମଧ୍ୟରେ ସେ ପ୍ରଥମ ଭାରତୀୟ ହୋଇଥିଲେ। ୨୦୧୬ ମସିହାରେ ଭାରତୀୟ ଡେଭିସ୍ କପ୍ ଦଳରେ ପ୍ରଥମ ଥର ପାଇଁ ସ୍ଥାନ ପାଇଥିବା ସୁମିତ ଗତ ୨୫ ବର୍ଷ ମଧ୍ୟରେ ସର୍ବକନିଷ୍ଠ ଖେଳାଳି ଭାବେ କୌଣସି ଗ୍ରାଣ୍ଡସ୍ଲାମର ଯୋଗ୍ୟତା ଅର୍ଜନ କରିଥିଲେ। ଯୋଗ୍ୟତା ପର୍ଯ୍ୟାୟରେ ବ୍ରାଜିଲର ଜାଓ ମେନେଜେସଙ୍କୁ ହରାଇ ସୁମିତ ଚଳିତ ୟୁଏସ୍ ଓପନର ମୁଖ୍ୟ ଡ୍ର’ରେ ସ୍ଥାନ ପାଇଥିଲେ। ଏହା ପୂର୍ବରୁ ସେ ୨୦୧୫ରେ ୱିମ୍ବଲଡନ୍ ଓପନର ବାଳକ ଯୁଗଳ ଟ୍ରଫି ଜିତିଥିଲେ। ୟୁଏସ୍ ଓପନର ପ୍ରଥମ ରାଉଣ୍ଡରେ ହାରି ଯାଇଥିଲେ ମଧ୍ୟ ସୁମିତ ୫୮୦୦୦ ଡଲାର ବା ପାଖାପାଖି ୪୧ ଲକ୍ଷ ଟଙ୍କା ପକେଟସ୍ଥ କରିଛନ୍ତି। ନାଗଲଙ୍କୁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ଦାତବ୍ୟ ଅନୁଷ୍ଠାନ ପିଲାବେଳୁ ଆର୍ଥିକ ସହାୟତା ଦେଇ ଆସୁଛି। ସୋମବାର ଅନ୍ୟତମ ଭାରତୀୟ ପ୍ରଜ୍ଞେସ୍ ଗୁଣେଶ୍ବରନ୍ ମଧ୍ୟ ନିଜ ପ୍ରଥମ ରାଉଣ୍ଡ ମୁକାବିଲା ହାରି ବିଦାୟ ନେଇଥିଲେ।
ଫେଡେରରଙ୍କୁ ଘେଣଇଲେ ସୁମିତ, ଗୋଟିଏ ସେଟ୍ ଜିତିବାରେ ୨୦ ବର୍ଷ ମଧ୍ୟରେ ଚତୁର୍ଥ ଭାରତୀୟ
/sambad/media/post_attachments/wp-content/uploads/2019/08/bgsfhbfsbsbfsbfs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)