ୟୁଏସ୍‌ ଓପନ୍‌ରେ ‘ଅରିଜିନାଲ୍‌ ୯’ ସମ୍ବର୍ଦ୍ଧିତ

ନ୍ୟୁୟର୍କ : ଟେନିସ୍‌ରେ ସମାନତା ଆଣିଥିବା ୯ ଜଣିଆ ଦଳ ସହ ଥିବା କିଂବଦନ୍ତି ବିଲି ଜିନ୍‌ କିଙ୍ଗ୍‌ ଏବଂ ଅନ୍ୟ ୫ ଖେଳାଳିଙ୍କୁ ଗୁରୁବାର ୟୁଏସ୍‌ ଓପନ୍‌ରେ ସମ୍ବର୍ଦ୍ଧିତ କରାଯାଇଛି। ଏଥିସହ ଏମାନଙ୍କୁ ମୁଦ୍ରିକା ଉପହାର ମଧ୍ୟ ଦିଆଯାଇଛି। ୫୧ ବର୍ଷ ତ‌ଳେ ଜିନ୍‌ କିଙ୍ଗଙ୍କ ସହ ତାଙ୍କ ଆମରିକା ସାଥୀ ଖେଳାଳି ‌ରୋସି କାସାଲ୍ସ, ଜୁଲି ହେଲ୍ଡମାନ, କ୍ରିଷ୍ଟି ପିଜିଅନ, ନାନ୍‌ସି ରିଚି, ପିଚେସ୍‌ ବାର୍ତକୋୱିଜ, ଭାଲେରି ଜିଗେନଫୁସ ଏବଂ ଅଷ୍ଟ୍ରେଲିଆର ଜୁଡ଼ି ଟେଗାର୍ତ ଡାଲଟନ୍‌ ଓ କେରି ମେଲଭିଲ୍‌ ରିଡ୍‌ ୧ ଡଲାରରେ ଚୁକ୍ତି କରି ମହିଳା ଟେନିସ ଆରମ୍ଭ କରିଥିଲେ। ତେଣୁ ଏମାନେ ‘ଅରିଜିନାଲ୍‌ ୯’ ଭାବେ ପରିଗଣିତ। ୧୯୭୦ ସେପ୍ଟେମ୍ବର ମାସରେ ଏହି ଚୁକ୍ତି ହୋଇଥିଲା। ‘‘ଏକ ସ୍ବତନ୍ତ୍ର ଉତ୍ସବରେ ‘ଅରିଜିନାଲ୍‌ ୯’ଙ୍କୁ ‌ଟେନିସ ହଲ୍‌ ଅଫ୍‌ ଫେମ୍‌ ମୁଦ୍ରିକା ଦେଇ ସମ୍ବର୍ଦ୍ଧିତ କରାଯାଇଛି। ଖେଳରେ ସମାନତା ଆଣିଥିବାରୁ ଧନ୍ୟବାଦ’ ବୋଲି ୟୁଏସ୍‌ ଟେନିସ୍‌ ପକ୍ଷରୁ ଟ୍ବିଟରରେ ପ୍ରକାଶ କରାଯାଇଛି। ‘ଅରିଜିନାଲ୍‌ ୯’ର ସଦସ୍ୟ ଥିବା ଅନ୍ୟ ୫ ଖେଳାଳିଙ୍କ ସହ ସମ୍ବର୍ଦ୍ଧିତ ‌ବେଳର ‌ଫଟୋକୁ ମଧ୍ୟ ଜିନ୍‌ କିଙ୍ଗ୍‌ ନିଜ ଟ୍ବିଟର୍‌ ପୃଷ୍ଠାରେ ସେୟାର କରିଥିଲେ। ଏହାର ଶିରୋନାମାରେ ଲେଖିଥିଲେ ଯେ ‘‘ପେସାଗତ ମହିଳା ଟେନିସରେ ଖେଳିବା ଲାଗି ୧୯୭୦ ମସିହା ସେପ୍ଟେମ୍ବରରେ ପ୍ରଥମ ଥର ଲାଗି ୧ ଡଲାରରେ ଚୁକ୍ତି କରିଥିବା ‘ଅରିଜିନାଲ ୯’ ମଧ୍ୟରେ ଆମେ ୬ ଜଣ ଥିଲୁ। ଆଜି ରାତିରେ ସମ୍ବର୍ଦ୍ଧିତ କରିଥିବାରୁ ୟୁଏସ୍‌ ଓପନ୍‌ ଆୟୋଜକଙ୍କୁ ଧନ୍ୟବାଦ।’’

ସମ୍ବନ୍ଧିତ ଖବର