ୟୁଏସ୍‌ ଓପନ୍‌: ଟ୍ରଫି ପାଇଁ ଲଢ଼ିବେ ଆଲ୍‌କାରାଜ-ରୁଡ୍‌

ରାମ-ସାଲିସବରିଙ୍କୁ ପୁରୁଷ ଯୁଗଳ ଟ୍ରଫି

ନ୍ୟୁୟର୍କ: ସ୍ପେନ୍‌ର ଯୁବ ତାରକା କାର୍ଲୋସ୍‌ ଅାଲ୍‌କାରାଜ ଏବଂ ନରୱେର କାସ୍‌ପର ରୁଡ୍‌ ଚଳିତ ବର୍ଷର ୟୁଏସ୍‌ ଓପନ୍‌ ପୁରୁଷ ଏକକ ଟ୍ରଫି ପାଇଁ ଲଢ଼ିବେ। ଉଭୟେ ଶନିବାର ନିଜ ନିଜର ସେମିଫାଇନାଲ୍‌ ମୁକାବିଲା ଜିତି ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିଛନ୍ତି। ଏଠାରେ ତୃତୀୟ ମାନ୍ୟତାପ୍ରାପ୍ତ ୧୯ ବର୍ଷ ବୟସ୍କ ଆଲ୍‌କାରାଜ ସଂଘର୍ଷପୂର୍ଣ୍ଣ ୫ ସେଟ୍‌ ମୁକାବିଲାରେ ୨୨ ମାନ୍ୟତାପ୍ରାପ୍ତ ଆମେରିକାର ଫ୍ରାନ୍‌ସେସ୍‌ ତିଆଫୋଇଙ୍କୁ ୬-୭, ୬-୩, ୬-୧, ୬-୭ ଓ ୬-୩ ସେଟ୍‌ରେ ପରାସ୍ତ କରି ପ୍ରଥମ ଥର କୌଣସି ଗ୍ରାଣ୍ଡ୍‌ସ୍ଲାମ୍‌ ଫାଇନାଲ୍‌ରେ ପହଞ୍ଚିଯାଇଛନ୍ତି। ଏଥି ସହିତ ୧୯ ବର୍ଷ ପରେ ଆମେରିକାକୁ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି ଭେଟିଦେବାର ତିଆଫୋଇଙ୍କ ସ୍ବପ୍ନକୁ ଧୂଳିସାତ୍‌ କରିଦେଇଥିଲେ। କାରଣ କୌଣସି ଆମେରିକୀୟ ତାରକା ୨୦୦୩ ପରଠାରୁ ଗ୍ରାଣ୍ଡ୍‌ସ୍ଲାମ୍‌ ଟ୍ରଫି ଜିତିବାରେ ସମର୍ଥ ହୋଇନାହାନ୍ତି। ଆଣ୍ଡି ରଡିକ୍‌ ଶେଷ ଆମେରିକୀୟ ଭାବେ ଏଠାରେ ଟ୍ରଫି ଜିତିଥିଲା ବେଳେ ଏଥର ତିଆଫୋଇଙ୍କ ଉପରେ ଆମେରିକାର ଭରସା ରହିଥିଲା। ସେ ମଧ୍ୟ ପ୍ରଥମ କୃଷ୍ଣକାୟ ଆମେରିକା ତାରକା ଭାବେ ୧୯୭୨ ମସିହା ପରେ ୟୁଏସ୍‌ ଓପନ୍‌ ପୁରୁଷ ଏକକ ସେମିଫାଇନାଲ୍‌ରେ ପହଞ୍ଚିଥିଲେ।

ଅନ୍ୟପକ୍ଷରେ ତିଆଫୋଇଙ୍କୁ ପରାସ୍ତ କରିଥିବା ଆଲ୍‌କାରାଜ ଯଦି ଫାଇନାଲ୍‌ରେ ରୁଡ୍‌ଙ୍କୁ ପରାସ୍ତ କରନ୍ତି, ପ୍ରଥମ ଥର ଗ୍ରାଣ୍ଡ୍‌ସ୍ଲାମ୍‌ ବିଜେତା ହେବା ସାଙ୍ଗକୁ ସର୍ବକନିଷ୍ଠ ଖେଳାଳି ଭାବେ ବିଶ୍ବ ମାନ୍ୟତାର ଏକ ନମ୍ବର ଆସନ ମଧ୍ୟ ଅଳଂକୃତ କରିନେବେ। ଏକ୍ଷେତ୍ରରେ ସେ ଅଷ୍ଟ୍ରେଲିଆର ଲିଟନ୍‌ ହେୱିଟ୍‌ଙ୍କ କୀର୍ତ୍ତିମାନକୁ ପଛରେ ପକାଇଦେବେ। ହେୱିଟ୍‌ ୨୦ ବର୍ଷ ବୟସରେ (୨୦୦୧ ମସିହା) ବିଶ୍ବ ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରିଥିଲେ। ଶୁକ୍ରବାର ରାତିର ଅନ୍ୟ ସେମିଫାଇନାଲ୍‌ରେ ପଞ୍ଚମ ମାନ୍ୟତାପ୍ରାପ୍ତ ତଥା ଫ୍ରେଞ୍ଚ୍‌ ଓପନ୍‌ ଫାଇନାଲିଷ୍ଟ ରୁଡ୍‌ ୭-୬, ୬-୨, ୫-୭ ଓ ୬-୨ ସେଟ୍‌ରେ ୨୭ତମ ମାନ୍ୟତାପ୍ରାପ୍ତ ରୁଷିଆ ତାରକା କାରେନ କାଚାନୋଭ୍‌ଙ୍କୁ ପରାସ୍ତ କରି ଟ୍ରଫି ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି। ଦ୍ବିତୀୟ ଥର ପାଇଁ କୌଣସି ଗ୍ରାଣ୍ଡ୍‌ ସ୍ଲାମ୍‌ ଫାଇନାଲ୍‌ରେ ପହଞ୍ଚିଥିବା ରୁଡ୍‌ ଏହା ପୂର୍ବରୁ ଚଳିତ ବର୍ଷ ଏପ୍ରିଲରେ ମିଆମି ଓପନ୍‌ ଫାଇନାଲ୍‌ରେ ସିଧାସଳଖ ସେଟ୍‌ରେ ଆଲ୍‌କାରାଜଙ୍କ ନିକଟରୁ ପରାସ୍ତ ହୋଇଥିଲେ।

ରାମ-ସାଲିସବରିଙ୍କୁ ପୁରୁଷ ଯୁଗଳ ଟ୍ରଫି
ଆମେରିକା-ବ୍ରିଟେନ୍‌ ଯୋଡ଼ି ରାଜୀବ ରାମ ଓ ଜୋଏ ସାଲିସବରି ଚଳିତ ୟୁଏସ୍‌ ଓପନ୍‌ ପୁରୁଷ ଯୁଗଳ ଟ୍ରଫି ଜିତି ନେଇଛନ୍ତି। ଶୁକ୍ରବାର ରାତିରେ ଖେଳାଯାଇଥିବା ଫାଇନାଲ୍‌ରେ ଚତୁର୍ଥ ଥର ପାଇଁ ସାଥୀ ହୋଇଥିବା ଏହି ଶୀର୍ଷ ମାନ୍ୟତାପ୍ରାପ୍ତ ଯୋଡ଼ି ସିଧାସଳଖ ୭-୬ ଓ ୭-୫ ସେଟ୍‌ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ନେଦରଲାଣ୍ଡ୍‌ସ-ବ୍ରିଟେନ୍‌ ଯୋଡ଼ି ୱେସ୍‌ଲି କୁଲ୍‌ହଫ୍‌ ଓ ନେଲ୍‌ ସ୍କୁପ୍ସିଙ୍କୁ ପରାସ୍ତ କରିଥିଲେ। ଫଳରେ ୟୁଏସ୍‌ ଓପନ୍‌ ପୁରୁଷ ଯୁଗଳ ଟ୍ରଫି ବଜାୟ ରଖିବାରେ କେବଳ ଦ୍ବିତୀୟ ଯୋଡ଼ି ହେବାର ଗୌରବ ବହନ କରିଥିଲେ। ଏହା ପୂର୍ବରୁ ୧୯୯୫-୯୬ରେ ପ୍ରଥମ ତଥା ଏକମାତ୍ର ଯୋଡ଼ି ଭାବେ ଅଷ୍ଟ୍ରେଲିଆର ଟଡ୍‌ ଉଡ୍‌ବ୍ରିଜ୍‌ ଓ ମାର୍କ ଉଡ୍‌ଫୋର୍ଡ ହିଁ ଆର୍ଥର ଆସେସ୍‌ ଷ୍ଟାଡିୟମ୍‌ରେ ସଫଳତାର ସହ ଲଗାତାର ଟ୍ରଫି କରାୟତ କରିଥିଲେ।

ସମ୍ବନ୍ଧିତ ଖବର