ୟୁଏସ୍ ଓପନ୍: କ୍ୱାର୍ଟର ଫାଇନାଲ୍‌ରେ ବୋପାନ୍ନା

ଷ୍ଟିଫେନ୍ସଙ୍କୁ ବିଦା କଲେ ସେରେନା, ଚତୁର୍ଥ ରାଉଣ୍ଡରେ ଥିମ୍

ନ୍ୟୁୟର୍କ : ଭାରତୀୟ ଟେନିସ୍ ତାରକା ରୋହନ ବୋପାନ୍ନା ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତାର ପୁରୁଷ ଯୁଗଳ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। କାନାଡାର ଡେନିସ୍ ସାପୋଭଲୋଭଙ୍କୁ ସାଥୀ କରି ଏହି ପ୍ରତିଯୋଗିତା ଖେଳୁଥିବା ବୋପାନ୍ନା ଶନିବାରର ସଂଘର୍ଷପୂର୍ଣ୍ଣ ପ୍ରି-କ୍ବାର୍ଟର ଫାଇନାଲରେ ଜର୍ମାନୀର ଷଷ୍ଠ ସିଡ୍ କେଭିନ୍ କ୍ରାୱିଜ୍ ଓ ଆନ୍ଦ୍ରିଆସ ମାଇଲ୍ସଙ୍କୁ ୪-୬, ୬-୪, ୬-୩ ସେଟ୍‌ରେ ପରାସ୍ତ କରିଥିଲେ। ମ୍ୟାଚ୍ ଏକ ଘଣ୍ଟା ୪୭ ମିନିଟ୍ ଧରି ଚାଲିଥିଲା। ଗୋଟିଏ ସେଟ୍ ପଛରେ ଥାଇ ସୁଦ୍ଧା ପରବର୍ତ୍ତୀ ଦୁଇସେଟ୍ ଜିତି ‌ବୋପାନ୍ନା-ସାପୋଭଲୋଭ ଏକ ରୋମାଞ୍ଚକର ବିଜୟ ହାସଲ କରି ନିଜ ଜୟଯାତ୍ରାକୁ ଅତୁଟ ରଖିଥିଲେ। କ୍ବାର୍ଟର ଫାଇନାଲ୍‌ରେ ଏହି ଭାରତ-କାନାଡା ଯୋଡ଼ି ନେଦରଲାଣ୍ଡ-ରୋମାନିଆ ଯୋଡ଼ି ଜିଲ୍ ଜୁଲିଅନ୍ ରୋଜର ଓ ହୋରିଆ ଟେକାଉଙ୍କୁ ଭେଟିବେ। ବୋପାନ୍ନା ଏକମାତ୍ର ଭାରତୀୟ ଭାବେ ଚଳିତ ବର୍ଷର ୟୁଏସ୍ ଓପନ୍‌ରେ ଅଭିଯାନ ଜାରି ରଖିଛନ୍ତି। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଅନ୍ୟ ଦୁଇ ଭାରତୀୟ ସୁମିତ ନଗଲ ଓ ଦିଭିଜ ସରଣ ବିଦାୟ ନେବା ପରେ ଭାରତୀୟ ଟେନିସ୍ ପ୍ରେମୀଙ୍କ ସବୁ ଆଶା ବୋପାନ୍ନାଙ୍କ ଉପରେ ରହିଛି। ୱାଇଲ୍ଡ କାର୍ଡ ପାଇ ମୁଖ୍ୟ ଡ୍ର’ରେ ସାମିଲ ହୋଇଥିବା ନଗଲ ପ୍ରଥମ ରାଉଣ୍ଡରେ ଚମତ୍କାର ବିଜୟ ହାସଲ କରିଥିଲେ। ତେବେ ଦ୍ବିତୀୟ ରାଉଣ୍ଡରେ ବିଶ୍ବ ମାନ୍ୟତାର ତୃତୀୟ ସ୍ଥାନରେ ଥିବା ଅଷ୍ଟ୍ରିଆର ଡୋମିନିକ ଥିମଙ୍କଠାରୁ ହାରି ବିଦାୟ ନେଇଥିଲେ। ସେପଟେ ସରଣ ଏବଂ ତାଙ୍କ ସର୍ବିୟ ପାର୍ଟନର ନିକୋଲା ସକିକ ପୁରୁଷ ଯୁଗଳର ପ୍ରଥମ ରାଉଣ୍ଡରେ ଅଷ୍ଟମ୍ ସିଡ୍ ନିକୋଲା ମେକଟିକ୍ ଏବଂ ୱେସଲି କୁଲହଫଙ୍କଠାରୁ ହାରିଯାଇଥିଲେ।

ଷ୍ଟିଫେନ୍ସଙ୍କୁ ବିଦା କଲେ ସେରେନା, ଚତୁର୍ଥ ରାଉଣ୍ଡରେ ଥିମ୍
ମହିଳା ଏକକରେ ରେକର୍ଡ ୨୪ତମ ଗ୍ରାଣ୍ଡସ୍ଲାମ୍ ଟ୍ରଫି ବିଜୟ ଲକ୍ଷ୍ୟରେ ଥିବା ସେରେନା ୱିଲିୟମ୍ସ ୨୦୧୭ ବିଜୟିନୀ ନିଜ ଦେଶର ସ୍ଲୋଆନି ଷ୍ଟିଫେନ୍ସଙ୍କୁ ବିଦାୟର ପଥ ଦେଖାଇଥିଲେ। ଏହି ଅଲ୍ ଆମେରିକା ଲଢ଼େଇରେ ସେରେନା ଗୋଟିଏ ସେଟ୍‌ରେ ପଛୁଆ ରହିଥିଲେ। ତଥାପି ନିଜ ଅଭିଜ୍ଞତା ତଥା ଶକ୍ତିଶାଳୀ ସର୍ଭିସରୁ ଲାଭ ଉଠାଇ ପରବର୍ତ୍ତୀ ଦୁଇ ସେଟ୍‌ ସମାନ ବ୍ୟବଧାନରେ ଜିତି ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଥିଲେ। ପ୍ରଥମ ସେଟ୍‌କୁ ୬-୨ରେ ଜିତି ସେରେନାଙ୍କ ଉପରେ ଚାପ ସୃଷ୍ଟି କରିବାକୁ ସକ୍ଷମ ‌ହୋଇଥିବା ଷ୍ଟ‌ିଫେନ୍ସ ପରବର୍ତ୍ତୀ ଦୁଇ ସେଟ୍ ଲଗାତାର ଭାବେ ୨-୬, ୨-୬ରେ ହାରି ତୃତୀୟ ରାଉଣ୍ଡ ଆଗକୁ ବଢ଼ିପାରିନଥିଲେ। କ୍ବାର୍ଟର ଫାଇନାଲରେ ସ୍ଥାନ ସୁରକ୍ଷିତ କରିବା ଲାଗି ସେରେନାଙ୍କୁ ଚତୁର୍ଥ ରାଉଣ୍ଡରେ ପଞ୍ଚଦଶ ସିଡ୍ ମାରିଆ ସକାରିଙ୍କ ମୁକାବିଲା କରିବାକୁ ପଡ଼ିବ। ଗତମାସର ସଦର୍ନ ଏବଂ ୱେଷ୍ଟର୍ନ ଓପନ୍‌ରେ ସକାରି ହିଁ ସେରେନାଙ୍କୁ ପ୍ରଥମ ରାଉଣ୍ଡରେ ପରାସ୍ତ କରି ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ଅବଶ୍ୟ ସେରେନାଙ୍କ ପାଖରେ ଏବେ ସେହି ଅପ୍ରତ୍ୟାଶିତ ପରାଜୟର ପ୍ରତିଶୋଧ ନେବା ସୁଯୋଗ ରହିବ। ଦୁଇଟି ଗ୍ରାଣ୍ଡସ୍ଲାମ୍ ଟ୍ରଫି ବିଜୟିନୀ ବେଲାଋଷର ଅଗ୍ନିସ୍କା ରାଦୱାନସ୍କା ୬-୨, ୬-୩ରେ ଇଗା ସ୍ବାତେକଙ୍କୁ, ଦ୍ବିତୀୟ ସିଡ୍ ‌ସୋଫିଆ କେନିନ ୭-୬ (୩), ୬-୩ରେ ଟ୍ୟୁନିସିଆର ଓପନ ଜାବେୟୁରଙ୍କୁ ପରାସ୍ତ କରି ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଥିଲେ। ପୁରୁଷ ଏକକରେ ଦ୍ବିତୀୟ ସିଡ୍ ଅଷ୍ଟ୍ରିଆର ଡୋମିନକ ଥିମ୍ ୨୦୧୪ ବିଜେତା ମାରିନ ସିଲିକଙ୍କୁ ହରାଇ ଚତୁର୍ଥ ରାଉଣ୍ଡରେ ସ୍ଥାନ ସୁରକ୍ଷିତ କରି ନେଇଥିଲେ। ସେହିଭଳି ରୁଷିଆର ଡାନିଲ ମେଦଭେଦେଭ ଆମେରିକାର ଜେଜେ ଉଲ୍ଫଙ୍କୁ ୬-୩, ୬-୩, ୬-୨ରେ ହରାଇ ତୃତୀୟ ରାଉଣ୍ଡକୁ ଯାଇଥିଲେ।

ସମ୍ବନ୍ଧିତ ଖବର