ନ୍ୟୁୟର୍କ: ବିଶ୍ବ ମାନ୍ୟତାର ଶୀର୍ଷ ତାରକା ନୋଭାକ୍ ଜୋକୋଭିକ୍ କ୍ୟାଲେଣ୍ଡର ସ୍ଲାମ୍ର ଅତି ନିକଟତର ହୋଇଛନ୍ତି। ଚଳିତ ୟୁଏସ୍ ଓପନ୍ ଫାଇନାଲ୍ରେ ପହଞ୍ଚିଥିବା ଏହି ସର୍ବିଆ ତାରକା ଆଉ ଗୋଟିଏ ବିଜୟ ହାସଲ କରିନେଲେ କ୍ୟାରିୟର ସ୍ଲାମ୍ ଅର୍ଜନ କରିବେ। ଏହି ସ୍ବପ୍ନକୁ ଜୋକୋଭିକ୍ ଗତ ଟୋକିଓ ଅଲିମ୍ପିକ୍ସରେ ପୂରଣ କରିପାରିନଥିଲେ। ଟୋକିଓରେ ତାଙ୍କୁ ଭେରେଭ୍ଙ୍କ ନିକଟରୁ ପରାଜୟ ଭୋଗିବାକୁ ପଡ଼ିଥିଲା। ଫଳରେ ତାଙ୍କୁ ଚଳିତ ବର୍ଷର ଅନ୍ତିମ ଗ୍ରାଣ୍ଡ୍ସ୍ଲାମ୍ ୟୁଏସ୍ ଓପନ୍ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ସେ ମଧ୍ୟ ବିଜୟଧାରା ଜାରି ରଖି ୟୁଏସ୍ ଓପନ୍ ପୁରୁଷ ଏକକ ବର୍ଗ ଟ୍ରଫି ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି। ଶୁକ୍ରବାର ସେମିଫାଇନାଲ୍ରେ ଏହି ଶୀର୍ଷ ମାନ୍ୟତାପ୍ରାପ୍ତ ତାରକା ଜର୍ମାନିର ଆଲେକ୍ଜାଣ୍ଡର ଭେରେଭ୍ଙ୍କୁ ସଂଘର୍ଷପୂର୍ଣ୍ଣ ୫ ସେଟ୍ ଲଢ଼େଇରେ ପରାସ୍ତ କରିଥିଲେ। ପ୍ରଥମ ସେଟ୍କୁ ୪-୬ରେ ହାରିବା ପରେ ଜୋକୋଭିକ୍ ୬-୨ ଓ ୬-୪ରେ ଦ୍ବିତୀୟ ଓ ତୃତୀୟ ସେଟ୍କୁ ଜିତି ଅଗ୍ରଣୀ ହାସଲ କରିଥିଲେ। ହେଲେ ଚତୁର୍ଥ ସେଟ୍କୁ ଭେରେଭ୍ ଜିତିନେଇ ମ୍ୟାଚ୍ ନିର୍ଣ୍ଣାୟକ ସେଟ୍କୁ ଟାଣି ନେଇଥିଲେ। ଶେଷରେ ଜୋକୋଭିକ୍ ୬-୨ରେ ଜିତି ମ୍ୟାଚ୍ ନିଜ ପକ୍ଷକୁ ନେଇଯାଇଥିଲେ।
ଏଥି ସହିତ ଜୋକୋଭିକ୍ ମଧ୍ୟ ଭେରେଭ୍ଙ୍କଠୁ ଟୋକିଓ ପରାଜୟର ମଧୁର ପ୍ରତିଶୋଧ ନେଇଗଲେ। ଫାଇନାଲ୍ରେ ପହଞ୍ଚିବା ପରେ ଏବେ ପୁରୁଷ ଏକକ ବର୍ଗରେ କୀର୍ତ୍ତିମାନଭରା ୨୧ତମ ଗ୍ରାଣ୍ଡ୍ସ୍ଲାମ୍ ଟ୍ରଫି ଜିତିବାଠୁ ଜୋକୋଭିକ୍ ମଧ୍ୟ ଗୋଟିଏ ବିଜୟ ଦୂରରେ ରହିଛନ୍ତି। ପୁଣି ଫ୍ଲସି ମିଡୋଜ୍ରେ ଏହା ପୂର୍ବରୁ ତିନିଥର ଟ୍ରଫି ତୋଳି ଧରିଥିବା ଜୋକୋଭିକ୍ ମଧ୍ୟ ଫେଡେରେର୍ଙ୍କ ୩୧ତମ ଗ୍ରାଣ୍ଡ୍ ସ୍ଲାମ୍ ପୁରୁଷ ଏକକ ଫାଇନାଲ୍ ପ୍ରବେଶ କୀର୍ତ୍ତିମାନର ସମକକ୍ଷ ହୋଇଛନ୍ତି। ରବିବାର ଟ୍ରଫି ମୁକାବିଲାରେ ତାଙ୍କୁ ୨୦୧୯ ଉପବିଜେତା ରୁଷିଆର ଡାନିଲ୍ ମେଦ୍ଭେଦେଭ୍ଙ୍କ ସହ ମୁହାଁମୁହିଁ ହେବାକୁ ପଡ଼ିବ। ଚଳିତ ବର୍ଷ ଅଷ୍ଟ୍ରେଲିଆନ୍ ଓପନ୍ ଫାଇନାଲ୍ରେ ଜୋକୋଭିକ୍ଙ୍କଠାରୁ ମେଦ୍ଭେଦେଭ୍ ହାରିଯାଇଥିଲେ। ତେଣୁ ଏଠାରେ ପ୍ରତିଶୋଧ ନେଇ ନିଜ କ୍ୟାରିୟରର ପ୍ରଥମ ବୃହତ୍ ଟ୍ରଫି ଜିତିବାର ଲକ୍ଷ୍ୟ ରଖିଛନ୍ତି ମେଦ୍ଭେଦେଭ୍।
ବିଶ୍ବ ମାନ୍ୟତାର ଦ୍ବିତୀୟ ମେଦ୍ଭେଦେଭ୍ ଶୁକ୍ରବାରର ଅନ୍ୟ ସେମିଫାଇନାଲ୍ରେ ୨୧ ବର୍ଷ ବୟସ୍କ କାନାଡା ତାରକା ଫେଲିକ୍ସ ଅଗୁର ଆଲିଆସିମେଙ୍କୁ ସିଧାସଳଖ ୬-୪, ୭-୫ ଓ ୬-୨ ସେଟ୍ରେ ପରାସ୍ତ କରିଦେଇଛନ୍ତି। ଆଲିଆସିମେଙ୍କର ଏହା ପ୍ରଥମ ଗ୍ରାଣ୍ଡ୍ ସ୍ଲାମ୍ ସେମିଫାଇନାଲ୍ ଥିଲା ବେଳେ ୨ ଘଣ୍ଟାରୁ କମ୍ ସମୟ ନେଇ ୨୦୧୯ ଉପବିଜେତା ମେଦ୍ଭେଦେଭ୍ ମ୍ୟାଚ୍ ଜିତି ନେଇଥିଲେ।