ନ୍ୟୁୟର୍କ: ଚଳିତ ୟୁଏସ୍ ଓପନ୍‌ ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତାରେ ସର୍ବିୟାର ମହାନ ‌ତାରକା ନୋଭାକ ଜୋକୋଭିକଙ୍କ ରେକର୍ଡଭରା ଜୟଯାତ୍ରା ଜାରି ରହିଛି। ଚତୁର୍ଥ ରାଉଣ୍ଡରେ ଜାନ୍ ଲେନାର୍ଡ ଷ୍ଟ୍ରଫ୍‌ଙ୍କୁ ୬-୩, ୬-୩, ୬-୨ରେ ହରାଇ ଏହି ୩୮ବର୍ଷୀୟ ତାରକା ବୟୋଜ୍ୟେଷ୍ଠ ଖେଳାଳି ଭାବେ ଗୋଟିଏ ଋତୁର ଚାରିଟି ଯାକ ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତାର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କରିବାର ବିରଳ ରେକର୍ଡ କରିଛନ୍ତି। ଏହା ପୂର୍ବରୁ ସେ ୟୁଏସ୍ ଓପନ୍‌ର ଚତୁର୍ଥ ରାଉଣ୍ଡ୍‌ରେ ପ୍ରବେଶ କରିବାରେ ବୟୋଜ୍ୟେଷ୍ଠ ଖେଳାଳି ହେବାର ଗୌରବ ଅର୍ଜନ କରିଥିଲେ। ୨୫ତମ ଗ୍ରାଣ୍ଡସ୍ଲାମ୍ ବିଜୟ ଲକ୍ଷ୍ୟରେ ଥିବା ଜୋକୋଭିକଙ୍କର ଏହା ୬୪ତମ ଗ୍ରାଣ୍ଡସ୍ଲାମ୍ କ୍ବାର୍ଟର୍‌ଫାଇନାଲ୍ ପ୍ରବେଶ ଥିଲା। ୩୫ବର୍ଷୀୟ ଜର୍ମାନୀ ତାରକା ଷ୍ଟ୍ରଫ୍‌ଙ୍କୁ ହରାଇବାକୁ ଜୋକୋଭିକ ୧୦୯ ମିନିଟ୍ ସମୟ ନେଇଥିଲେ। ଦ୍ବିତୀୟ ସିଡ୍ କାର୍ଲୋସ୍ ଅଲ୍‌କାରାଜ ମଧ୍ୟ କ୍ବାର୍ଟର୍‌ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି‌ ନେଇଛନ୍ତି। ଚତୁର୍ଥ ରାଉଣ୍ଡ୍‌ରେ ସେ ଫ୍ରାନ୍ସର ଆର୍ଥର ରିଣ୍ଡରକେଞ୍ଚ୍‌ଙ୍କୁ ୭-୬ (୩), ୬-୩, ୬-୪ରେ ହରାଇ ଦେଇଛନ୍ତି। କ୍ବାର୍ଟରରେ ଅଲକାରାଜ୍ ୨୦ତମ ସିଡ୍ ଚେକ୍ ରିପବ୍ଲିକ୍‌ର ଜିରି ଲେହେକାଙ୍କୁ ଭେଟିବେ। ସେହିଭଳି ଆମେରିକାର ଟେଲର ଫ୍ରିଜ୍ ମଧ୍ୟ କ୍ବାର୍ଟର୍‌ଫାଇନାଲ୍‌ରେ ପହଞ୍ଚିଛନ୍ତି। ଚତୁର୍ଥ ରାଉଣ୍ଡ୍‌ରେ ସେ ଚେକ୍ ରିପବ୍ଲିକ୍‌ର ୨୧ତମ ସିଡ୍ ଟୋମାସ ମାଜହାକଙ୍କୁ ୬-୪, ୬-୩, ୬-୩ରେ ପରାସ୍ତ କରିଛନ୍ତି।

Advertisment

ମହିଳା ଏକକରେ ଗତବର୍ଷର ବିଜୟିନୀ ଆରିନା ସାବାଲେଙ୍କା ସ୍ପେନ୍‌ର ଅଣସିଡେଡ୍ ଖେଳାଳି କ୍ରିଷ୍ଟିନା ବୁସ୍କାଙ୍କୁ ୬-୧, ୬-୪ରେ ପରାସ୍ତ କରି କ୍ବାର୍ଟରଫାଇନାଲ୍‌ରେ ସ୍ଥାନ ପକ୍କା କରି ନେଇଛନ୍ତି। ଫଳରେ ଚଳିତବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟ୍ରଫି ବିଜୟ ଆଶାକୁ ଉଜ୍ଜୀବିତ ରଖିଛନ୍ତି। ବିଶ୍ବ ମାନ୍ୟତାର ପ୍ରଥମ ସ୍ଥାନ‌ରେ ଥିବା ସାବାଲେଙ୍କା ଏହା ପୂର୍ବରୁ ଚଳିତବର୍ଷର ଅଷ୍ଟ୍ରେଲିଆନ୍ ଓ ଫ୍ରେଞ୍ଚ୍ ଓପନ୍‌ର ଫାଇନାଲ୍‌ରେ ପ୍ରବେଶ କରିଥ‌ିଲେ। ‌ହେଲେ ସେଠାରେ ପରାଜିତ ହୋଇ ଉପବିଜୟିନୀରେ ସନ୍ତୁଷ୍ଟ ରହିଥିଲେ। ଚତୁର୍ଥ ସିଡ୍ ଆମେରିକାର ଜେସିକା ପେଗୁଲା ନିଜ ଦେଶର ଆନ୍ ଲି’ଙ୍କୁ ୬-୧, ୬-୨ରେ ହରାଇ ନିଜ ଅଭିଯାନ ଜାରି ରଖିଛନ୍ତି। ଗତବର୍ଷ ଏଠାରେ ଉପବିଜୟିନୀ ହୋଇଥିବା ପେଗୁଲା ଏଥର ବିଜୟିନୀ ହେବାକୁ ଲକ୍ଷ୍ୟ ରଖିଛନ୍ତି। 

ବାଳିକା ବର୍ଗ ଦ୍ବିତୀୟ ରାଉଣ୍ଡ୍‌ରେ ମାୟା
ଭାରତର ମାୟା ରାଜେଶ୍ବରନ୍ ରେବତୀ ବାଳିକା ବର୍ଗର ଦ୍ବିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି। ତେବେ ବାଳକରୁ ଅନ୍ୟ ଦୁଇ ଭାରତୀୟ ହିତେଶ ଚୌହ୍ବାନ  ଓ କ୍ରିସ୍ ତ୍ୟାଗୀ ପ୍ରଥମ ରାଉଣ୍ଡ୍‌ରୁ ବିଦାୟ ନେଇଛନ୍ତି। ତାମିଲନାଡ଼ୁର କୋଏମ୍ବାଟୁର ବାସିନ୍ଦା ୧୬ବର୍ଷୀୟା ମାୟା ୭-୬, ୭-୫, ୬-୩ ସେଟ୍‌ରେ ଚୀନ୍‌ର ଝାଙ୍ଗ ଇଆନ ୱେଇଙ୍କୁ ହରାଇଛନ୍ତି। ସ୍ପେନ୍‌ର କିଂବଦନ୍ତି ଟେନିସ୍‌ ତାରକା ରାଫେଲ ନାଦାଲଙ୍କ ମାଲୋର୍କାସ୍ଥିତ ଏକାଡେମିରେ ପ୍ରଶିକ୍ଷଣ ନେଉଥିବା ମାୟା ଏହି ମ୍ୟାଚ୍‌ ଜିତିବାକୁ ଦେଢ଼ ଘଣ୍ଟାରୁ କିଛି ମିନିଟ୍ ଅଧିକ ସମୟ ନେଇଥିଲେ। ଦ୍ବିତୀୟ ରାଉଣ୍ଡ୍‌ରେ ସେ ବ୍ରିଟେନ୍‌ର ହନ୍ନା କ୍ଲୁଗମ୍ୟାନ୍‌ଙ୍କୁ ଭେଟିବେ। ବାଳକ ବର୍ଗରୁ ବିଦାୟ ନେବା ପରେ ହିତେଶ ଓ କ୍ରିସ୍ ଯୁଗଳ ବର୍ଗରେ ପ୍ରତିଦ୍ବନ୍ଦ୍ବିତା କରି ଆଗକୁ ବଢ଼ିବାକୁ ଚେଷ୍ଟା କରିବେ।