ନ୍ୟୁୟର୍କ : ୟୁଏସ୍ ଓପନ୍ ଗ୍ରାଣ୍ଡ୍ସ୍ଲାମ୍ ଟେନିସ୍ ପ୍ରତିଯୋଗିତାର ପ୍ରଥମ ଦିବସରେ ପୂର୍ବତନ ଏକ ନମ୍ବର ମହିଳା ତାରକା ଆମେରିକାର ସେରେନା ୱିଲିୟମ୍ସ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ବେଳେ ପୂର୍ବତନ ଏକ ନମ୍ବର ମହିଳା ସିମୋନା ହାଲେପ, ୨୦୨୦ ବିଜେତା ଡୋମିନିକ୍ ଥିମ୍ ଏବଂ ଚତୁର୍ଥ ମାନ୍ୟତାପ୍ରାପ୍ତ ଷ୍ଟିଫାନସ୍ ସିସିପାସ୍ ପ୍ରଥମ ରାଉଣ୍ଡ ପରାଜୟ ସହ ଆରମ୍ଭରୁ ବିଦାୟ ନେଇଛନ୍ତି। କିନ୍ତୁ ବିଶ୍ବ ମାନ୍ୟତାର ଶୀର୍ଷ ଡାନିଲ ମେଦ୍ଭେଦେଭ୍ ପ୍ରଥମ ରାଉଣ୍ଡ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି।
ମହିଳା ଏକକ ପ୍ରଥମ ରାଉଣ୍ଡରେ ୨୪ ଗ୍ରାଣ୍ଡ୍ସ୍ଲାମ୍ ବିଜୟିନୀ ସେରେନା ୬-୩ ଓ ୬-୩ରେ ମଣ୍ଟେନେଗ୍ରୋର ଦନ୍କା କୋଭିନିକ୍ଙ୍କୁ ପରାସ୍ତ କରିଛନ୍ତି। ଏଥି ସହିତ ନିଜ କ୍ୟାରିୟରର ୨୧ତମ ୟୁଏସ୍ ଓପନ୍ ଖେଳୁଥିବା ସେରେନା ପ୍ରଥମ ରାଉଣ୍ଡରେ ଅପରାଜେୟ ଧାରାକୁ ଲମ୍ବାଇଛନ୍ତି। ଫ୍ଲସିଂ ମିଡୋଜ୍ରେ ୧୦୬ତମ ମ୍ୟାଚ୍ ବିଜୟ ହାସଲ କରିଛନ୍ତି। ଅନ୍ୟ ମ୍ୟାଚ୍ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଇସ୍ତୋନିଆ ତାରକା ଆନେଟ କୋଣ୍ଟାଭିଟ୍ ଜାକ୍ଲିନ୍ କ୍ରିଷ୍ଟିଆନ୍ଙ୍କୁ ୬-୩ ଓ ୬-୦ରେ ଏବଂ ଆମେରିକାର କୋକୋ ଗଫ୍ ଫ୍ରାନ୍ସର ଲିଓଲିଆ ଜିନ୍ଜିନ୍ଙ୍କୁ ୬-୨ ଓ ୬-୩ରେ ପରାସ୍ତ କରି ପ୍ରଥମ ଥର ଲାଗି ଏଠାରେ ପ୍ରଥମ ରାଉଣ୍ଡ ଜିତି ନେଇଛନ୍ତି। ତେବେ ୨ ଥର ଗ୍ରାଣ୍ଡ୍ସ୍ଲାମ୍ ବିଜୟିନୀ ରୋମାନିଆର ସିମୋନା ହାଲେପ ୨-୬, ୬-୦ ଓ ୪-୬ରେ ୟୁକ୍ରେନ୍ ଲଳନା ଦାରିଆ ସ୍ନିଗୁରଙ୍କ ନିକଟରୁ ହାରି ବିଦାୟ ନେଇଛନ୍ତି।
ପୁରୁଷ ଏକକ ପ୍ରଥମ ରାଉଣ୍ଡରେ ଅଷ୍ଟ୍ରେଲିଆ ତାରକା ଡୋମିନିକ୍ ଥିମ୍ଙ୍କୁ ସ୍ପେନ୍ ତାରକା ପାବ୍ଲୋ କାରେନୋ ବୁଷ୍ଟା ୭-୫, ୬-୧, ୫-୭ ଓ ୬-୩ ସେଟ୍ରେ ଏବଂ ଗ୍ରିସ୍ ତାରକା ଷ୍ଟିପାନସ୍ ସିସିପାସ୍ଙ୍କୁ ଯୋଗ୍ୟତାପର୍ଯ୍ୟାୟ ଖେଳାଳି କଲମ୍ବିଆର ଡାନିଏଲ୍ ଇଲାହି ଗାଲାନ ୬-୦, ୬-୧, ୩-୬ ଓ ୭-୫ ସେଟ୍ରେ ପରାସ୍ତ କରି ସଅଳ ବିଦାୟ ରାସ୍ତା ଦେଖାଇ ଦେଇଛନ୍ତି। ତେବେ ଶୀର୍ଷ ମାନ୍ୟତାପ୍ରାପ୍ତ ପୁରୁଷ ତାରକା ରୁଷିଆର ମେଦ୍ଭେଦେଭ୍ ୬-୨, ୬-୪ ଓ ୬-୦ରେ ଆମେରିକାର ଷ୍ଟିଫାନ କୋଜ୍ଲୋଭ୍ଙ୍କୁ ପରାସ୍ତ କରି ଟ୍ରଫି ହାସଲ ଦିଗରେ ଅଗ୍ରସର ହୋଇଛନ୍ତି। ୟିବିଙ୍ଗ୍ ୟୁଉ ଚୀନ୍ ପାଇଁ ପୁରୁଷ ଗ୍ରାଣ୍ଡ୍ ସ୍ଲାମ୍ ମ୍ୟାଚ୍ ଜିତିବାର ୬୩ ବର୍ଷ ଧରି ପ୍ରତୀକ୍ଷାର ଅନ୍ତ ଘଟାଇଛନ୍ତି। ୟିବିଙ୍ଗ୍ ପ୍ରଥମ ରାଉଣ୍ଡରେ ଜର୍ଜିଆର ନିକୋଲୋଜ୍ ବାସିଲାସ୍ଭିଲିଙ୍କୁ ୬-୩, ୬-୪ ଓ ୬-୦ ସେଟ୍ରେ ପରାସ୍ତ କରିଛନ୍ତି।