ୟୁଏସ୍‌ ଓପନ୍‌: ଓସାକା, ସିସିପାସ୍‌, ରୁବ୍‌ଲେଭ୍‌ଙ୍କ ବିଦାୟ

ଚତୁର୍ଥ ରାଉଣ୍ଡରେ ମେଦ୍‌ଭେଦେଭ୍‌, କର୍ବର, ହାଲେପ୍‌

ନ୍ୟୁୟର୍କ: ଏଠାରେ ଦୁଇ ଥର ବିଜୟିନୀ ନାଓମି ଓସାକା ଏବଂ ତୃତୀୟ ମାନ୍ୟତାପ୍ରାପ୍ତ ‌ଷ୍ଟିଫାନୋସ୍‌ ସିସିପାସ୍‌ ଚଳିତ ବର୍ଷର ଅନ୍ତିମ ଗ୍ରାଣ୍ଡ୍‌ସ୍ଲାମ୍‌ ୟୁଏସ୍‌ ଓପନ୍‌ ମହିଳା ଓ ପୁରୁଷ ଏକକ ବର୍ଗରୁ ଦୁଃଖଦ ବିଦାୟ ନେଇଛନ୍ତି। ଶୁକ୍ରବାର ତୃତୀୟ ରାଉଣ୍ଡରେ ଉଭୟ ପରାଜୟର ସାମ୍‌ନା କରିଥିଲେ। ଜାପାନ ଲଳନା ଓସାକା ମହିଳା ଏକକର ଏହି ରାଉଣ୍ଡ୍‌ରେ ୧୮ ବର୍ଷ ବୟସ୍କା କାନାଡାର ଲିଲା ଫର୍ନାଣ୍ଡେଜ୍‌ଙ୍କଠାରୁ ୭-୫, ୬-୭ ଓ ୪-୬ ସେଟ୍‌ରେ ହାରି ଟ୍ରଫି ଆଶା ହରାଇଲେ। ଚଳିତ ବର୍ଷ ଫ୍ରେଞ୍ଚ୍‌ ଓପନ୍‌ରୁ ଓହରିଯିବା ପରେ ନିଜର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଖେଳୁଥିବା ତୃତୀୟ ମାନ୍ୟତାପ୍ରାପ୍ତ ଓସାକା ଶୁକ୍ରାବର ମ୍ୟାଚ୍‌ ବେଳେ ଏତେଟା ହତୋତ୍ସାହିତ ହୋଇପଡ଼ିଥିଲେ ଯେ ତାଙ୍କୁ ରୢାକେଟ୍‌ ଫିଙ୍ଗିବା ସାଙ୍ଗକୁ ଦୁଇ ଥର କୋର୍ଟକୁ ପ୍ରହାର କରୁଥିବା ଦେଖାଯାଇଥିଲା। ତେବେ ତାଙ୍କୁ କୌଣସି ଚେତାବନୀ ଦିଆଯାଇନିଲା।

ଅନ୍ୟପକ୍ଷରେ ପୁରୁଷ ଏକକ ତୃତୀୟ ରାଉଣ୍ଡ୍‌ ମୁକାବିଲାରେ ଗ୍ରିକ୍‌ ତାରକା ସିସିପାସ୍‌ ୫ ସେଟ୍‌ ଧରି ପ୍ରବଳ ସଂଘର୍ଷ କରିବା ସତ୍ତ୍ବେ ୧୮ ବର୍ଷ ବୟସ୍କ ସ୍ପେନ୍‌ ଯୁବ ତାରକା କାର୍ଲୋସ୍‌ ଆଲ୍‌କାରାଜ୍‌ଙ୍କଠାରୁ ୩-୬, ୬-୪, ୬-୭, ୬-୦ ଓ ୬-୭ ସେଟ୍‌ରେ ହାରି ବିଦାୟ ନେଇଥିଲେ। ଏଥି ସହିତ କାର୍ଲୋସ୍‌ ମଧ୍ୟ ୧୯୯୨ ପରେ ସର୍ବକନିଷ୍ଠ ପୁରୁଷ ଖେଳାଳି ଭାବେ କୌଣସି ଗ୍ରାଣ୍ଡ୍‌ସ୍ଲାମ୍‌ ଚତୁର୍ଥ ରାଉଣ୍ଡ୍‌ରେ ପ୍ରବେଶ କରିବାର ଗୌରବ ବହନ କରିଛନ୍ତି। ଶେଷଥର ପାଇଁ ୧୯୯୨ ରୋଲାଁ ଗ୍ୟାରସ୍‌ରେ ଆନ୍ଦ୍ରେଇ ମେଦ୍‌ଭେଦେଭ୍‌ ୧୭ ବର୍ଷ ବୟସରେ ଚତୁର୍ଥ ରାଉଣ୍ଡ୍‌ ପହଞ୍ଚିବାରେ ସବର୍କନିଷ୍ଠ ପୁରୁଷ ଖେଳାଳି ଥିଲେ। ଶୁକ୍ରବାର ଏହି ଉଚ୍ଚ ମାନ୍ୟତାପ୍ରାପ୍ତ ଦୁଇ ଖେଳାଳିଙ୍କ ବିଦାୟ ବ୍ୟତୀତ ଶନିବାର ପୁରୁଷ ଏକକରେ ପଞ୍ଚମ ମାନ୍ୟତାପ୍ରାପ୍ତ ରୁଷୀୟ ତାରକା ଆନ୍ଦ୍ରେ ରୁବ୍‌ଲେଭ୍‌ ମଧ୍ୟ ବିଦାୟ ରାସ୍ତା ଦେଖିଛନ୍ତି। ସଂଘର୍ଷପୂର୍ଣ୍ଣ ୫ ସେଟ୍‌ ତୃତୀୟ ରାଉଣ୍ଡ୍‌ ମୁକାବିଲାରେ ତାଙ୍କୁ ଆମେରିକାର ଫ୍ରାନ୍‌ସିସ୍‌ ତିଆଫୋଇ ୪-୬, ୬-୩, ୭-୬, ୪-୬ ଓ ୬-୧ରେ ପରାସ୍ତ କରିଦେଇଥିଲେ।

ତେବେ ପୁରୁଷ ଏକକରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ରୁଷିଆର ଡାନିଲ୍‌ ମେଦ୍‌ଭେଦେଭ୍‌, ଏକାଦଶ ମାନ୍ୟତାପ୍ରାପ୍ତ ଡିଆଗୋ ସ୍କ୍ବାର୍ଜମ୍ୟାନ୍‌, ଦ୍ବାଦଶ ମାନ୍ୟତାପ୍ରାପ୍ତ ଫେଲିକ୍ସ ଅଗୁର ଆଲିଆସିମେ ବିଜୟ ଧାରା ଜାରି ରଖି ଚତୁର୍ଥ ରାଉଣ୍ଡ୍‌ରେ ପହଞ୍ଚିଯାଇଛନ୍ତି। ମେଦ୍‌ଭେଦେଭ୍‌ ୨ ଘଣ୍ଟାରୁ କମ୍‌ ସମୟ ନେଇ ସ୍ପେନ୍‌ର ଅଣମାନ୍ୟତାପ୍ରାପ୍ତ ପାବ୍‌ଲୋ ଅନ୍ଦୁଜାରଙ୍କୁ ସିଧାସଳଖ ୬-୦, ୬-୪ ଓ ୬-୩ ସେଟ୍‌ରେ ପରାସ୍ତ କରିଥିଲା ବେଳେ ସ୍କ୍ବାର୍ଜମ୍ୟାନ୍‌ ସିଧାସଳଖ ୬-୪, ୬-୩ ଓ ୬-୩ରେ ଆଲେକ୍ସ ମୋଲ୍‌କାନଙ୍କୁ ପରାସ୍ତ କରିଥିଲେ। ହେଲେ ଫେଲିକ୍ସ ଏବଂ ଅଷ୍ଟାଦଶ ମାନ୍ୟତାପ୍ରାପ୍ତ ରବର୍ଟ ବତିସ୍ତା ଅଗୁଟଙ୍କ ମୁକାବିଲା ରୋମାଞ୍ଚକର ରହିଥିଲା। ଏଥିରେ ଅଗୁଟଙ୍କୁ ୬-୩, ୬-୪, ୪-୬, ୩-୬ ଓ ୬-୩ ସେଟ୍‌ରେ ପରାସ୍ତ କରିଦେଇଥିଲେ ଫେଲିକ୍ସ।
ଅନ୍ୟପକ୍ଷରେ ମହିଳା ଏକକରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଆରୢାନା ସାବାଲେଙ୍କା, ପଞ୍ଚମ ମାନ୍ୟତାପ୍ରାନ୍ତ ଈଲିନା ସ୍ବିତୋଲିନା, ପଞ୍ଚଦଶ ମାନ୍ୟତାପ୍ରାପ୍ତ ଏଲିସେ ମର୍ତେନ୍‌ସ, ଷୋଡ଼ଶ ମାନ୍ୟତାପ୍ରାପ୍ତ ଆଞ୍ଜେଲିକ୍‌ କର୍ବରଙ୍କ ସାଙ୍ଗକୁ ଦୁଇଥର ଗ୍ରାଣ୍ଡସ୍ଲାମ୍‌ ବିଜୟିନୀ ସିମୋନା ହାଲେପ ବିଜୟଧାରା ଅବ୍ୟାହତ ରଖି ଚତୁର୍ଥ ରାଉଣ୍ଡ୍‌ ସ୍ଥାନ ସୁରକ୍ଷିତ କରିନେଇଛନ୍ତି।

ସାବାଲେଙ୍କା ସିଧାସଳଖ ୬-୩, ୬-୩ରେ ୨୬ ମାନ୍ୟତାପ୍ରାପ୍ତ ଡାନିଏଲ କଲିନ୍ସଙ୍କୁ, ସ୍ବିତୋଲିନା ୬-୪, ୬-୨ରେ ୨୫ ମାନ୍ୟତାପ୍ରାପ୍ତ ଦାରିଆ କାସାତ୍‌କିନାଙ୍କୁ, ମର୍ତେନ୍ସ ୬-୩, ୭-୫ରେ ୨୦ ମାନ୍ୟତାପ୍ରାପ୍ତ ଓନ୍‌ସ ଜାବେଉର୍‌ଙ୍କୁ ସହଜରେ ପରାସ୍ତ କରିଥିଲା ବେଳେ କର୍ବର ଓ ହା‌ଲେପଙ୍କୁ ଜିତିବା ପାଇଁ କଷ୍ଟ କରିବାକୁ ପଡ଼ିଥିଲା। ଜର୍ମାନି ଲଳନା କର୍ବର ୫-୭, ୬-୨ ଓ ୬-୩ ସେଟ୍‌ରେ ସ୍ଲୋଆନେ ଷ୍ଟିଫାନ୍‌ସଙ୍କୁ ପରାସ୍ତ କରି ୨୦୧୮ ପରେ ପ୍ରଥମ ଥର ଲାଗି ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଥିଲା ବେଳେ ଦ୍ବାଦଶ ମାନ୍ୟତାପ୍ରାପ୍ତ ରୋମାନିଆ ଲଳନା ହାଲେପ ୭-୬, ୪-୬ ଓ ୬-୩ ସେଟ୍‌ରେ କାଜାକସ୍ତାନର ଏଲିନା ରିବାକିନାଙ୍କୁ ପରାସ୍ତ କରି ଟ୍ରଫି ଲକ୍ଷ୍ୟରେ ଆଗକୁ ବଢ଼ିଛନ୍ତି।

ସମ୍ବନ୍ଧିତ ଖବର