ୟୁଏସ୍‌ ଓପନ୍‌ ଟେନିସ : ଥିମ୍‌ ବିଦା; ଆଗେଇଲେ ନାଦାଲ

ନ୍ୟୁୟର୍କ : ଚଳିତ ବର୍ଷର ଚତୁର୍ଥ ତଥା ଶେଷ ଗ୍ରାଣ୍ଡ୍‌ ସ୍ଲାମ୍‌ ୟୁଏସ୍‌ ଓପନ୍‌ ଟେନିସ ପ୍ରତିଯୋଗିତାର ତୃତୀୟ ଦିବସରେ ଏକାଧିକ ବିପର୍ଯ୍ୟୟ ଘଟିଛି। ବିଶେଷକରି ଅଣମାନ୍ୟତା ତଥା କିଛି ଯୋଗ୍ୟତାପର୍ଯ୍ୟାୟ ଖେଳାଳି ହିଁ ପୁରୁଷ ଏକକରେ ଶୀର୍ଷ-୧୦ ମାନ୍ୟତା ଖେଳାଳିଙ୍କ ମଧ୍ୟରୁ ୪ ଜଣଙ୍କୁ ପ୍ରଥମ ରାଉଣ୍ଡରୁ ହିଁ ବିଦାୟ ରାସ୍ତା ଦେଖାଇ ଦେଇଛନ୍ତି। ଆରମ୍ଭରୁ ବିପର୍ଯ୍ୟୟର ସାମ୍‌ନା କରିଥିବା ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଚତୁର୍ଥ ମାନ୍ୟତା ଡୋମିନିକ୍‌ ଥିମ୍‌, ଅଷ୍ଟମ ମା‌ନ୍ୟତା ଷ୍ଟିଫାନୋସ୍‌ ସିସିପାସ୍‌, ନବମ ମାନ୍ୟତା କାରେନ୍‌ କାଚାନୋଭ୍‌ ଏବଂ ଦଶମ ମାନ୍ୟତା ରବର୍ଟ ବତିସ୍ତା ଅଗୁଟ୍‌। ଏହି ପ୍ରତିଯୋଗିତାରେ ନାଦାଲଙ୍କ ସହ ସେମିଫାଇନାଲ୍‌ ଭେଟ ହେବ ବୋଲି ଆକଳନ କରାଯାଉଥିବା ଅଷ୍ଟ୍ରେଲୀୟ ତାରକା ଥିମ୍‌ଙ୍କୁ ୬-୪, ୩-୬, ୬-୩ ଓ ୬-୨ ସେଟ୍‌ରେ ଅଣମାନ୍ୟତା ଇଟାଲି ତାରକା ଥୋମାସ୍‌ ଫାବିଆନୋ, ଚଳିତ ବର୍ଷ ଅଷ୍ଟ୍ରେଲିଆ ଓପନ୍‌ ସେମିଫାଇନାଲ୍‌ ପହଞ୍ଚିଥିବା ଗ୍ରିକ୍‌ ତାରକା ସିସିପାସ୍‌ଙ୍କୁ ୬-୪, ୬-୭, ୭-୬ ଓ ୭-୫ ସେଟ୍‌ରେ ଅଣମାନ୍ୟତା ରୁଷିଆ ତାରକା ଆନ୍ଦ୍ରେ ରୁବ୍‌ଲେଭ୍‌, ନାଦାଲଙ୍କୁ କ୍ବାର୍ଟର ଫାଇନାଲ୍‌ରେ ଭେଟିବାର ସମ୍ଭାବନା ରଖିଥିବା ରୁଷିଆର କାରେନ୍‌ କାଞ୍ଚାନୋଭ୍‌ଙ୍କୁ ୪-୬, ୭-୫, ୭-୫, ୪-୬ ଓ ୬-୩ରେ କାନାଡା ତାରକା ଭାସେକ୍‌ ପୋସ୍‌ପିଲ୍‌ ଏବଂ ଗତ ମାସରେ ୱିମ୍ବଲଡନ୍‌ ସେମିଫାଇନାଲ୍‌ ପ୍ରବେଶ କରିଥିବା ସ୍ପେନ୍‌ ତାରକା ଅଗୁଟ୍‌ଙ୍କୁ ୩-୬, ୬-୧, ୬-୪, ୩-୬ ଓ ୬-୩ ସେଟ୍‌ରେ କାଜାକସ୍ତାନର ମିଖାଇଲ୍‌ କୁକୁସ୍‌କିନ୍‌ ପରାସ୍ତ କରି ବିଦାୟ ରାସ୍ତା ଦେଖାଇ ଦେଇଥିବା ସହିତ ଦ୍ବିତୀୟ ରାଉଣ୍ଡ ସ୍ଥାନ ପକ୍କା କରିନେଇଛନ୍ତି। ସ୍ପେନ୍‌ର ପାବ୍‌ଲୋ ଅନ୍ଦୁଜାର ୩-୬, ୭-୬, ୭-୫, ୫-୭ ଓ ୬-୨ ସେଟ୍‌ରେ ବ୍ରିଟେନ୍‌ର କେୟଲ ଏଡ୍‌ମଣ୍ଡ୍‌ଙ୍କୁ ଏବଂ ଆମେରିକାର ତେନିସ୍‌ ସାର୍ଡଗ୍ରିନ୍‌ ୧-୬, ୬-୭, ୬-୪, ୭-୬ ଓ ୭-୫ ସେଟ୍‌ରେ ଫ୍ରାନ୍‌ସର ଜୋ ୱିଲ୍‌ଫ୍ରେଡ୍‌ ସୋଙ୍ଗାଙ୍କୁ ମଧ୍ୟ ଆରମ୍ଭରୁ ବିଦାୟ ରାସ୍ତା ଦେଖାଇ ଦେଇଛନ୍ତି। ତେବେ ୩ ଥର ବିଜେତା ସ୍ପେନ୍‌ ତାରକା ରାଫେଲ ନାଦାଲ ଏହି ବିପର୍ଯ୍ୟୟ ଦିନରେ ବର୍ତି ଯାଇଥିଲେ। ସେ ପ୍ରଥମ ରାଉଣ୍ଡରେ ଅଷ୍ଟ୍ରେଲିଆର ଜନ୍‌ ମିଲ୍‌ମାନ୍‌ଙ୍କୁ ସିଧାସଳଖ ୬-୩, ୬-୨ ଓ ୬-୨ ସେଟ୍‌ରେ ପରାସ୍ତ କରି ଆଗକୁ ବଢ଼ିଛନ୍ତି। ସେହିପରି ତ୍ରୟୋଦଶ ମାନ୍ୟତା ଗେଲ୍‌ ମୋନ୍‌ଫିଲ୍‌ସ, ୨୦ ମାନ୍ୟତା ସ୍ବାର୍ଜମାନ୍‌, ୨୮ ମାନ୍ୟତା ନିକ୍‌ କିର୍ଗିଅସ୍‌, ୨୯ ମାନ୍ୟତା ବେନୋଟ୍‌ ପାଇରେ ପ୍ରମୁଖ ପ୍ରଥମ ରାଉଣ୍ଡ ଅତିକ୍ରମ କରିଛନ୍ତି।

ମହିଳା ଏକକ ବର୍ଗରେ ମଧ୍ୟ କିଛି ବିପର୍ଯ୍ୟୟ ଘଟିଛି। ଏକାଦଶ ମାନ୍ୟତା ତଥା ପୂର୍ବତନ ବିଜୟିନୀ ସ୍ଲୋଆନେ ଥୋମାସ୍‌ ପ୍ରଥମ ରାଉଣ୍ଡରେ ରୁଷିଆ ଯୋଗ୍ୟତାପର୍ଯ୍ୟାୟ ଖେଳାଳି ଆନ୍ନା କାଲିନସ୍କାୟାଙ୍କ ନିକଟରୁ ୩-୬, ୪-୬ ସିଧାସଳଖ ସେଟ୍‌ରେ ହାରି ବିଦାୟ ନେଇଥିଲା ବେଳେ ୨୪ତମ ମାନ୍ୟତା ଗାର୍ବିନେ ମୁଗୁରୁଜାଙ୍କୁ ୨-୬, ୬-୧ ଓ ୬-୩ ସେଟ୍‌ରେ ପରାସ୍ତ କରି ଆମେରିକାର ଆଲିସନ୍‌ ରିସ୍କେ ବିଦା କରିଦେଇଛନ୍ତି। ହେଲେ ଚତୁର୍ଥ ମାନ୍ୟତା ସିମୋନା ହାଲେପ୍‌, ନବମ ମାନ୍ୟତା ସାବଲେଙ୍କା, ୧୯ ମାନ୍ୟତା କାରୋଲିନେ ୱାଜ୍‌ନିଆକି ପ୍ରମୁଖ ନିଜ ନିଜର ସହଜ ବିଜୟ ସହ ଦ୍ବିତୀୟ ରାଉଣ୍ଡରେ ସ୍ଥାନ ସୁରକ୍ଷିତ କରିଛନ୍ତି।

ସମ୍ବନ୍ଧିତ ଖବର