ୟୁଏସ୍‌ ଓପନ୍‌ ଟେନିସ ପ୍ରତିଯୋଗିତା : ସେମିରେ ‌ଜୋକୋଭିକ-ଭେରେଭ, ସାକାରି-ରାଡୁକାନୁ ମୁହାଁମୁହିଁ

ନ୍ୟୁୟର୍କ : ଚଳିତ ୟୁଏସ୍‌ ଓପନ୍‌ ଟେନିସ ପ୍ରତିଯୋଗିତାର ପୁରୁଷ ଏକକ ସେମିଫାଇନାଲ୍‌ରେ ଶୀର୍ଷ ମାନ୍ୟତାପ୍ରାପ୍ତ ନୋଭାକ ଜୋକୋଭିକ ଓ ଚତୁର୍ଥ ମାନ୍ୟତାପ୍ରାପ୍ତ ଆଲେକ୍‌ଜାଣ୍ଡର ଭେରେଭ ମୁହାଁମୁହିଁ ହେବେ। ସେହିପରି ମହିଳା ଏକକ ସେମିଫାଇନାଲ୍‌ରେ ଗ୍ରିକ୍‌ର ମାରିଆ ସାକାରିଙ୍କୁ ଭେଟିବେ ୧୮ ବର୍ଷୀୟା ବ୍ରିଟିସ୍‌ ଯୁବତୀ ଈମା ରାଡୁକାନୁ। ଗୁରୁବାର କ୍ବାର୍ଟର ଫାଇନାଲ୍‌ରେ ୨୦ ଗ୍ରାଣ୍ଡ ସ୍ଲାମ୍ ବିଜେତା ସର୍ବିଆ ତାରକା ଜୋକୋଭିକ୍‌ ୫-୭, ୬-୨, ୬-୨, ୬-୩ ସେଟ୍‌ରେ ଇଟାଲିର ମାତିଓ ବେରେତିନିଙ୍କୁ ପରାସ୍ତ କରିଥିଲେ। ଏହି ବିଜୟ ସହ ଜୋକୋଭିକ କୀର୍ତ୍ତିମାନଭରା ୨୧ତମ ଗ୍ରାଣ୍ଡ ସ୍ଲାମ୍‌ ଏବଂ କ୍ୟାଲେଣ୍ଡର ସ୍ଲାମ୍‌ ଦିଗରେ ଆଉ ଗୋଟିଏ ପାଦ ଆଗେଇଛନ୍ତି। ଜୋକୋଭିକ୍‌ ଟୋକିଓ ଅଲିମ୍ପିକ୍‌ରେ ସେମିଫାଇନାଲ୍‌ରେ ହାରି ‘ଗୋ‌ଲଡେନ୍‌ ସ୍ଲାମ୍‌’ କରାୟତ୍ତ କରିବାରେ ବିଫଳ ହୋଇଥିଲେ। ଜୋକୋଭିକ୍‌ଙ୍କ ଏହି ସ୍ବପ୍ନ ଭାଙ୍ଗିଥିବା ‌ଜର୍ମାନିର ଭେରେଭ ୭-୬, ୬-୩, ୬-୪ ସେଟ୍‌ରେ ଦକ୍ଷିଣ ଆଫ୍ରିକାର ଲୟଡ ହାରିସଙ୍କୁ ହରାଇ ଲଗାତାର ଦ୍ବିତୀୟ ଥର ଲାଗି ଏଠାରେ ସେମିଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ଗତ ବର୍ଷ ଫାଇନାଲ୍‌ରେ ସେ ଡୋମିନିକ୍‌ ଥିମ୍‌ଙ୍କଠୁ ହାରି ଉପବିଜେତ‌ାରେ ସନ୍ତୁଷ୍ଟ ରହିଥିଲେ। ଟୋକିଓ ଅଲିମ୍ପିକ୍ସ ସେମିଫାଇନାଲ୍‌ରେ ଜୋକୋଭିକ୍‌ଙ୍କୁ ହରାଇ ଥିବାରୁ ଭେରେଭ ଦ୍ବିତୀୟ ଥର ଲାଗି ଫାଇନାଲ୍‌ରେ ପହଞ୍ଚିବାର ଲକ୍ଷ୍ୟ ରଖିଛନ୍ତି। ଅନ୍ୟପକ୍ଷରେ ଜୋକୋଭିକ୍‌ ନିଜର ‘ଗୋ‌ଲଡେନ୍‌ ସ୍ଲାମ୍‌’ ସ୍ବପ୍ନ ଭାଙ୍ଗିଥିବା ଭେରେଭଙ୍କଠୁ ପ୍ରତିଶୋଧ ଲକ୍ଷ୍ୟରେ କୋର୍ଟକୁ ଓହ୍ଲାଇବେ।

ମହିଳା ଏକକ କ୍ବାର୍ଟର ଫାଇନାଲ୍‌ରେ ସପ୍ତଦଶ ମାନ୍ୟତାପ୍ରାପ୍ତ ସାକାରି ସିଧାସଳଖ ୬-୪, ୬-୪ ସେଟ୍‌ରେ ଚତୁର୍ଥ ମାନ୍ୟତାପ୍ରାପ୍ତ ଚେକ୍‌ଗଣରାଜ୍ୟର କାରୋଲିନା ପ୍ଲିସ୍‌କୋଭାଙ୍କୁ ପରାସ୍ତ କରିଥିଲେ। ୨୦୧୬ ୟୁଏସ୍‌ ଓପନ୍‌ ଏବଂ ଚଳିତ ବର୍ଷର ୱିମ୍ବଲଡନ୍‌ ଉପବିଜୟିନୀ ପ୍ଲିସ୍‌କୋଭାଙ୍କୁ ହରାଇ ସାକାରି ପ୍ରଥମ ଥର ଏଠାରେ ସେମିଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ। ୧୫୦ ମାନ୍ୟତାପ୍ରାପ୍ତ ରାଡୁକାନୁ ସିଧାସଳଖ ୬-୩, ୬-୪ ସେଟ୍‌ରେ ଅଲିମ୍ପିକ୍ ବିଜୟିନୀ ଏକାଦଶ ମାନ୍ୟତାପ୍ରାପ୍ତ ସ୍ବିଜରଲାଣ୍ଡର ‌ବେଲିଣ୍ଡା ବେନସିକ୍‌ଙ୍କୁ ହରାଇଥିଲେ। ଏଥିସହ ସ୍ବିଜରଲାଣ୍ଡର ‌ବେନସିକ୍‌ଙ୍କୁ ମାତ୍‌ ଦେଇ ‌ରାଡୁକାନୁ ୟୁଏସ୍‌ ଓପନ୍‌ ସେମିଫାଇନାଲ୍‌ରେ ପହଞ୍ଚିବାରେ ପ୍ରଥମ କ୍ବାଲିଫାୟର ଖେଳାଳି ହେବାର ଗୌରବ ଅର୍ଜନ କରିଥିଲେ। ୧୮ ବର୍ଷୀୟା ରାଡୁକାନୁ ଦୁଇ ମାସ ତଳେ ୱିମ୍ବଲଡନ୍‌ରେ ଖେଳି ଗ୍ରାଣ୍ଡ ସ୍ଲାମ୍‌ ପଦାର୍ପଣ କରିଥିଲେ। ପଦାର୍ପଣ ଗ୍ରାଣ୍ଡ ସ୍ଲାମ୍‌ରେ ସେ ପ୍ରିକ୍ବାର୍ଟର ଫାଇନାଲ୍‌ରେ ମଧ୍ୟ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର