ପ୍ୟାରିସ: ୟୁଏସ୍ ଓପନ୍ ବିଜୟିନୀ ଏମ୍ମା ରାଡ଼ୁକାନୁ ଏବଂ ଚତୁର୍ଥ ମାନ୍ୟତାପ୍ରାପ୍ତ ମାରିଆ ସାକାରି ଚଳିତ ଫ୍ରେଞ୍ଚ୍ ଓପନ୍ ଗ୍ରାଣ୍ଡ୍ ସ୍ଲାମ୍ ଟେନିସ ପ୍ରତିଯୋଗିତାର ଦ୍ବିତୀୟ ରାଉଣ୍ଡରୁ ବିଦାୟ ନେଇଛନ୍ତି। ବୁଧବାର ମହିଳା ଏକକ ଦ୍ବିତୀୟ ରାଉଣ୍ଡରେ ଦ୍ବାଦଶ ମାନ୍ୟତାପ୍ରାପ୍ତ ୧୯ ବର୍ଷୀୟ ବ୍ରିଟିସ ଯୁବତୀ ରାଡ଼ୁକାନୁ ୬-୩, ୧-୬, ୧-୬ ସେଟ୍ରେ ବେଲାରୁଷର ଆଲିକସାଣ୍ଡ୍ରା ସାସନୋଭିକଙ୍କଠୁ ଏବଂ ଗ୍ରୀସ ଲଳନା ସାକାରି ୬-୭, ୬-୭ରେ ଚେକ୍ଗଣରାଜ୍ୟର କାରୋଲିନା ମୁଚୋଭାଙ୍କଠୁ ପରାସ୍ତ ହୋଇଥିଲେ। ତେବେ ଅନ୍ୟ ମହିଳା ଏକକରେ ତାରକା ଖେଳାଳି ସପ୍ତମ ମାନ୍ୟତାପ୍ରାପ୍ତ ଏରିନା ସାବଲେଙ୍କା (ସପ୍ତମ), ୨ ଗ୍ରାଣ୍ଡ ସ୍ଲାମ୍ ବିଜୟିନୀ ଭିକ୍ଟୋରିଆ ଆଝାରେଙ୍କା, ପୂର୍ବତନ ଏକ ନମ୍ବର ଆଞ୍ଜେଲିକ୍ କର୍ବର ଓ ଅଷ୍ଟାଦଶ ମାନ୍ୟତାପ୍ରାପ୍ତ କୋକୋ ଗଫ୍ ନିଜ ନିଜ ମ୍ୟାଚ୍ ଜିତି ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ବେଲାରୁଷର ସାବଲେଙ୍କା ୨-୬, ୬-୩, ୬-୩ ସେଟ୍ରେ ଫ୍ରାନ୍ସର ଚ୍ଲୋଏ ପାକ୍ବେଟଙ୍କୁ, ବେଲାରୁଷର ଆଝାରେଙ୍କା ୬-୧, ୭-୬ ସେଟ୍ରେ ଜର୍ମାନିର ଆନ୍ଦ୍ରିଆ ପେଟକୋଭିକ୍ଙ୍କୁ, ଜର୍ମାନିର କର୍ବର ୬-୧, ୭-୬ ସେଟ୍ରେ ଫ୍ରାନ୍ସର ଏଲିସ ଜାକ୍ବେମଟଙ୍କୁ ଏବଂ ଆମେରିକାର ଗଫ ୬-୧, ୭-୬ ସେଟ୍ରେ ବେଲ୍ଜିୟମର ଆଲିସନ ଭାନ ୟୁଟିଭାଙ୍କଙ୍କୁ ହରାଇଥିଲେ।
ପୁରୁଷ ଏକକରେ ଶୀର୍ଷ ମାନ୍ୟତାପ୍ରାପ୍ତ ନୋଭାକ ଜୋକୋଭିକଙ୍କ ସହ ଆଲେକଜାଣ୍ଡର ଭେରେଭ (ତୃତୀୟ), ଷ୍ଟିଫାନସ ସିସିପାସ (ଚତୁର୍ଥ), ଫେଲିକ୍ସ ଅଗର ଅଲିଆସିମ (ନବମ) ଏବଂ କାମେରନ ନୋରି (ଦଶମ) ଦ୍ବିତୀୟ ରାଉଣ୍ଡ ବାଧା ଅତିକ୍ରମ କରିଥିଲେ। ସର୍ବିୟା ତାରକା ଜୋକୋଭିକ ୬-୨, ୬-୩, ୭-୬ ସେଟ୍ରେ ସ୍ଲୋଭାକିଆର ଆଲେକ୍ସ ମୋଲକାନଙ୍କୁ, ଜର୍ମାନିର ଭେରେଭ ୨-୬, ୪-୬, ୬-୧, ୬-୨, ୭-୫ ସେଟ୍ରେ ଆର୍ଜେଣ୍ଟିନାର ସେବାସ୍ତିଆନ୍ ବାଏଜଙ୍କୁ, ଗ୍ରୀସର ସିସିପାସ ୫-୭, ୪-୬, ୬-୨, ୬-୩, ୬-୨ ସେଟ୍ରେ ଇଟାଲିର ଲୋରେଞ୍ଜୋ ମୁସେଟ୍ଟିଙ୍କୁ, କାନାଡ଼ାର ଫେଲିକ୍ସ ୬-୦, ୬-୩, ୬-୪ ସେଟ୍ରେ ଆର୍ଜେଣ୍ଟିନାର କାମିଲୋ ଉଗୋ କାରାବେଲିଙ୍କୁ, ଇଂଲଣ୍ଡର ନୋରି ୬-୩, ୬-୪, ୬-୩ ସେଟ୍ରେ ଅଷ୍ଟ୍ରେଲିଆର ଜାସନ କୁବଲରଙ୍କୁ ହରାଇଥିଲେ।
ପରାଜୟ ପରେ ସୋଙ୍ଗାଙ୍କ ଅବସର
ପୂର୍ବତନ ବିଶ୍ବର ପାଞ୍ଚ ନମ୍ବର ଜୋ-ୱିଲଫ୍ରେଡ ସୋଙ୍ଗା ମଙ୍ଗଳବାର ଫ୍ରେଞ୍ଚ୍ ଓପନ୍ ଟେନିସ ପ୍ରତିଯୋଗିତାର ପଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ତାଙ୍କୁ ଅଷ୍ଟମ ମାନ୍ୟତାପ୍ରାପ୍ତ ନରୱେର କାସପର ରୁଡ଼ ୬-୭, ୭-୬, ୬-୨, ୭-୬ ସେଟ୍ରେ ହରାଇ ବିଦାୟ ରାସ୍ତା ଦେଖାଇଥିଲେ। ବିଦାୟ ପରେ ଏହି ଫ୍ରାନ୍ସ ତାରକା ଲୁହ ଛଳ ଛଳ ଆଖିରେ ନିଜ ଅବସର ଘୋଷଣା କରିଥିଲେ। ସୋଙ୍ଗା ସଂପ୍ରତି ଟେନିସରେ ରାଜୁତି କରୁଥିବା ରାଫେଲ ନାଦାଲ, ନୋଭାକ ଜୋକୋଭିକ ଓ ରୋଜର ଫେଡେରେର୍ଙ୍କୁ ହରାଇ ପାରିଥିଲେ। ୨୦୦୮ରେ ସେ ଅଷ୍ଟ୍ରେଲିଆନ୍ ଓପନ୍ ଉପବିଜେତା ହୋଇଥିଲେ। ୨୦୧୭ ଡେଭିସ କପ୍ ବିଜେତା ଫ୍ରାନ୍ସ ଦଳର ସଦସ୍ୟ ରହିଥିଲେ ସୋଙ୍ଗା।