ଓ୍ବାର୍ସା : ରୁଷ୍ ଆକ୍ରମଣର ସମ୍ମୁଖୀନ ହେଉଥିବା ୟୁକ୍ରେନକୁ ଅଧିକ ଯୁଦ୍ଧ ବିମାନ ଯୋଗାଣ ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛି ଯୁକ୍ତରାଷ୍ଟ୍ର ଆମେରିକା । ଏହି ପ୍ରସ୍ତାବକୁ ଲାଗୁ କରାଯାଇଥିଲେ ନାଟୋ ସିଧାସଳଖ ଯୁଦ୍ଧରେ ସଂଶ୍ଲିଷ୍ଟ ହେବାର ଆଶଙ୍କା ଥିବାରୁ ଆମେରିକା ଏହାକୁ ଅଗ୍ରାହ୍ୟ କରିଦେଇଥିବା ମନେକରାଯାଉଛି ।
ୟୁକ୍ରେନର ସହାୟତା ପାଇଁ ମିଗ୍-୨୯ ବିମାନ ଯୋଗାଣ ପାଇଁ ନାଟୋ ସଦସ୍ୟ ରାଷ୍ଟ୍ର ପୋଲାଣ୍ଡ ଆମେରିକାରକୁ ପ୍ରସ୍ତାବ ଦେଇଥିଲା । ଏହାର କାରଣ ହେଉଛି, ୟୁକ୍ରେନର ପାଇଲଟମାନେ ସୋଭିଏତ ଯୁଗର ମିଗ ବିମାନ ଓ ସୁଖୋଇ ଚଳାଇବାରେ ଅଭ୍ୟସ୍ତ ଥିବାରୁ ସେମାନେ ମିଗ୍-୨୯ ଚଳାଇପାରିବେ । ଜର୍ମାନୀରେ ଥିବା ନାଟୋର ବିମାନଘାଟିରୁ ଏସବୁ ବିମାନ ଉଡ଼ାଣ ଆରମ୍ଭ କରିଥାନ୍ତେ । କିନ୍ତୁ ଏପରି କଲେ ତାହା ଯୁଦ୍ଧର ପରିସରକୁ ଆହୁରି ବଢାଇବାର ଆଶଙ୍କା ରହିଛି ।
କାରଣ ରୁଷ ପୂର୍ବରୁ ଚେତାବନୀ ଦେଇଛି ଯେ ଯେଉଁ ଦେଶ ୟୁକ୍ରେନକୁ ସାମରିକ ସହାୟତା ଦେବ ସେହି ଦେଶ ଉପରେ ଆକ୍ରମଣ କରାଯିବ । ଏଣୁ ଯଦି ଉପରୋକ୍ତ ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯାଇଥାନ୍ତା ତେବେ ରୁଷ ପୋଲାଣ୍ଡ କିମ୍ବା ଜର୍ମାନୀ ଉପରେ ଆକ୍ରମଣ କରିଥାନ୍ତା । ଉଭୟ ନାଟୋ ସଦସ୍ୟ ହୋଇଥିବାରୁ ନାଟୋ ପ୍ରତିଆକ୍ରମଣ କରିଥାନ୍ତା । କାରଣ ନାଟୋର ନିୟମ ଅନୁସାରେ ଏହାର ଯେ କୌଣସି ସଦସ୍ୟ ଦେଶ ଉପରେ ଆକ୍ରମଣ ହେଲେ ତାହାକୁ ସମଗ୍ର ୩୦ଟି ଯାକ ନାଟୋ ଦେଶମାନଙ୍କ ଉପରେ ଆକ୍ରମଣ ବୋଲି ଧରା ଯିବ । ଏଣୁ ଆମେରିକା ଓ ନାଟୋର ଅନ୍ୟ ସଦସ୍ୟଦେଶମାନେ ସିଧାସଳଖ ଯୁଦ୍ଧରେ ସାମିଲ ହୋଇଥାନ୍ତେ । ଫଳରେ ଯୁଦ୍ଧ ସମଗ୍ର ୟୁରୋପ, ଏସିଆ ଓ ଆମେରିକାକୁ ବ୍ୟାପିଯାଇନ୍ତା, ଯାହାକି ୩ୟ ବିଶ୍ବଯୁଦ୍ଧରେ ପରିଣତ ହୋଇଥାନ୍ତା ।