ୟୁଏସ୍‌ ଓପନ୍‌ ଗ୍ରାଣ୍ଡ୍‌ସ୍ଲାମ୍‌ ଟେନିସ ପ୍ରତିଯୋଗିତା: ତୃତୀୟ ରାଉଣ୍ଡରେ ଜୋକୋଭିକ, ଭେରେଭ, ପ୍ଲିସ୍‌କୋଭା, କର୍ବର

ନ୍ୟୁୟର୍କ : ଚଳିତ ୟୁଏସ୍‌ ଓପନ୍‌ ଗ୍ରାଣ୍ଡ୍‌ସ୍ଲାମ୍‌ ଟେନିସ ପ୍ରତିଯୋଗିତାର ପୁରୁଷ ଏକକ ତୃତୀୟ ରାଉଣ୍ଡ‌ରେ ଶୀର୍ଷ ମାନ୍ୟତାପ୍ରାପ୍ତ ନୋଭାକ ଜୋକୋଭିକ, ଚତୁର୍ଥ ମାନ୍ୟତାପ୍ରାପ୍ତ ଆଲେକ୍‌ଜାଣ୍ଡର ଭେରେଭ, ଷଷ୍ଠ ମାନ୍ୟତାପ୍ରାପ୍ତ ମାତିଓ ବେରେତିନି, ସପ୍ତମ ମାନ୍ୟତାପ୍ରାପ୍ତ ଡାନିଲ ଶାପୋଭାଲୋଭ ପ୍ରବେଶ କରିଛନ୍ତି। ୨୦ ଗ୍ରାଣ୍ଡ ସ୍ଲାମ୍‌ ବିଜେତା ସର୍ବିଆର ‌ଜୋକୋଭିକ ସିଧାସଳଖ ୬-୨, ୬-୩, ୬-୨ ସେଟ୍‌ରେ ନେଦରଲାଣ୍ଡ୍ସର ତାଲନ ଗ୍ରିକସ୍କୁପରଙ୍କୁ ପରାସ୍ତ କରିଥିଲେ। ଏହି ବିଜୟ ସହ ଜୋକୋଭିକ କୀର୍ତ୍ତିମାନଭରା ୨୧ ଗ୍ରାଣ୍ଡ ସ୍ଲାମ୍‌ ମୁକୁଟ ଏବଂ କ୍ୟାଲେଣ୍ଡର ସ୍ଲାମ୍‌ ଦିଗରେ ଆଉ ଗୋଟିଏ ପାଦ ବଢ଼ାଇଛନ୍ତି। ଏଥିସହ ୩୪ ବର୍ଷୀୟ ଜୋକୋଭିକ୍‌ ୟୁଏସ୍‌ ଓପନ୍‌ରେ ୭୭ତମ ବିଜୟ ହାସଲ କରିଛନ୍ତି। ସର୍ବାଧିକ ମ୍ୟାଚ୍‌ ଜିତିବାରେ ତାଙ୍କ ଆଗରେ ଜିମି କନର୍ସ (୯୮), ରୋଜର ଫେଡେ‌ରର୍‌ (୮୯) ଓ ଆନ୍ଦ୍ରେ ଆଗାସି (୭୯) ରହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଦ୍ବିତୀୟ ରାଉଣ୍ଡରେ ଭେରେଭ ୬-୧, ୬-୦, ୬-୩ ସେଟ୍‌ରେ ସ୍ପେନ୍‌ର ଅଲବର୍ଟ ରାମୋସ-ଭିନୋଲାସଙ୍କୁ, ଇଟାଲିର ବେରେତେନି ୭-୬, ୪-୬, ୬-୪, ୬-୩ ‌ସେଟ୍‌ରେ ଫ୍ରାନ୍ସର କୋରେଣ୍ଟିନ୍‌ ମୌତେତଙ୍କୁ, କାନାଡ଼ାର ଶାପୋଭାଲୋଭ ୭-୬, ୬-୩, ୬-୦ ସେଟ୍‌ରେ ସ୍ପେନ୍‌ର ରୋବର୍ତୋ କାର୍ବାଲେସ ବାଇନାଙ୍କୁ ହରାଇଥିଲେ। ତେବେ ଦଶମ ମାନ୍ୟତାପ୍ରାପ୍ତ ହୁବର୍ତ ହୁର୍କାଜ ପୁରୁଷ ଏକକ ଦ୍ବିତୀୟ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଏହି ପୋଲାଣ୍ଡ ତାରକା ୬-୨, ୪-୬, ୪-୬, ୬-୭ ସେଟ୍‌ରେ ଇଟାଲିର ଆନ୍ଦ୍ରିଜ୍‌ ସେପିଙ୍କଠୁ ହାରିଯାଇଥିଲେ। ତ୍ରୟୋଦଶ ମାନ୍ୟତାପ୍ରାପ୍ତ ଇଟାଲିର ଜାନିକ ସିନର ୬-୩, ୭-୬, ୬-୭, ୬-୪ ସେଟ୍‌ରେ ଆମେରିକାର ଜାଚାରି ଭାଜ୍‌ଦାଙ୍କୁ ପରାସ୍ତ କରି ତୃତୀୟ ରାଉଣ୍ଡରେ ସ୍ଥାନ ପକ୍କା କରିଥିଲେ।

ମହିଳା ଏକକରେ ଚତୁର୍ଥ ମାନ୍ୟତାପ୍ରାପ୍ତ କାରୋଲିନା ପ୍ଲିସକୋଭା, ଷଷ୍ଠ ମାନ୍ୟତାପ୍ରାପ୍ତ ବିୟାଙ୍କା ଆନ୍ଦ୍ରିସ୍କୁ, ପୂର୍ବତନ ଶୀର୍ଷ ଖେଳାଳି ଆଞ୍ଜେଲିକ୍‌ କର୍ବର ଦ୍ବିତୀୟ ରାଉଣ୍ଡ ବାଧା ଅତିକ୍ରମ କରିଛନ୍ତି। ଚେକ୍‌ଗଣରାଜ୍ୟର ପ୍ଲିସ୍‌କୋଭା ୭-୫, ୬-୭, ୭-୬ ସେଟ୍‌ରେ ଆମେରିକାର ଆମନ୍ଦା ଆନିସିମୋଭାଙ୍କୁ, ପୂର୍ବତନ ବିଜୟିନୀ କାନାଡ଼ାର ଆନ୍ଦ୍ରିସ୍କୁ ସିଧାସଳଖ ୬-୪, ୬-୪ ସେଟ୍‌ରେ ଆମେରିକାର ଲରେନ ଡେଭିସ୍‌ଙ୍କୁ ଏବଂ ୩ ଥରର ଗ୍ରାଣ୍ଡ୍‌ସ୍ଲାମ୍‌ ବିଜୟିନୀ ଜର୍ମାନିର କର୍ବର ୩-୬, ୬-୪, ୭-୬ ସେଟ୍‌ରେ ଆନେଲିନା କାଲିନିନାଙ୍କୁ ମାତ୍‌ ଦେଇଥିଲେ।

ମହିଳା ଯୁଗଳରୁ ସାନିଆ ବିଦା

ଭାରତୀୟ ତାରକା ସାନିଆ ମିର୍ଜା ଏବଂ ତାଙ୍କ ଯୁଗଳ ସାଥୀ କୋକୋ ଭାନ୍ଦେୱିଗେ ଚଳିତ ୟୁଏସ୍‌ ଓପନ୍‌ ମହିଳା ଯୁଗଳ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ପ୍ରଥମ ରାଉଣ୍ଡ ମୁକାବିଲାରେ ଏହି ଭାରତ-ଆମେରିକା ଯୋଡ଼ି ୬-୪, ୪-୬, ୩-୬ ସେଟ୍‌ରେ ଦ୍ବାଦଶ ମାନ୍ୟତାପ୍ରାପ୍ତ ରାଲୁକା ଓଲାରୁ ଓ ନାଦିଆ କିଚେନୋକଙ୍କଠୁ ହାରି ଯାଇଥିଲେ। ପ୍ରଥମ ସେଟ୍‌ରେ ଜିତିଥିବା ସାନିଆ-ଭାନ୍ଦେ‌ୱିଗେଙ୍କୁ ଦ୍ବିତୀୟ ଓ ତୃତୀୟ ସେଟ୍‌ରେ ହରାଇ ରୋମାନିଆ ଓ ୟୁକ୍ରେନ୍‌ ଯୋଡ଼ି ବିଦାୟ ରାସ୍ତା ଦେଖାଇଥିଲେ। ସାନିଆଙ୍କ ମହିଳା ଯୁଗଳ ଅଭିଯାନ ସରିଥିଲା ବେଳେ ମିଶ୍ରିତ ଯୁଗଳରେ ସେ ଆମେରିକାର ରାଜୀବ ରାମଙ୍କୁ ସାଥୀ କରି ଖେଳିବେ। ଏହି ଭାରତ-ଆମେରିକା ଯୋଡ଼ି ମିଶ୍ରିତ ଯୁଗଳରେ କେଭିନ କ୍ରାୱିଜ୍‌ ଓ କ୍ବିତା ପେସ୍‌ଚେକ୍‌ଙ୍କୁ ଭେଟିବେ।

ସମ୍ବନ୍ଧିତ ଖବର