ମାନସିକ ଅବସାଦ କଥା ମନେ ପକାଇଲେ ଉଥପ୍ପା, ବାଲ୍‌କୋନିରୁ ଡେଇଁବାକୁ ଚିନ୍ତା କରିଥିଲି

ନୂଆଦିଲ୍ଲୀ: ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ରବିନ ଉଥପ୍ପା ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବି‌ଜୟୀ ଭାରତୀୟ ଦଳର ଜଣେ ପ୍ରମୁଖ ସଦସ୍ୟ ଥିଲେ। ହେଲେ ଖେଳ ଜୀବନରେ ଉଥପ୍ପା ଲଗାତାର ଦୁଇ ବର୍ଷ ଧରି ଖରାପ ଫର୍ମରେ ରହିଥିଲେ। ଏହି ସମୟରେ ସେ ଏଭଳି ବିଷାଦଗ୍ରସ୍ତ ହୋଇଥିଲେ ଯେ ତାଙ୍କ ମନରେ କେବଳ ଆତ୍ମହତ୍ୟା କରିବାର ଭାବନା ଆସିଥିଲା। ଏଥିପାଇଁ ସେ ବାଲ୍‌କୋନିରୁ ଡେଇଁବା ଲାଗି ଆଗେଇ ଆସିଥିଲେ। ଗୁରୁବାର ସେ କିଭଳି କ୍ରିକେଟ୍‌ ଓ ଜୀବନ ମଧ୍ୟରେ ସଂଘର୍ଷ କରିଥିଲେ ତାହା ଏକ ସାକ୍ଷାତକାରରେ ଖୋଲିଛନ୍ତି। ମୋର ମନେଅଛି ୨୦୦୯ରୁ ୨୦୧୧ ମଧ୍ୟରେ ମୁଁ କ୍ରିକେଟ୍‌ ବିଷୟରେ ଚିନ୍ତା କରୁନଥିଲି। ଖାଲି ମୋ ମନରେ ଆତ୍ମହତ୍ୟା ଭାବ‌ନା ଜୋରରେ ଦୌଡ଼ୁଥିଲା। ଖାଲି ଭାବୁଥିଲି ଏହି ସମୟ ‌କିଭଳି କାଟିବି। କ୍ରିକେଟ୍‌ ମ୍ୟାଚ୍ ନଥିଲେ ଏହି ଭାବନା ମୋତ‌େ ବେଶୀ ବିଚଳିତ କରି ପକାଉଥାଏ ବୋଲି ଉଥପ୍ପା କହିଛନ୍ତି।

ଦିନେ ମୁଁ ବସିଥିଲା ବେଳେ ଭାବୁଥିଲି ଦୌଡ଼ିକି ଯାଇ ବାଲ୍‌କୋନିରୁ ଡେଇଁ ପଡ଼ିବି। କିନ୍ତୁ କିଛି କାରଣ ଯୋଗୁଁ ଏଥିରୁ ବର୍ତ୍ତି ଯାଇଥିଲି। ଏହାପରେ ମୁଁ ପେସାଗତ ସହାୟତା ପାଇଁ ଏକ ଡାଇରିରେ ଲେଖିବା ଆରମ୍ଭ କରିଥିଲି। ଆରମ୍ଭରୁ ନିଜକୁ ଜଣେ ମଣିଷ ବୋଲି ବୁଝିବାକୁ ଚେଷ୍ଟା କରିବା ଉପରେ ଲେଖିଲି। ଏହା ପରେ ବାହାରର ସହଯୋଗରେ କିଭଳି ପରିବର୍ତ୍ତନ କରି ଜୀବନକୁ ବଦଳାଇ ପାରିବି ତାହା ଚିନ୍ତା କଲି ବୋଲି ୩୪ ବର୍ଷୀୟ ଉଥପ୍ପା କହିଛନ୍ତି। ଏଥିରେ ମୁଁ ଖୁସି ହୋଇପାରିଲି ନାହିଁ। କାରଣ ମୁଁ ନେଟ୍‌ରେ କଠିନ ପରିଶ୍ରମ କରୁଥିଲି କିନ୍ତୁ ମୋ ବ୍ୟାଟ୍‌ରୁ ରନ୍ ବାହାରୁନଥିଲା। ନେଟ୍‌ରେ ଘଣ୍ଟା ଘଣ୍ଟା ବିତାଉଥିଲି ହେଲେ କିଛି ବଦଳୁ ନଥିଲା। ଏଭଳି ଅସୁବିଧାକୁ ଗ୍ରହଣ କରିବାକୁ ଇଚ୍ଛା ନଥିଲା। ଏଥିରୁ ଶିଖିଲି ଯେ ଅନିଚ୍ଛା ହେ‌ଲେ ମଧ୍ୟ ଭୁଲ୍‌କୁ ଗ୍ରହଣ କରିବାକୁ ପଡ଼ିବ। ଜଣେ ମଣିଷକୁ ଅନିଚ୍ଛାକୃତ ତ୍ରୁଟିକୁ ଗ୍ରହଣ କରିବାରେ କିଛି ଅସୁବିଧା ନଥାଏ। କିନ୍ତୁ ମାନସିକତାକୁ ଗ୍ରହଣ କରିବା ଅସୁବିଧା ହୋଇଥାଏ ବୋଲି ୨୦୧୪-୨୦୧୫ ରଣଜୀ ଋତୁର ସର୍ବାଧିକ ରନ୍ ହାସଲକାରୀ ଏହି କର୍ଣ୍ଣାଟକ ବ୍ୟାଟ୍ସମ୍ୟାନ୍ ପ୍ରକାଶ କରିଛନ୍ତି। ମୁଁ ଅନୁଭବ କଲି‌ ଯେ ବେ‌ଳେବେଳେ ନକାରାତ୍ମକ ଚିନ୍ତାଧାରା ଆବଶ୍ୟକ। ଆଗକୁ ବଢ଼ିବାକୁ ହେଲେ ନକାରାତ୍ମକ ଓ ସକାରାତ୍ମକ ଉଭୟକୁ ଗ୍ରହଣ କରିବାକୁ ପଡ଼ିବ। ନକାରାତ୍ମକ ଅଭିଜ୍ଞତାକୁ ଅଣଦେଖା ନ କରିବା ମୋତେ‌ ସକାରାତ୍ମକ ହେବାକୁ ସହୟତା କରିଛି ବୋଲି ଉଥପ୍ପା କହିଛନ୍ତି। ସୂଚନାଯୋଗ୍ୟ ଯେ ଉଥପ୍ପା ଅବସର ନେଇନଥିଲେ ମଧ୍ୟ ୨୦୧୫ ପରଠୁ ଆଉ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିନାହାନ୍ତି। ଗତ ବର୍ଷ ଆଇପିଏଲ୍‌ ନିଲାମରେ ରାଜସ୍ଥାନ ରୟାଲ୍ସ ତାଙ୍କୁ ୩ କୋଟି ଟଙ୍କାରେ କିଣିଥିଲା।

ସମ୍ବନ୍ଧିତ ଖବର