ଭୁବନେଶ୍ୱର: ପାତିଆଲାସ୍ଥିତ ପଞ୍ଜାବୀ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ସର୍ବଭାରତୀୟ ଅନ୍ତଃବିଶ୍ୱବିଦ୍ୟାଳୟ ରଗ୍ବି ପ୍ରତିଯୋଗିତାରେ ଉତ୍କଳ ବିଶ୍ୱବିଦ୍ୟାଳୟ ପୁରୁଷ ଦଳ ହ୍ୟାଟ୍ରିକ୍ (କ୍ରମାଗତ ତୃତୀୟ) ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍ରେ ଏଲ୍ଏନ୍ଆଇପି (ଗ୍ଵାଲିୟର)ଠୁ ଓ୍ଵାକ୍ଓଭର ପାଇଥିବା ଉତ୍କଳ ଦ୍ୱିତୀୟ ମ୍ୟାଚ୍ରେ ଏଲ୍ପିୟୁ (ଫଗୁଆରା)କୁ ୨୫-୦ ଏବଂ ଶୁକ୍ରବାର କ୍ୱାର୍ଟର ଫାଇନାଲ୍ରେ ବାଙ୍ଗାଲୋରକୁ ୧୫-୭ରେ ପରାସ୍ତ କରିଦେଇଛି। ପ୍ରଥମ ଥର ଲାଗି କ୍ରୀଡ଼ା ସୂଚୀରେ ରଗ୍ବିକୁ ସାମିଲ କରିବା ପରେ ସର୍ବଭାରତୀୟ ଅନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ଭାଗ ନେଇଥିବା ଉତ୍କଳ ଦଳ ଲିଗ୍ ପର୍ଯ୍ୟାୟରେ ରାଜସ୍ଥାନ, ଆୟୋଜକ ପଞ୍ଜାବୀ ଓ କିଟ୍ ବିଶ୍ୱବିଦ୍ୟାଳୟକୁ ଭେଟିବ ବୋଲି କ୍ରୀଡ଼ା ପରିଷଦର ନିର୍ଦେଶକ ପ୍ରଫେସର କବୀର ମୋହନ ସେଠୀ କହିଛନ୍ତି।
ଉତ୍କଳ ଦଳ: ବୁଦ୍ଧଦେବ ପ୍ରଧାନ, କ୍ରିସୁଦୁନା ଟୁଡୁ, ଗଣେଶ ହେମ୍ବ୍ରମ୍, ଶ୍ରୀନିବାସ ଶବର, ବାବୁଲା ମେଲକା, ଲୋକନାଥ ମାଝୀ, ରତ୍ନାକର ହେମ୍ବ୍ରମ୍, ସୋମନାଥ ଭୋଇ, ବିଭୂତିଭୂଷଣ ସେଠୀ, ଅବିନାଶ ପରିଡ଼ା, ବିଘ୍ନେଶ୍ୱର ମଲ୍ଲିକ, ଆଦିତ୍ୟ ଡିଗଲ୍। ଜିରାନ ଓରେୟା-ପ୍ରବନ୍ଧକ।