ଉତ୍କଳ ଓପନ୍‌ରେ ଅଂଶୁଙ୍କୁ ଦ୍ବି-ମୁକୁଟ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଷଷ୍ଠ ଉତ୍କଳ ଓପନ୍ ଟେନିସ୍ ପ୍ରତିଯୋଗିତାର ଉଭୟ ପୁରୁଷ ଏକକ ଏବଂ ଯୁଗଳ ବର୍ଗରେ ବିଜୟୀ ହୋଇ ଅଂଶୁ କୁମାର ଭୂୟାଁ ଦ୍ବି-ମୁକୁଟ ହାସଲ କରିଛନ୍ତି। ଏକକ ଫାଇନାଲରେ ଅଂଶୁ ୬-୦, ୬-୪ରେ ଆଦିତ୍ୟ ଶତପଥୀଙ୍କୁ ହରାଇ ବିଜେତା ମୁକୁଟ ପିନ୍ଧିଥିଲେ। ସେହିଭଳି ପୁରୁଷ ଯୁଗଳରେ ଆଦିତ୍ୟ ଶତପଥୀଙ୍କୁ ସାଥୀକରି ଶତୀର୍ଥ ପଟ୍ଟନାୟକ ଓ ଆଶୁତୋଷ ଦାସଙ୍କ ‌ଯୋଡ଼ିକୁ ୭-୫, ୪-୬ (୧୦-୭)ରେ ପରାସ୍ତ କରି ଦ୍ବି-ମୁକୁଟ ଲାଭ କରିଥିଲେ। ମହିଳା ଏକକରେ ଅମିକ୍ କିରଣ ବାଥଙ୍କୁ ୬-୩, ୬-୩ ସିଧାସଳଖ ସେଟ୍‌ରେ ହରାଇ ଋତୁପର୍ଣ୍ଣା ଚୌଧୁରୀ ବିଜୟିନୀ ଆଖ୍ୟା ଅର୍ଜନ କରିଥିଲେ। ୧୪ ବର୍ଷରୁ କମ୍ ବାଳକ ବର୍ଗରେ ଶୀର୍ଷ ମାନ୍ୟତା ଷ୍ଟିଭେନ୍ ଅଙ୍କିତ ଏକ୍କା ୬-୪, ୩-୬, ୬-୧‌ରେ ଦେବବ୍ରତ ପ୍ରଧାନଙ୍କୁ ପରାସ୍ତ କରି ବିଜେତା ହୋଇଥିଲେ। ୧୪ ବର୍ଷରୁ କମ୍ ବାଳିକାରେ ସୋହିନୀ ମହାନ୍ତି ବାଜି ମାରି ନେଇଥିଲେ। ତୃତୀୟ ମାନ୍ୟତା ଆଲିନା ସୟଦଙ୍କୁ ୬-୨, ୬-୦ରେ ହରାଇ ବିଜୟ ମୁକୁଟ ପିନ୍ଧିଥିଲେ। ୪୦ ଏବଂ ୫୦ ବର୍ଷରୁ ଉର୍ଧ୍ବ ବୟସ୍କ ଯୁଗଳରେ ଶାଶ୍ବତା ଜେନା-ହିମାଦ୍ରି କାନୁନାଗୋ ଏବଂ ପ୍ରଭାତ ବକ୍ସି-ସରୋଜ ମଜୁମଦାର ବିଜେତା ହୋଇଥିଲେ। ୬୦ ବର୍ଷରୁ ଅଧିକ ପୁରୁଷ ଯୁଗଳରେ ଦ୍ବିତୀୟ ମାନ୍ୟତା ବିଏନ୍ ମହାନ୍ତି-ଜେଏନ୍ ପଟ୍ଟନାୟକ ବିଜେତା ହେବାର ଗୌରବ ଅର୍ଜନ କରିଥିଲେ। ବିଜେତାଙ୍କୁ ଉତ୍କଳ ବିଲଡର୍ସର ପରିଚାଳନା ନିର୍ଦେଶକ ଶରଦ ବୈଦ୍ୟ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର