ଭୁବନେଶ୍ୱର: ପୁନେ ସହରର ପ୍ରବାସୀ ଓଡ଼ିଆମାନଙ୍କ ଅନୁଷ୍ଠାନ ‘ଉତ୍କଳ ସମାଜ’ ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଉତ୍କଳ ପ୍ରିମିୟର ଲିଗ କ୍ରିକେଟ୍‌ ପ୍ରତିଯୋଗିତାରେ ବାଲେଶ୍ୱର ବୁଲ୍ସ ବିଜେତା ହୋଇଛି। ପୁନେର ଆନ୍ନାସାହେବ ମଗର ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଫାଇନାଲ୍‌ରେ ବାଲେଶ୍ୱର ଦଳ ୫୨ ରନ୍‌ରେ କଟକ କ୍ରୁଜର୍ସକୁ ପରାସ୍ତ କରିଥିଲା। ବାଲେଶ୍ୱର ନିର୍ଧାରିତ ୧୫ ଓଭରରେ ୪ ଓ୍ଵିକେଟ୍‌ ହରାଇ ୧୧୩ ରନ୍‌ କରିଥିଲା। ଶରତ ୩୮ ଏବଂ ଜ୍ୟୋତିରଂଜନ ୩୪ ରନ୍‌ କରିଥିଲେ। ଜବାବରେ କଟକ ଦଳ ସମସ୍ତ ଓ୍ଵିକେଟ୍‌ ହରାଇ ୬୧ ରନ୍‌ରେ କରିପାରିଥିଲା। ହ୍ୟାଟ୍ରିକ୍‌ ସହ ୧୦ ରନ୍‌ ଦେଇ ୫ ଓ୍ଵିକେଟ୍‌ ନେଇଥିବା ଆଶିଷ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ଏବଂ ଲିଗ୍‌ର ଶ୍ରେଷ୍ଠ ବୋଲର ପୁରସ୍କାର ପାଇଥିଲେ। କଟକ ଦଳର ଆଲୋକ ଲିଗ୍‌ର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଏବଂ ରାଉରକେଲାର ବସନ୍ତ ଶ୍ରେଷ୍ଠ କ୍ଷେତ୍ରରକ୍ଷକ ପୁରସ୍କାର ପାଇଥିଲେ। ପ୍ରତିଯୋଗିତାରେ ଭୁବନେଶ୍ୱର ଜାଗୁଆର୍ସ, ବ୍ରହ୍ମପୁର ବ୍ଲାଷ୍ଟର୍ସ, ବାଲେଶ୍ୱର ବୁଲ୍ସ, ରାଉରକେଲା ରେଞ୍ଜର୍ସ, ସମ୍ବଲପୁର ସମୁରାଇ ଓ କଟକ କ୍ରୁଜର୍ସ ଦଳ ଅଂଶ ଗ୍ରହଣ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ଶୁଭଦର୍ଶିନୀ ଦେବତା, ଦିଲ୍ଲୀପ ମେକାପ, ଉତ୍କଳ ସମାଜର ଅଧ୍ୟକ୍ଷ ଅମୂଲ୍ୟ ବଳ ଓ କୋଷାଧ୍ୟକ୍ଷ ଜ୍ଞାନରଞ୍ଜନ ପଣ୍ଡା ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଆଗାମୀ ସଂସ୍କରଣ ଚଳିତ ବର୍ଷ ନଭେମ୍ବରରେ କରିବାକୁ ଉତ୍କଳ ସମାଜ ପୁନେର କ୍ରୀଡ଼ା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର