ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ ଖୋ-ଖୋ: ଉତ୍କଳ ବିଜେତା

ଭୁବନେଶ୍ଵର: ଉତ୍କଳ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦ ଅନୁକୂଲ୍ୟରେ ଆୟୋଜିତ ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ ପୁରୁଷ ଖୋ-ଖୋରେ ଫକୀର ମୋହନ ବିଶ୍ବବିଦ୍ୟାଳୟକୁ ୫ ପଏଣ୍ଟ ଓ ଗୋଟେ ପାଳିରେ ପରାସ୍ତ କରି ଆୟୋଜକ ଉତ୍କଳ ବିଜେତା ହୋଇଛି। ଶନିବାର ଶେଷ ଲିଗ୍‌ ମ୍ୟାଚକୁ ଜିତି ଉତ୍କଳ ବିଶ୍ୱବିଦ୍ୟାଳୟ ୬ ପଏଣ୍ଟ୍‌ ସହ ଶୀର୍ଷରେ ରହି ଟ୍ରଫି କରାୟତ କରିଥିଲା। ଦୁର୍ଗ୍‌ର ହେମଚାନ୍ଦ ଯାଦବ ବିଶ୍ବବିଦ୍ୟାଳୟ ଦ୍ବିତୀୟ, ଫକୀର ମୋହନ ବିଶ୍ବବିଦ୍ୟାଳୟ ତୃତୀୟ, କିଟ୍‌ ଚତୁର୍ଥ ସ୍ଥାନରେ ରହିଥିଲେ। ହେମଚାନ୍ଦ ଯାଦବ ବିଶ୍ବବିଦ୍ୟାଳୟ ୫ ପଏଣ୍ଟ୍‌ ଗୋଟେ ପାଳିରେ କିଟ୍‌କୁ ହରାଇଥିଲା। ଏହି ଚାରି ଦଳ ପୂର୍ବାଞ୍ଚଳରୁ ପ୍ରତିନିଧିତ୍ଵ କରି ଆସନ୍ତା ଡିସେମ୍ବର ୨୭ ତାରିଖ ମୁମ୍ବାଇ ବିଶ୍ୱବିଦ୍ୟାଳୟଠାରେ ଅନୁଷ୍ଠିତ ହେବାକୁଥିବା ସର୍ବଭାରତୀୟସ୍ତରୀୟ ଅନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। କ୍ରୀଡ଼ା ପରିଷଦର ନିର୍ଦେଶକ ପ୍ରଫେସର କବୀର ମୋହନ ସେଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେରେ ଉତ୍କଳ ବିଶ୍ବବିଦ୍ୟାଳୟ ପୂର୍ବତନ କୁଳପତି ତଥା ଓଡିଶା ଉଚ୍ଚ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେତା‌ ଓ ଉପବି‌ଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ବାଲିଆପାଳ ଶାରୀରିକ ମହାବିଦ୍ୟାଳୟର ସଦସ୍ୟ ସମ୍ପାଦକ ପ୍ରଫେସର ଶ୍ରୀକାନ୍ତ ମିଶ୍ର, ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ ଡାଃ ମନମୋହନ ରାଉତ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପରିଷଦର ଶାରୀରିକ ଶିକ୍ଷା ଅଧିକାରୀ ଅମ୍ବିକା ପ୍ରସାଦ ରାୟ, ବିଭାଗୀୟ ଅଧିକାରୀ ପ୍ରମୋଦ କୁମାର ନାୟକ ଉପସ୍ଥିତ ଥିଲେ। ଏହି ପୁରସ୍କାର ବିତରଣୀ ଉତ୍ସବକୁ ଅଧ୍ୟାପକ ନୀଳକଣ୍ଠ ମିଶ୍ର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର