ଭୁବନେଶ୍ବର: ‘ବାରବାଟୀ ଶୂନ’ରୁ ୨୦୨୫-୨୬ ରଣଜୀ ଋତୁ ଆରମ୍ଭ କରିଥିବା ଓଡ଼ିଶା ଦଳ ଶନିବାରଠାରୁ ଦ୍ବିତୀୟ ରାଉଣ୍ଡ୍‌ରେ ଉତ୍ତରପ୍ରଦେଶ ସହ ଖେଳିବ। ପ୍ରଥମ ରାଉଣ୍ଡରେ ଘରୋଇ ପରିବେଶରେ ଖେଳିବା ସତ୍ତ୍ବେ ଓଡ଼ିଶାକୁ ଭ୍ରମଣକାରୀ ବରୋଦା ହରାଇ ଦେଇଥିଲା। କାନପୁରଠାରେ ଖେଳାଯିବାକୁ ଥିବା ଉତ୍ତରପ୍ରଦେଶ ମୁକାବିଲା ମଧ୍ୟ ଶୁଭ୍ରାଂଶୁ ସେନାପତିଙ୍କ ଦଳ ପାଇଁ ସମାନ ଆହ୍ବାନ ଆଣିବ। ଓପନିଂରୁ ଭଲ ପ୍ରାରମ୍ଭ ସହିତ ବଡ଼ ପାଳି ଗଢ଼ିବା, ବୋଲିଂରେ ପ୍ରଭାବୀ ପ୍ରଦର୍ଶନ ‌ଦେବା ଏବଂ କ୍ଷେତ୍ରରକ୍ଷଣରେ ତନ୍ଦରୁସ୍ତ ରହିବାର ଆବଶ୍ୟକ କରୁଛି ଓଡ଼ିଶା ଦଳ। ଅନ୍ୟପକ୍ଷରେ ଉତ୍ତରପ୍ରଦେଶ ପ୍ରଥମ ମ୍ୟାଚ୍‌ରେ ଭଲ ବ୍ୟାଟିଂ କରି ୩ ପଏଣ୍ଟ ସହ ଏହି ମୁକାବିଲା କରିବାକୁ ଯାଉଛି। କାନପୁରର ସମାନ ଗ୍ରିନ୍‌ ପାର୍କ ଗ୍ରାଉଣ୍ଡ୍‌ରେ ଆନ୍ଧ୍ରପ୍ରଦେଶ ୪୭୦ ରନ୍ କରିବା ପରେ ରିଙ୍କୁ ସିଂହ (୧୬୫*)ଙ୍କ ପାଳି ବଳରେ ଉତ୍ତରପ୍ରଦେଶ ୪୭୧/୮ ସ୍କୋର୍‌ କରି ୩ ପଏଣ୍ଟ୍ ଅର୍ଜନରେ ସକ୍ଷମ ହୋଇଥିଲା। କରଣ ଶର୍ମାଙ୍କ ଦଳ ଏବେ କ୍ରମାଗତ ଘରୋଇ ମ୍ୟାଚ୍‌ ଖେଳିବାକୁ ଯାଉଥିବାରୁ ପୂରା ଆତ୍ମବିଶ୍ବାସରେ ରହିଛି। ଓଡ଼ିଶା ଖେଳାଳିଙ୍କୁ ନିଜ ସ୍ତର ବଢ଼ାଇବା ସହ ଲଢ଼ୁଆ ପ୍ରଦର୍ଶନର ଆବଶ୍ୟକତା ରହିଛି।

Advertisment

ଅତୀତ ପ୍ରଦର୍ଶନ ବି ଓଡ଼ିଶା ସପକ୍ଷରେ ନାହିଁ। ଏହି ଦୁଇ ରାଜ୍ୟ ଦଶମ ଥର ପରସ୍ପରକୁ କରିବାକୁ ଯାଉଛନ୍ତି। ପୂର୍ବ ୯ ମୁକାବିଲା ମଧ୍ୟରୁ ଓଡ଼ିଶା ଥରେ ମାତ୍ର ବିଜୟୀ ହୋଇଥିବା ବେଳେ ଉତ୍ତରପ୍ରଦେଶ ୪ ବିଜୟ, ୩ ପାଳି ଆଗ୍ରଣୀ ନେଇଛି। ଅନ୍ୟ ମ୍ୟାଚ୍‌ଟିରେ ପ୍ରଥମ ପାଳି ଅସମ୍ପୂର୍ଣ୍ଣ ରହିବାରୁ ଉଭୟ ଦଳ ପଏଣ୍ଟ୍‌ ବାଣ୍ଟିଥିଲେ। ଉତ୍ତରପ୍ରଦେଶ ବିପକ୍ଷରେ ଓଡ଼ିଶା ୨୫ ବର୍ଷ ଧରି ବିଜୟଶୂନ୍ୟ ରହିଛି। ଏକମାତ୍ର ବିଜୟ ଓଡ଼ିଶା ୨୦୦୧-୦୨ ଋତୁରେ ବାରବାଟୀ ଷ୍ଟାଡିୟମ୍‌ରେ ହାସଲ କରିଥିଲା। ଓଡ଼ିଶା ଏହି ମ୍ୟାଚ୍‌କୁ ୩ ୱିକେଟ୍‌ରେ ଜିତି ପ୍ରଥମ ଥର ସେମିଫାଇନାଲ୍ ଯୋଗ୍ୟତା ଅର୍ଜନ କରିଥିଲା। ଶେଷ ଥର ପାଇଁ ଓଡ଼ିଶା ୨୦୨୨-୨୩ରେ ମିରଟର ଭିକ୍ଟୋରିଆ ପାର୍କ ଷ୍ଟାଡିୟମ୍‌ରେ ଉତ୍ତରପ୍ରଦେଶକୁ ଭେଟିଥିବା ବେଳେ ପାଳି ପଛୁଆ ଭିତ୍ତିରେ କେବଳ ୧ ପଏଣ୍ଟ୍ ପାଇଥିଲା। ପ୍ରଥମ ପାଳିରେ ଶାନ୍ତନୁ ମିଶ୍ର (୧୦୯) ଏବଂ ଦ୍ବିତୀୟ ପାଳିରେ ଅଧିନାୟକ ଶୁଭ୍ରାଂଶୁ ସେନାପତି (୧୪୫)ଙ୍କ ଶତକ ବଳରେ କେବଳ ପରାଜୟ ଏଡ଼ାଇଥିଲା।

ଓଡ଼ିଶା ଦଳ: ଶୁଭ୍ରାଂଶୁ ସେନାପତି (ଅଧିନାୟକ), ସ୍ବସ୍ତିକ ସାମଲ (ଉପଅଧିନାୟକ), ରାଜେଶ ଧୂପର (ୱିକେଟ୍‌ରକ୍ଷକ), ସନ୍ଦୀପ ପଟ୍ଟନାୟକ, ଗୋବିନ୍ଦ ପୋଦ୍ଦାର, ରାଜେଶ ମହାନ୍ତି, ସୁନିଲ ରାଉଳ, ସୁମିତ ଶର୍ମା, ଆଶୀର୍ବାଦ ସ୍ବାଇଁ (ୱିକେଟ୍‌ରକ୍ଷକ), ଅନିଲ ପରିଡ଼ା, ବାଦଲ ବିଶ୍ବାଳ, ସମ୍ବିତ ବରାଳ, ଗୌରବ ଚୌଧୁରୀ, ତାପସ ଦାସ, ତରଣୀ ସ’। ପ୍ରଶିକ୍ଷକ: ସୁରେନ୍ଦ୍ର ଭାବେ, ସହକାରୀ ପ୍ରଶିକ୍ଷକ: ସୌରଭ ସେହଗଲ।

ଉତ୍ତରପ୍ରଦେଶ ଦଳ: କରଣ ଶର୍ମା (ଅଧିନାୟକ), ଆର୍ଯ୍ୟନ ଜୁୟାଲ (ଉପଅଧିନାୟକ), ବୈଭବ ଚୌଧୁରୀ, କୁନାଲ ତ୍ୟାଗୀ, ରିଙ୍କୁ ସିଂହ, ବିପ୍ରଜ ନିଗମ, ପ୍ରଶାନ୍ତ ବୀର, ପ୍ରିୟମ ଗର୍ଗ, ମାଧବ କୌଶିକ, ଆଦିତ୍ୟ ଶର୍ମା, ଆକ୍ବିବ ଖାନ୍‌, ଆରାଧ୍ୟ ଯାଦବ, ଅଭି‌ଷେକ ଗୋସ୍ବାମୀ, ଶିବମ ମାଭୀ, ଶିବମ ଶର୍ମା, ସିଦ୍ଧାର୍ଥ ଯାଦବ, ବିଜୟ କୁମାର।