ଏସିଆ କରାଟେରେ ଭାଗନେବେ ଭାଲିନା ଓ ମଧୁପ୍ରିୟା

ଭୁବନେଶ୍ବର : ଆସନ୍ତା ୧୩ରୁ ୨୦ ତାରିଖ ପର୍ଯ୍ୟନ୍ତ ଉଜ୍‌ବେକିସ୍ତାନର ତାସ୍କଟାଠାରେ ଆୟୋଜିତ ହେଉଛି ଏସିଆ କରାଟେ ପ୍ରତିଯୋଗିତା। ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିବା ଓଡ଼ିଶାର କାଲିନା ଭାଲେଣ୍ଟିନା ଏବଂ ମଧୁପ୍ରିୟା ସୋମବାର ଉଜ୍‌ବେକିସ୍ତାନ ଯାତ୍ରା କରିବେ। ଗତ ଜାତୀୟ ପ୍ରତିଯୋଗିତାରେ ଉଭୟେ ନିଜ ନିଜର ବ୍ୟକ୍ତିଗତ ବର୍ଗରେ ସ୍ବର୍ଣ୍ଣ ଏବଂ କଲମ୍ବୋରେ ଶେଷ ହୋଇଥିବା ଦକ୍ଷିଣ ଏସିଆ କରାଟେ ପ୍ରତିଯୋଗିତାରେ ବ୍ୟକ୍ତିଗତ କାଂସ୍ୟ ପଦକ ଜିତିଥିଲେ। କରାଟେ ଇଣ୍ଡିଆ ଅର୍ଗାନାଇଜେସନ୍‌ (କେଆଇଓ) ଦ୍ବାରା ଏହି ଦୁଇ ଜଣଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି।

ଏସିଆ ପ୍ରତିଯୋଗିତାରେ ଭାଲିନା ବରିଷ୍ଠ ମହିଳା ବ୍ୟକ୍ତିଗତ କାଟା ଏବଂ ମଧୁପ୍ରିୟା କ୍ୟାଡେଟ୍‌ ବ୍ୟକ୍ତିଗତ ମହିଳା କାଟାରେ ପ୍ରତିନିଧିତ୍ବ କରିବେ। ଉଜ୍‌ବେକିସ୍ତାନ ଗସ୍ତ ପାଇଁ ଉଭୟଙ୍କୁ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ସମସ୍ତ ଖର୍ଚ୍ଚ ବହନ କରିଥିବାରୁ ଓଡ଼ିଶା ରାଜ୍ୟ କରାଟେ ସଂଘ କୃତଜ୍ଞତା ଜ୍ଞାପନ କରିଛି। ସେହିପରି ଉଭୟ ଭାଲିନା ଓ ମଧୁପ୍ରିୟାଙ୍କୁ ରାଜ୍ୟ ସଂଘର ସଂପାଦକ ଡ. ଗୌରୀ ମହାନ୍ତି ଏବଂ ପ୍ରଶିକ୍ଷକ ଡ. ହରିପ୍ରସାଦ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର