ଭଲିବଲ୍‌ ଗାଁ ଓ ଗରିବଙ୍କ ଖେଳ

ଭୁବନେଶ୍ୱର,: ଲିଙ୍ଗରାଜ କ୍ରୀଡ଼ା ସଂଘ ପକ୍ଷରୁ ରବିବାର ଆୟୋଜିତ ସର୍ବଭାରତୀୟ ଦିନିକିଆ ଦିବା/ରାତ୍ର ଭଲିବଲ୍‌ ପ୍ରତିଯୋଗିତାରେ ଅନ୍ତର୍ଜାତୀୟ ଖେଳାଳି ଦୀପେଶ କୁମାର ସିହ୍ନା ଥିଲେ ମୁଖ୍ୟ ଆକର୍ଷଣ। ଛତିଶଗଡ଼ର ଏହି ୬ ଫୁଟ ୬ ଇଞ୍ଚ ଉଚ୍ଚତା ବିଶିଷ୍ଟ ଖେଳାଳି ଭାରତୀୟ ଦଳର ଦକ୍ଷ ‘ବ୍ଲକର’ ଭାବେ ବେଶ୍‌ ନାଁ କରିଛନ୍ତି। ଏସୀୟ ଭଲିବଲ୍‌ ପ୍ରତିଯୋଗିତାରେ ଭାରତର ସେମିଫାଇନାଲ ପ୍ରବେଶରେ ପ୍ରମୁଖ ଭୂମିକା ତୁଲାଇଥିବା ଦୀପେଶ ଅତିଥି ଖେଳାଳି ଭାବେ ଏଠାକୁ ଆସିଥିଲା ବେଳେ ତାଙ୍କୁ ସାକ୍ଷାତ କରିଥିଲେ ଦେବାଶିଷ ସୁନ୍ଦରାୟ।

ସମ୍ବାଦ: ଭଲିବଲ୍‌କୁ କେମିତି ଆସିଲେ?

ଦୀପେଶ: ମୋର ଭଲ ଉଚ୍ଚତା ଥିଲା। କଲେଜରେ ପଡ଼ିଲା ବେଳେ ଖେଳ ଶିକ୍ଷକମାନେ ମୋତେ ଭଲିବଲ୍‌ ଖେଳିବାକୁ ଉତ୍ସାହିତ କରିଥିଲେ। ପଢ଼ା ପଢ଼ିରେ ସେତେଟା ରୁଚି ନଥିବାରୁ ସୌଖିନ ଭାବେ ଭଲିବଲ୍‌ ଖେଳିବା ଆରମ୍ଭ କରିଥିଲି। ହେଲେ ପରେ ଏହା ମୋର ନିଶା ଏବଂ ପେସା ପାଲଟି ଯାଇଥିଲା। ବେଙ୍ଗାଲୁରୁରେ ଏକ ମ୍ୟାଚ୍‌ ଖେଳୁଥିଲା ବେଳେ ମୋ ଉପରେ ଭାରତୀୟ ଦଳର ପ୍ରଶିକ୍ଷକ ଶ୍ରୀଧରଙ୍କ ନଜର ପଡ଼ିଥିଲା। ସେ ମୋତେ କୋଏମ୍ବାଟୁର ଯାଇ ସେଠାକାର ଶ୍ରୀରାମ ଏକାଡେମିରେ ପ୍ରଶିକ୍ଷଣ ନେବାକୁ ପରାମର୍ଶ ଦେଇଥିଲେ। ଶ୍ରୀରାମ ଏକାଡେମିରେ କିଛି ଦିନ ପ୍ରଶିକ୍ଷଣ ଦେବା ପରେ ମୁଁ ୨୦୧୦ରେ ଗ୍ଵାଲିୟରରେ ଅନୁଷ୍ଠିତ ଭାରତୀୟ ଯୁବ ଦଳର ପ୍ରଶିକ୍ଷଣ ଶିବିରରେ ଚୟନକର୍ତାଙ୍କ ଧ୍ୟାନ ଆକର୍ଷଣ କରିଥିଲି। ତା’ ସହ ପ୍ରଥମ ଥର ପାଇଁ ଜାତୀୟ ଯୁବ ଦଳରେ ସ୍ଥାନ ପାଇବାର ସୌଭାଗ୍ୟ ଲାଭ କରିଥିଲି।

ସମ୍ବାଦ: ଭାରତରେ ଭଲିବଲ୍‌ର ଲୋକପ୍ରିୟତା ତୁଳନାତ୍ମକ ଭାବେ କମ୍‌। ଏହି ଖେଳକୁ କାହିଁକି ବାଛିଲେ

ଦୀପେଶ: ଭଲିବଲ୍‌କୁ ଆପଣ ଗ୍ରାମାଞ୍ଚଳର ଖେଳ କହି ପାରିବେ। ଏହି ଖେଳକୁ ଧନୀ ଗରିବ ସମସ୍ତେ ଖେଳି ପାରିବେ। ବିଶ୍ୱରେ ଫୁଟବଲ୍‌ ପରେ ଭଲିବଲ୍‌ ସର୍ବାଧିକ ଖେଳାଯାଉଥିବା ଖେଳ। ୨୨୦ ଦେଶରେ ଭଲିବଲ୍‌ ଖେଳା ଯାଇଥାଏ। ହଁ ମୁଁ ଏକଥା ସ୍ୱୀକାର କରୁଛି ଯେ ଭାରତରେ ଭଲି ପେସାଦାର ଖେଳ ଭାବେ ସେତେଟା ନାଁ କରି ନାହିଁ। ହେଲେ ଆମ ଦେଶର ସହରଠାରୁ ଗାଁ ପର୍ଯ୍ୟନ୍ତ ସବୁଠି ଅପଣ ଲକ୍ଷ ଲକ୍ଷ ପିଲା ସୌଖିନ ଭାବେ ଭଲିବଲ୍‌ ଖେଳୁଥିବା ଦେଖିବାକୁ ପାଇବେ। ଟେଲିଭିଜନରେ ପ୍ରସାର ପ୍ରଚାରର ବ୍ୟବସ୍ଥା ହେଲେ ଭଲିବଲ୍‌ର ବହୁତ ଆଗକୁ ଯାଇ ପାରନ୍ତା। ତାରକାଙ୍କୁ ପ୍ରଶଂସକ ଚିହ୍ନି ପାରନ୍ତେ। ଖେଳ ବିଷୟରେ ଅଧିକ ଜାଣି ପାରନ୍ତେ। ଫଳରେ ଏହି ଖେଳର ଭାଗ୍ୟ ବି ବଦଳି ଯଆନ୍ତା।

ଯୁବ, କନିଷ୍ଠ ଏବଂ ବରିଷ୍ଠ ତିନିଟି ଯାକ ସ୍ତରରେ ଆପଣ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ବିଶ୍ୱ ଭଲିବଲ୍‌ରେ ଭାରତର ସାଂପ୍ରତିକ ସ୍ଥିତି ବିଷୟରେ କଣ କହିବେ?

ଦୀପେଶ: ମୁଁ କହିବି ବିଶ୍ୱ ସ୍ତରରେ ଭାରତର ସ୍ଥିତି ଅନ୍ୟ ବହୁ ଖେଳଠାରୁ ଭଲ। ଆମେ ସଂପ୍ରତି ବିଶ୍ୱ ମାନ୍ୟତାର ୪୨ତମ ସ୍ଥାନରେ ଅଛୁ। ମହିଳାରେ ବି ଶ୍ରେଷ୍ଠ ୧୦୦ ମଧ୍ୟରେ ଭାରତ ରହିଛି। ଆଗକୁ ଏହି ମାନ୍ୟତା ସୁଧୁରିବାର ଯଥେଷ୍ଟ ସମ୍ଭାବନା ଅଛି। ଏସୀୟ ସ୍ତରରେ ବି ଆମ ପ୍ରଦର୍ଶନ କୌଣସି ଦେଶଠାରୁ କମ୍‌ ନୁହେଁ।

ଓଡ଼ିଶାର କୌଣସି ଖେଳାଳିଙ୍କ ସହ ଖେଳିଛନ୍ତି କି? ଜାତୀୟ ଭଲିବଲ୍‌ରେ ଓଡ଼ିଶାର ପ୍ରଦର୍ଶନକୁ କେମିତି ଆକଳନ କରିବେ?

ଦୀପେଶ: ସର୍ବଭାରତୀୟ ଭଲିବଲ୍‌ ପ୍ରତିଯୋଗିତାରେ ମୁଁ ଓଡ଼ିଶା ବିପକ୍ଷରେ କିଛି ମ୍ୟାଚ୍‌ ଖେଳିଛି। ମୁଁ ଥରେ ଭୁବନେଶ୍ୱର ଆସି ଏଠାକାର ଏକ ଗ୍ରାମାଞ୍ଚଳ ପ୍ରତିଯୋଗିତାରେ ବି ଖେଳିଥିଲି। ତବରେଜ୍‌ ଏବଂ ସୁଲେମାନଙ୍କ ଭଳି ଖେଳାଳି ମୋର ମନେ ଅଛନ୍ତି। ହେଲେ ଓଡ଼ିଶାରେ ଆହୁରି ଅଧିକ ପ୍ରତିଯୋଗିତା ଆୟୋଜିତ ହେବା ଦରକାର। ଏହା ହେଲେ ଖେଳାଳି ବାହାରିବେ ଏବଂ ଦଳ ଆଗକୁ ବଢ଼ି ପାରିବେ। ଦଳଗତ ଭାବେ ଓଡ଼ିଶା ଭଲ କରୁଥିଲେ ମଧ୍ୟ କେରଳ ଓ ତାମିଳନାଡୁ ଭଳି ଦଳଠାରୁ ପଛରେ ପଡ଼ି ଯାଉଛି।

ଜାତୀୟ ଦଳରେ ନିଜ ସ୍ଥାନ ବଜାୟ ରଖିବା ଲାଗି କ’ଣ କରୁଛନ୍ତି। ଏଥିଲାଗି ଆପଣଙ୍କୁ କିଭଳି ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବାକୁ ପଡ଼ିଥାଏ?

ଦୀପେଶ: ନିୟମିତ ଅଭ୍ୟାସ କରୁଛି। ବିଭିନ୍ନ ପ୍ରତିଯୋଗିତା ବି ଖେଳୁଛୁ। ଏହା କରି ନିଜକୁ ସୁସ୍ଥ ଓ ସତେଜ ରଖୁଛି। ଆସନ୍ତାବର୍ଷ ଏପ୍ରିଲରେ ବେଙ୍ଗାଲୁରୁରେ ଆମର ତିନି ମାସିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ। ଏଥିରେ ଭଲ କରି ନିଜ ସ୍ଥାନ ପକ୍କା କରିବାକୁ ଲକ୍ଷ୍ୟ ରଖିଛି। ଅନ୍ୟ ଖେଳ ଭଳି ଜାତୀୟ ଭଲିବଲ୍‌ ଦଳ ପାଇଁ ମଧ୍ୟ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହୋଇଥାଏ। କନିଷ୍ଠ ଖେଳାଳିମାନେ ବରିଷ୍ଠଙ୍କ ଉପରେ ଭଲ କରିବାକୁ ଚାପ ପକାଇ ଥାଆନ୍ତି। ସେଥିପାଇଁ ମୁଁ ସବୁବେଳେ ନିଜ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିଥାଏ।

ଭଲିବଲ୍‌ରେ ଉଚ୍ଚତାର କେତେ ଗୁରୁତ୍ୱ ରହିଛି। ଆପଣଙ୍କ ସଫଳତାର ଚାବିକାଠି କଣ?

ଦୀପେଶ: ବାସ୍କେଟବଲ୍‌ ଭଳି ଭଲିବଲରେ ବି ଉଚ୍ଚତାର ଢେର ମହତ୍ୱ ରହିଛି। ଅଧିକ ଉଚ୍ଚତା ବିଶିଷ୍ଟ ଖେଳାଳି ଅନ୍ୟମାନଙ୍କଠାରୁ ଫାଇଦା ରହିଥାନ୍ତି। ମୋ ମତରେ କେବଳ ଭଲିବଲ୍‌ ନୁହେଁ ସବୁ ଖେଳରେ ସଫଳ ହେବା ଲାଗି ଶୃଙ୍ଖଳିତ ହେବା ନିହାତି ଜରୁରୀ। ଶୃଙ୍ଖଳିତ ଜୀବନ ହିଁ ସଫଳତାର ଚାବିକାଠି। ଯେଉଁ ଖେଳାଳି ଯେତେ ଶୃଙ୍ଖଳିତ ସେ ସେତେ ସଫଳ। ମୋ ମତରେ ଘରଠାରୁ ଦୂରରେ ଥିବା ଏକାଡେମି କିମ୍ବା ଛାତ୍ରାବାସରେ ରହି ଏକ ଲକ୍ଷ୍ୟ ଭାବେ ଖେଳିଲେ ଯେ କୌଣସି ଖେଳରେ ସଫଳତା ନିଶ୍ଚିତ ମିଳିବ।

ଅନ୍ତର୍ଜାତୀୟ ତାରକା ଦୀପେଶ

ଛତିଶଗଡ଼ର ରାୟପୁର ସହରରେ ୧୯୯୩ ମସିହା ମେ’ ୨୦ ତାରିଖରେ ଜନ୍ମ ଗ୍ରହଣ କରିଥିବା ଦୀପେଶ ଭାରତୀୟ ଭଲିବଲ୍‌ ଦଳର ଅନ୍ୟତମ ପ୍ରତିଭାବାନ୍‌ ଖେଳାଳି। ଛତିଶଗଡ଼ର ପ୍ରଥମ ଖେଳାଳି ଭାବେ ଜାତୀୟ ଭଲିବଲ୍‌ ଦଳରେ ସ୍ଥାନ ପାଇଥିବା ଦୀପେଶ ୧୧ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତର ପ୍ରତିନିଧିତ୍ୱ କରି ସାରିଛନ୍ତି। ସେ ୨୦୧୦ ମସିହାରେ ଇରାନରେ ଆୟୋଜିତ ଯୁବ ଏସୀୟ ଭଲିବଲ୍‌ ପ୍ରତିଯୋଗିତା ଲାଗି ପ୍ରଥମ ଥର ପାଇଁ ଭାରତୀୟ ଯୁବ ଦଳରେ ସ୍ଥାନ ପାଇଥିଲେ । ସେହି ପ୍ରତିଯୋଗିତାରେ ଭାରତ ସେମିଫାଇନାଲ୍‌ ପର୍ଯ୍ୟନ୍ତ ଯାଇ ପାରିଥିଲା। ଏହା ପରେ ତାଙ୍କୁ ଭାରତୀୟ କନିଷ୍ଠ ଦଳରେ ଖେଳିବାର ସୁଯୋଗ ମିଳିଥିଲା। ୨୦୧୨ରେ ସେହି ଇରାନରେ ଆୟୋଜିତ କନିଷ୍ଠ ଏସୀୟ ଭଲିବଲ୍‌ ପ୍ରତିଯୋଗିତାରେ ସେ ପୁଣି ଥରେ ଖେଳିବାର ସୁଯୋଗ ପାଇଥିଲେ। ଏଥିରେ ଦୀପେଶ ଶ୍ରେଷ୍ଠ ବ୍ଲକର ପୁରସ୍କାର ଲାଭ କରିଥିଲେ। ବର୍ଷକ ପରେ ଅର୍ଥାତ୍‌ ୨୦୧୩ରେ ତୁର୍କିରେ ଆୟୋଜିତ କନିଷ୍ଠ ବିଶ୍ୱକପ ପାଇଁ ସେ ଡାକରା ପାଇଥିଲେ। ଏହି ପ୍ରତିଯୋଗିତାରେ ଭାରତ କ୍ୱାର୍ଟର ଫାଇନାଲ୍‌ ଖେଳିଥିଲା। ଏହା ପରେ ୨୦୧୩-୧୪ରେ ଦୁବାଇ, କାତାର, ଟ୍ୟୁନିସିଆ ଓ ମାଳଦ୍ୱୀପ ଭଳି ଦେଶରେ ଖେଳିବା ପରେ ୨୦୧୫ରେ ଜାତୀୟ ବରିଷ୍ଠ ଦଳରୁ ଖେଳିବାର ସୁଯୋଗ ମିଳିଥିଲା। ସେହି ବର୍ଷ ଇରାନରେ ଆୟୋଜିତ ବରିଷ୍ଠ ଏସୀୟ ପ୍ରତିଯୋଗିତାରେ ଭାରତକୁ ସେ ସେମିଫାଇନାଲ୍‌ ନେଇଥିଲେ। ଗତବର୍ଷ ତାଙ୍କୁ ଛତିଶଗଡ଼ ସରକାର ସହିଦ ରାଜୀବ ପାଣ୍ଡେ ପୁରସ୍କାରରେ ସମ୍ମାନିତ କରିଛି। ଅନ୍ତର୍ଜାତୀୟ ଖେଳାଳି ହୋଇଥିବା ସତ୍ତ୍ୱେ ସମସ୍ତଙ୍କ ସହ ସହଜରେ ମିଶୁଥିବା ଦୀପେଶ ଟିକିଏ ଡେରିରେ ଅର୍ଥାତ୍‌ ଦ୍ୱାଦଶ ଶ୍ରେଣୀ ଶେଷ କରିବା ପରେ ହିଁ ଭଲିବଲ୍‌ ଖେଳିବା ଆରମ୍ଭ କରିଥିଲେ। ହେଲେ ଥରେ ଆରମ୍ଭ କଲା ପରେ ଆଉ ଅଟକି ନଥିଲେ। ଦୀପେଶଙ୍କ ପିତା ବିଆର ସିହ୍ନା ଏବଂ ମାତା ଗାୟତ୍ରୀ ସିହ୍ନା ଉଭୟ ପୁଲିସ ବିଭାଗରେ ଚାକିରି କରୁଛନ୍ତି। ଉଭୟଙ୍କ ଉତ୍ସାହ ଓ ଆଶୀର୍ବାଦରେ ସେ ଏତେବାଟ ଆସି ପାରିଛନ୍ତି। ସଂପ୍ରତି ଦୀପେଶ ମଧ୍ୟ ଛତିଶଗଡ଼ ପୁଲିସରେ ସହାୟକ ସବଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର