ଭୁବନେଶ୍ୱର: ୧୯୬୬ ମସିହାରେ ଏସୀୟ କ୍ରୀଡ଼ାର ପଞ୍ଚମ ସଂସ୍କରଣ ଆୟୋଜିତ ହୋଇଥିଲା ଥାଇଲାଣ୍ଡ୍ର ହଂକଂରେ। ଡିସେମ୍ବର ୯ରୁ ୨୦ ତାରିଖ ପର୍ଯ୍ୟନ୍ତ ୧୨ ଦିନ ଧରି ଅନୁଷ୍ଠିତ ଏହି କ୍ରୀଡ଼ା ମହୋତ୍ସବରେ ୧୪ ଖେଳ ଓ ୧୪୨ ଇଭେଣ୍ଟ୍ ସମ୍ପନ୍ନ ହୋଇଥିଲା। ଏହାର ପୂର୍ବ ସଂସ୍କରଣରେ ବଞ୍ଚିତ ହେବା ପରେ ଇସ୍ରାଏଲ୍ ଓ ତାଇଓ୍ଵାନ ପ୍ରତ୍ୟାବର୍ତନ କରିଥିଲେ। ୧୮ ଦେଶରୁ ପ୍ରାୟ ୧୯୪୫ ଖେଳାଳି ଭାଗ ନେଇଥିଲେ। ସୁଫାଚଳସାଇ ଷ୍ଟାଡିୟମରେ ଉଭୟ ଉଦ୍ଘାଟନୀ ଓ ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସବୁଠାରୁ ବଡ଼ କଥା ହେଉଛି ଭଲିବଲ୍ ଏହି ସଂସ୍କରଣରେ ପ୍ରଥମ ପଦାର୍ପଣ କରିଥିଲା।
କିନ୍ତୁ କେବଳ ମହିଳା ବର୍ଗରେ ଖେଳାଯାଇଥିଲା। ଜାପାନ କ୍ରମାଗତ ପଞ୍ଚମ ଥର ପାଇଁ ବିଜେତା ହୋଇଥିଲା କ୍ରମେ ଅଧିକରୁ ଅଧିକ ପଦକ ଜିତି। ୭୮ ସ୍ୱର୍ଣ୍ଣ, ୫୩ ରୌପ୍ୟ, ୩୩ କାଂସ୍ୟ ସହିତ ମୋଟ ୧୬୪ ପଦକ ଜିତିନେଇଥିଲା। ସର୍ବାଧିକ ସ୍ୱର୍ଣ୍ଣ ଜିତିବାରେ ମଧ୍ୟ ଜାପାନ ନୂଆ କୀର୍ତିମାନ କରିଥିଲା। ସ୍ୱର୍ଣ୍ଣରେ ଅଧାରୁ ଅଧିକ (୭୮/୧୪୦) ଏବଂ ମୋଟ ଉପରେ ଏକତୃତୀୟାଂଶରୁ ସାମାନ୍ୟ କମ୍ (୧୬୪/୪୬୦) ପଦକ ଜିତିଥିଲା ଜାପାନ। ଦକ୍ଷିଣ କୋରିଆ (୧୨+୧୮+୨୧) ପ୍ରଥମ ଥର ଦ୍ୱିତୀୟ ସ୍ଥାନ ଦଖଲ କରି ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ଆୟୋଜକ ଥାଇଲାଣ୍ଡ (୧୨+୧୪+୧୧) ତୃତୀୟରେ ରହିବା ମଧ୍ୟ ଅନ୍ୟତମ ଉଲ୍ଲେଖନୀୟ କଥା ଥିଲା। ମାଲେସିିଆ (୭+୫+୬) ମୋଟ ୧୮ ପଦକ ଜିତି ଚତୁର୍ଥ ହୋଇଥିବା ବେଳେ ଭାରତ ୨୧ ପଦକରେ (୭+୩+୧୧) ସୀମିତ ହୋଇ ପଞ୍ଚମକୁ ଖସିଯାଇଥିଲା। ପୂର୍ବ ସଂସ୍କରଣରେ ଜାକର୍ତାରେ ଭାରତ ତୃତୀୟ ସ୍ଥାନରେ ରହିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/volley-ball.jpg)