ନ୍ୟୁୟର୍କ: ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି ଚଳିତ ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍ର କ୍ବାର୍ଟର୍ଫାଇନାଲ୍ରେ ପ୍ରବେଶ କରି ଇତିହାସ ରଚିଛନ୍ତି। ଏହା ହେଉଛି ବିଶ୍ବମାନ୍ୟତାର ୩୨ତମ ସ୍ଥାନରେ ଥିବା ଭାମ୍ବ୍ରିଙ୍କ କ୍ୟାରିୟର୍ର ପ୍ରଥମ ଗ୍ରାଣ୍ଡସ୍ଲାମ୍ କ୍ବାର୍ଟର୍ଫାଇନାଲ୍ ପ୍ରବେଶ। ଚତୁର୍ଦଶ ସିଡ୍ ଭାମ୍ବ୍ରି ଓ ନ୍ୟୁଜିଲାଣ୍ଡର ମାଇକେଲ୍ ଭେନସ୍ଙ୍କ ଯୋଡ଼ି ପ୍ରିକ୍ବାର୍ଟରରେ ଚତୁର୍ଥ ସିଡ୍ ଜର୍ମାନୀର କେଭିନ କ୍ରାୱିଜ୍ ଓ ଟିମ୍ ପୁଏଜ୍ଙ୍କୁ ୬-୪, ୬-୪ ସିଧାସଳଖ ସେଟ୍ରେ ପରାସ୍ତ କରି ଏହି ଅନନ୍ୟ ସଫଳତା ଲାଭ କରିଛନ୍ତି। ନିଜଠାରୁ ୧୦ଟି ସ୍ଥାନ ଉଚ୍ଚ ମାନ୍ୟତାପ୍ରାପ୍ତ ତଥା ଅଧିକ ସଫଳ ଓ ଅଭିଜ୍ଞ କ୍ରାୱିଜ୍ ଓ ପୁଏଜ୍ଙ୍କୁ ହରାଇବାକୁ ଭାମ୍ବ୍ରି-ଭେନସ୍ ଏକ ଘଣ୍ଟା ୨୩ ମିନିଟ୍ କାଳ ଲଢ଼ିଥିଲେ। କ୍ବାର୍ଟର୍ଫାଇନାଲ୍ରେ ସେମାନେ ଏକାଦଶ ସିଡ୍ କ୍ରୋଏସିଆର ନିକୋଲା ମେକଟିକ୍ ଓ ଆମେରିକାର ପୁରୁଖା ଖେଳାଳି ରାଜୀବ ରାମଙ୍କୁ ଭେଟିବେ। ଆଘାତ ଜନିତ ସମସ୍ୟା ଜର୍ଜରିତ ୩୩ବର୍ଷୀୟ ଭାମ୍ବ୍ରି କେବବି କୌଣସି ଗ୍ରାଣ୍ଡସ୍ଲାମ୍ର ପୁରୁଷ ଏକକର ପ୍ରଥମ ରାଉଣ୍ଡ୍ ଆଗକୁ ବଢ଼ି ପାରିନାହାନ୍ତି। ତେବେ ଯୁଗଳରେ ଅପେକ୍ଷାକୃତ ଭଲ ପ୍ରଦାର୍ଶନ କରି ଚଳିତ ବର୍ଷର ଫ୍ରେଞ୍ଚ୍ ଓପନ୍ ଓ ୱିମ୍ବଲଡନ୍ ଓପନ୍ ପୁରୁଷ ଯୁଗଳର ତୃତୀୟ ରାଉଣ୍ଡ୍ରେ ପ୍ରବେଶ କରିଥିଲେ।
ସେମିରେ ଜୋକୋଭିକ-ଅଲ୍କାରାଜ୍
ରେକର୍ଡ ୨୫ତମ ଗ୍ରାଣ୍ଡସ୍ଲାମ୍ ଟ୍ରଫି ଲକ୍ଷ୍ୟରେ ଥିବା ସର୍ବିୟାର ମହାନ ଟେନିସ୍ ତାରକା ନୋଭାକ ଜୋକୋଭିକଙ୍କ ଜୟଯାତ୍ରା ଜାରି ରହିଛି। ବୟୋଜ୍ୟେଷ୍ଠ ଖେଳାଳି ଭାବେ ୟୁଏସ୍ ଓପନ୍ର କ୍ବାର୍ଟର୍ଫାଇନାଲ୍କୁ ଯାଇଥିବା ୩୮ବର୍ଷୀୟ ଜୋକୋଭିକ ସ୍ଥାନୀୟ ତାରକା ଟେଲର ଫ୍ରିଜ୍ଙ୍କୁ ୬-୩, ୭-୫, ୩-୬, ୬-୪ ସେଟ୍ରେ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଛନ୍ତି। ବୁଧବାର ଜୋକୋଭିକଙ୍କ ୮ବର୍ଷୀୟ ଝିଅ ତାରାଙ୍କର ଅଷ୍ଟମ ଜନ୍ମଦିବସ ଥିଲା ବେଳେ ସେ ଏହାକୁ ସ୍ମରଣୀୟ କରିଛନ୍ତି। ସେମିଫାଇନାଲ୍ରେ ଜୋକୋଭିକ୍ ଦ୍ବିତୀୟ ସିଡ୍ କାର୍ଲୋସ୍ ଅଲ୍କାରାଜ୍ଙ୍କୁ ଭେଟିବେ। ଅଲ୍କାରାଜ୍ ୬-୪, ୬-୨, ୬-୪ ସେଟ୍ରେ ଚେକ୍ ରିପବ୍ଲିକ୍ର ଜିରି ଲେହେକାଙ୍କୁ ହରାଇଥିଲେ।
ମହିଳା ଏକକ ସେମିଫାଇନାଲ୍ରେ ଗତବର୍ଷ ଫାଇନାଲ୍ର ପୁନରାବୃତ୍ତି ଦେଖିବାକୁ ମିଳିବ। ଚତୁର୍ଥ ସିଡ୍ ତଥା ସ୍ଥାନୀୟ ଖେଳାଳି ଜେସିକା ପେଗୁଲା ୬-୩, ୬-୩ରେ ଦୁଇଥର ଗ୍ରାଣ୍ଡସ୍ଲାମ୍ ବିଜୟିନୀ ବାର୍ବରା କ୍ରେଜିକୋଭାଙ୍କୁ ହରାଇ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ସେ ଗତଥର ବିଜୟିନୀ ଆରିନା ସାବାଲେଙ୍କାଙ୍କୁ ଭେଟିବେ। ସାବାଲେଙ୍କା କ୍ବାର୍ଟର୍ଫାଇନାଲ୍ରେ ଚେକ୍ ରିପବ୍ଲିକ୍ର ଅଣସିଡେଡ୍ ଖେଳାଳି ମର୍କେତା ଭନ୍ଦ୍ରୋସୋଭାଙ୍କୁ ଭେଟିବାର ଥିଲା। ତେବେ ଆହତ ହୋଇ ଭଣ୍ଡ୍ରୋସୋଭା ଏହି ମ୍ୟାଚ୍ରୁ ଓହରିଯିବା ପରେ ସାବାଲେଙ୍କା ଲଗାତାର ଦ୍ବିତୀୟ ଥର ପାଇଁ ମହିଳା ଏକକ ଟ୍ରଫି ଜିତିବା ଦିଗରେ ଆଉ ଗୋଟିଏ ପାଦ ବଢ଼ାଇଛନ୍ତି।