ପ୍ରଶିକ୍ଷକଙ୍କ ସମ୍ମୁଖରେ ବିବିଧ ପ୍ରଶ୍ନ, ଏଥର ଅଷ୍ଟ୍ରେଲିଆରେ ଦୁଇ ଡଜନ କ୍ୟାଚ୍‌ ହାତଛଡ଼ା

ମେଲବର୍ନ: ‘ଆଡିଲେଡ୍ ଲଜ୍ଜା’ ପରେ ଭାରତୀୟ ଖେଳାଳିଙ୍କ ସହ ସଂପୂର୍ଣ୍ଣ ପ୍ରଶିକ୍ଷକ ମଣ୍ଡଳି ମଧ୍ୟ ତୀବ୍ର ସମାଲୋଚନାର ସମ୍ମୁଖୀନ ହେଉଛି। ପ୍ରଶିକ୍ଷକମାନଙ୍କୁ ପ୍ରଶଂସକ ନିୟମିତ କଠୋର ପ୍ରଶ୍ନ ପଚାରିବା ସହ ଏହି ଅଦିନିଆ, ଅସ୍ବାଭାବିକ ତଥା ଅପ୍ରତ୍ୟାଶିତ ବିପର୍ଯ୍ୟୟ ପାଇଁ ସେମାନଙ୍କୁ କାଠଗଡ଼ା‌ରେ ଛିଡ଼ା କରୁଛନ୍ତି। ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ, ବୋଲିଂ ପ୍ରଶିକ୍ଷକ ଭରତ ଅରୁଣ ଏବଂ କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଆର. ଶ୍ରୀଧର ଦୀର୍ଘ ଦିନ ହେବ ଭାରତୀୟ ଦଳ ସହ ଥିଲେ ମଧ୍ୟ ଦଳର ପ୍ରଦର୍ଶନରେ ସେମିତି କିଛି ଆଖିଦୃଶିଆ ଉନ୍ନତି ନହେବା ପ୍ରଶଂସକଙ୍କ ସହ କ୍ରିକେଟ୍ ପଣ୍ଡିତମାନଙ୍କୁ ବିସ୍ମିତ କରିଛି। ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋରଙ୍କୁ ବି ପ୍ରଶଂସକ ବରାବର ବିବିଧ ଓ କଠିନ ପ୍ରଶ୍ନ କରୁଛନ୍ତି। ପ୍ରଶିକ୍ଷକ ମଣ୍ଡଳିକୁ ମଧ୍ୟ ଏଭଳି ଦୟନୀୟ ପ୍ରଦର୍ଶନ ପାଇଁ ଉତ୍ତରଦାୟୀ କରିବାକୁ ଚାରିଆଡ଼ୁ ଦାବି ହେଉଛି।

ଏଥର ଅଷ୍ଟ୍ରେଲିଆରେ ଦୁଇ ଡଜନ କ୍ୟାଚ୍‌ ହାତଛଡ଼ା
ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟଚକିତ ହେବେ ଯେ ଆଡିଲେଡ୍‌ ଟେଷ୍ଟ୍‌ର ପ୍ରଥମ ପାଳିରେ ଭାରତୀୟ ଖେଳାଳିମାନେ ଅନ୍ୟୁନ ୫ଟି କ୍ୟାଚ୍ ଛାଡ଼ିଥିଲେ। ଏକାକୀ ମାର୍ନସ ଲବୁସାନେ ତିନିଟି ଜୀବନ ଦାନ ପାଇଥି‌ଲେ। ଅଷ୍ଟ୍ରେଲିଆ‌ ସ୍କୋର ୧୧୧/୭ ଥିଲା ବେଳେ ମୟଙ୍କ ଅଗ୍ରୱାଲ ଅର୍ଧଶତକ ହାସଲକାରୀ ତଥା ପ୍ରତିପକ୍ଷ ଅଧିନାୟକ ଟିମ୍ ପେନ୍‌ଙ୍କ କ୍ୟାଚ୍ ହାତଛଡ଼ା କରିଥିଲେ। ଏଥିଲାଗି ଅଷ୍ଟ୍ରେଲିଆ ତା’ର ଶେଷ ତିନିଟି ୱିକେଟ୍‌ରୁ ୮୦ ରନ୍ ସଂଗ୍ରହ କରି ନେଇଥିଲା। ଟ୍ବେଣ୍ଟି-୨୦ ଏବଂ ଦିନିକିଆ ଶୃଙ୍ଖଳାରେ ମଧ୍ୟ ଭାରତୀୟ କ୍ଷେତ୍ରରକ୍ଷକ ବହୁ କ୍ୟାଚ୍ ହାତଛଡ଼ା‌ କରିଥିଲେ। ଏହି ତିନି ଟିକିଆ ଶୃଙ୍ଖଳାରେ ଭାରତ ଡଜନେ କ୍ୟାଚ୍ ଖସାଇଥିଲା। କାନବେରାରେ ଖେଳାଯାଇଥିବା ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ୨ ଏବଂ ସିଡ୍‌ନିର ପରବର୍ତ୍ତୀ ଦୁଇ ମୁକାବିଲା‌ରେ ଯଥାକ୍ରମେ ୪ ଓ ୬ କ୍ୟାଚ୍ ଛାଡ଼ିଥିଲା ଭାରତୀୟ କ୍ରିକେଟ୍ ଦଳ। ଦିନିକିଆ ଶୃଙ୍ଖଳା‌ରେ କୋହଲି ବାହିନୀ ୭ କ୍ୟାଚ୍ ଛାଡ଼ିଥିଲା। ଚଳିତବର୍ଷ ପ୍ରାରମ୍ଭରେ ଖେଳିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାରେ ଭାରତୀୟ ଖେଳାଳି ୬ଟି କ୍ୟାଚ୍ ନେଇ ପାରି ନଥିଲେ। ଫଳରେ ନ୍ୟୁଜିଲାଣ୍ଡ ୨-୦ରେ ଶୃଙ୍ଖଳା ମୂଳାପୋଛ କରିଥିଲା। ଏହି ଦଳ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା, ଯାହାକୁ ଭାରତ ୦-୩ରେ ହାରିଥିଲା, ସେଥିରେ ୬ଟି କ୍ୟାଚ୍ ହାତରୁ ଖସାଇଥିଲା ଟିମ୍ ଇଣ୍ଡିଆ। ସେହିଭଳି ୨୦୧୭-୧୮ର ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତ ୬ କ୍ୟାଚ୍ ଛାଡ଼ିବା ପରେ ୧-୨ରେ ଟେଷ୍ଟ୍ ଶୃଙ୍ଖଳା ହାରିଥିଲା। ୨୦୧୮ରେ ଇଂଲଣ୍ଡ ଯାଇ ଦଳ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳାକୁ ୧-୪ରେ ହାରିଥିଲା ଭାରତୀୟ କ୍ରିକେଟ୍। ସେହି ଶୃଙ୍ଖଳା‌ରେ ଦଳ ମୋଟ ୧୦ଟି କ୍ୟାଚ୍ ହାତଛଡ଼ା କରିଥିଲା। ସବୁଠାରୁ ବିଚଳିତ କଲା ଭଳି କଥା ହେଲା ଏହି ସବୁ ଶୃଙ୍ଖଳାରେ ଭାରତୀୟ ସ୍ଲିପ୍ ବଳୟର ଖେଳାଳିମାନେ ନିୟମିତ ଭାବେ ଅଦଳବଦଳ ହୋଇଥିଲେ। ଏ ସମସ୍ତ ଶୃଙ୍ଖଳାରେ ଦଳର କ୍ଷେତ୍ରରକ୍ଷଣ ଅତ୍ୟନ୍ତ ନିମ୍ନ ମାନର ଥିଲା। କ୍ରମାଗତ ଭାବେ ଏମିତି କାହିଁକି ‌ହେଉଛି? ତାର ଉତ୍ତର ଖୋଜି ସମାଧାନର ବାଟ ବାହାର କରିବାକୁ ପ୍ରଶିକ୍ଷକମାନଙ୍କୁ ବିସିସିଆଇ ତୁରନ୍ତ ନିର୍ଦ୍ଦେଶ ଦେବାକୁ ଦାବି ହେଲାଣି।

ବ୍ୟାଟିଂକୁ ନେଇ ବହୁ ସମସ୍ୟା
ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋର ଗତବର୍ଷ ଅଗଷ୍ଟରେ ଭାରତୀୟ ଦଳରେ ଯୋଗ ଦେଇଥିଲେ। ସେ ଆସିବା ପରଠାରୁ ଭାରତ ୬ ଟେଷ୍ଟ୍ ପାଳି ଖେଳି ଆଶ୍ଚର୍ଯ୍ୟଜନକ ଭାବେ ଥରେ ‌ହେଲେ ବି ୨୫୦ ରନ୍ (କୌଣସି ପାଳିରେ) ଟପି ନାହିଁ। ସଙ୍କଟଭରା ନ୍ୟୁଜିଲାଣ୍ଡ ଗସ୍ତରେ ଭାରତ ପ୍ରଥମ ଟେଷ୍ଟ୍‌ରେ ୨୪୨ ଓ ୧୨୪ ଏବଂ ଦ୍ବିତୀୟ ତଥା‌ ଶେଷ ଟେଷ୍ଟ୍‌ରେ ୧୬୫ ଓ ୧୯୧ ରନ୍ କରିଥିଲା। ଆଡିଲେଡ୍‌ର ଗୋଲାପି ଟେଷ୍ଟ୍‌ର ପ୍ରଥମ ପାଳିରେ ୨୪୪ ଏବଂ ଦ୍ବିତୀୟରେ ନିଜ ଟେଷ୍ଟ୍ ଇତିହାସର ସର୍ବନିମ୍ନ ୩୬ ରନ୍ କରିଥିଲା ଭାରତ। ବ୍ୟାଟ୍ସମ୍ୟାନ୍‌ଙ୍କ ବୈଷୟିକ କୌଶଳରେ ଥିବା‌ ତ୍ରୁଟିରେ ବି ରାଠୋର ଏପର୍ଯ୍ୟନ୍ତ ବିଶେଷ ସୁଧାର ଆଣି ପାରି ନାହାନ୍ତି। ପୃଥ୍ବୀ ସ’ ଏହାର ଜ୍ବଳନ୍ତ ଉଦାହରଣ। ବ୍ୟାଟ୍ ଓ ପ୍ୟାଡ୍ ଭିତରେ ଥିବା ବିଶାଳ ଫାଙ୍କ ହିଁ ସେ ଆଡିଲେଡ୍‌ରେ ଏକ ଅଙ୍କ ଆଗକୁ ବଢ଼ି ନପାରିବାର ପ୍ରମୁଖ କାରଣ। ତାଙ୍କ ପାଦ ଚାଳନାରେ ମଧ୍ୟ ଢେର ଦୁର୍ବଳତା ରହିଛି। ବ୍ୟାକ୍‌ଲିଫ୍ଟ କଲା ବେଳେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେ। ଯାହା ରାଠୋରଙ୍କ ଦୁର୍ବଳ ପ୍ରଶିକ୍ଷଣ ଦକ୍ଷତାକୁ ପଦାରେ ପକାଇଛି।

ଲାଞ୍ଜ କାଟି ପାରୁ ନାହାନ୍ତି ବୋଲର
ପ୍ରତିପକ୍ଷର ନିମ୍ନକ୍ରମ ବ୍ୟାଟର୍‌ଙ୍କୁ ସଅଳ ପ୍ୟାଭିଲିୟନ ଫେରାଇବାରେ ଭାରତୀୟ ବୋଲର ଅସମର୍ଥ ହେଉଛନ୍ତି। ଶୀର୍ଷକ୍ରମକୁ ଘାଇଲା କରିବା ପରେ ମଧ୍ୟ ଲାଞ୍ଜ କାଟି ନପାରି ଆବଶ୍ୟକତାରୁ ଅଧିକ ରନ୍ ବ୍ୟୟ କରୁଛନ୍ତି। ଫଳରେ ବ୍ୟାଟିଂ କଲା ବେଳେ ଦଳ ଅତିରିକ୍ତ ଚାପର ସମ୍ମୁଖୀନ ହେଉଛି। ଗତ ଚାରିବର୍ଷ ଭିତରେ ମିଚେଲ ଷ୍ଟାର୍କ, ନାଥନ ଲାୟନ, ଜୋସ୍ ହାଜଲଉଡ୍ ଏବଂ ଟିମ୍ ପେନ୍‌ଙ୍କ ଭଳି ‌ଖେଳାଳି ନିମ୍ନକ୍ରମ ବ୍ୟାଟ୍ସମ୍ୟାନ୍‌ଙ୍କ ସହ ମିଶି ଭାରତ ହାତରୁ ଏକାଧିକ ଥର ମ୍ୟାଚ୍ ଛଡ଼ାଇ ନେଇଛନ୍ତି। ୨୦୧୭-୧୮ ଦକ୍ଷିଣ ଆଫ୍ରିକା ଗସ୍ତରେ କେଶବ ମହାରାଜ-କାଗି‌ସୋ ରବାଦା, ୨୦୧୮ ଇଂଲଣ୍ଡ ଗସ୍ତରେ ସାମ୍ କରନ୍‌, ୨୦୧୮ ଆଡିଲେଡ୍ ଟେଷ୍ଟ୍‌ରେ ନାଥନ ଲାୟନ, ଚଳିତବର୍ଷର ନ୍ୟୁଜିଲାଣ୍ଡ ଗସ୍ତରେ କାଇଲ ଜାମିସନଙ୍କ ଭଳି ତଳେ ଖେଳୁଥିବା ଖେଳାଳି ଭାରତକୁ ଘଣେଇ ସାରିଛନ୍ତି। ଲାଞ୍ଜକୁ ଆବଶ୍ୟକତାଠାରୁ ଅଧିକ ରନ୍ କରିବାର ସୁଯୋଗ ଦେବା ହିଁ ଭାରତ ପାଇଁ ଗତ କିଛି ବର୍ଷ ହେବ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇ ଆସୁଛି। ବୋଲିଂ ପ୍ରଶିକ୍ଷକ ଭରତ ଅରୁଣ କିନ୍ତୁ ଏହାର ସମାଧାନ ବାଟ ଏପର୍ଯ୍ୟନ୍ତ ବାହାର କରି ପାରି ନାହାନ୍ତି।

ଶାସ୍ତ୍ରୀଙ୍କ ଶୋଚନୀୟ ‌‘ସେନା’ ରିପୋର୍ଟ
ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ଆବଶ୍ୟକତାଠାରୁ ଅଧିକ ଆତ୍ମବିଶ୍ବାସ ଦେଖାଇବା ଏବଂ ଅସ୍ବାଭାବିକ ରଣନୀତି ବି ଦଳକୁ କୌଣସି ଫାଇଦା ଦେଉନି। ସେଥିପାଇଁ ତାଙ୍କ ଉପରେ ଭାରତୀୟ ସମର୍ଥକ ପୂରା କ୍ଷୁବ୍ଧ। ବି‌ଶେଷ କରି ଶାସ୍ତ୍ରୀଙ୍କ କାର୍ଯ୍ୟକାଳରେ ସେନା ଦେଶ (ସାଉଥ୍ ଆଫ୍ରିକା, ଇଂଲଣ୍ଡ ,ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ)ରେ ଭାରତ ଦୁର୍ବଳ ପ୍ରଦର୍ଶନ କରି ଆସୁଛି। ତାଙ୍କ ପ୍ରଶିକ୍ଷଣରେ ଭାରତ ଇଂଲଣ୍ଡ (୨୦୧୮), ନ୍ୟୁଜିଲାଣ୍ଡ (୨୦୧୯-୨୦), ଦକ୍ଷିଣ ଆଫ୍ରିକା (୨୦୧୭-୧୮) ଏବଂ ଅଷ୍ଟ୍ରେଲିଆ (୨୦୧୪-୧୫)ରେ ଶୃଙ୍ଖଳା ହାରିଛି। ସେହିଭଳି ଶାସ୍ତ୍ରୀ-କୋହଲି ଯୋଡ଼ି ଭାରତକୁ ଗୋଟିଏ ହେଲେ ବି ଆଇସିସି ପ୍ରତିଯୋଗିତା ଜିତାଇ ପାରି ନାହାନ୍ତି। ସବୁଥର ଭାରତ ସେମିଫାଇନାଲ୍‌ରେ ଅଟକି ଯାଇଛି।

ସମ୍ବନ୍ଧିତ ଖବର