ଦୁବାଇ: ଯୁବ ଓପନର୍ ଅଭିଷେକ ଶର୍ମା ଏବଂ ବିସ୍ମୟ ସ୍ପିନର୍‌ ବରୁଣ ଚକ୍ରବର୍ତ୍ତୀ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାରେ ନିଜନିଜ କ୍ୟାରିୟର୍ ଶ୍ରେଷ୍ଠ ମାନ୍ୟତା ବଜାୟ ରଖିଛନ୍ତି। ଉଭୟ ଯଥାକ୍ରମେ ବ୍ୟାଟ୍ସମ୍ୟାନ୍ ଓ ବୋଲର୍‌ ତାଲିକାର ଦ୍ବିତୀୟ ସ୍ଥାନରେ ଦୃଢ଼ ରହିଛନ୍ତି। ତେବେ ବୋଲର୍‌ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ୱେଷ୍ଟଇଣ୍ଡିଜ୍‌ର ଅକିଲ ହୁସେନଙ୍କଠାରୁ ବରୁଣ ମାତ୍ର ଗୋଟିଏ ପଏଣ୍ଟ୍‌ ପଛରେ ରହିବା ସବୁଠାରୁ ଉଲ୍ଲେଖନୀୟ କଥା ହୋଇଛି। ବରୁଣ ୭୦୭ ଏବଂ ଅକିଲ ୭୦୬ ପଏଣ୍ଟ୍‌ରେ ରହିଛନ୍ତି। ସେପଟେ ହାର୍ଦିକ ପାଣ୍ଡ୍ୟା ମଧ୍ୟ ଅଲରାଉଣ୍ଡର୍ ମାନ୍ୟତାର ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଟ୍ବେଣ୍ଟି-୨୦ ମାନ୍ୟତାର ତିନିଟି ଯାକ ବର୍ଗର ଶୀର୍ଷ ଦୁଇ ସ୍ଥାନରେ ଭାରତୀୟ ଖେଳାଳି ରହିବା ବି ଅପୂର୍ବ ସଂଯୋଗ ନେଇ ଆସିଛି। 

Advertisment

ଟ୍ବେଣ୍ଟି-୨୦  ବୋଲର୍‌ ମାନ୍ୟତାରେ ଅକିଲ ଓ ବରୁଣଙ୍କ ପରେ ଇଂଲଣ୍ଡର ଆଦିଲ ରସିଦ (୭୦୫), ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା (୭୦୦), ଅଷ୍ଟ୍ରେଲିଆର ଆଡାମ ଜାମ୍ପା (୬୯୪), ଭାରତର ରବି ବିଷ୍ଣୋଇ (୬୭୪) ପଛକୁ ପଛ ତୃତୀୟରୁ ଷଷ୍ଠ ସ୍ଥାନ ମଧ୍ୟରେ ରହିଛନ୍ତି। ଶ୍ରେଷ୍ଠ ୧୦ ଭିତରର ତୃତୀୟ ଭାରତୀୟ ବୋଲର ଭାବେ ଅର୍ଶଦୀପ ସିଂହ (୬୫୩) ନବମ ସ୍ଥାନ ଅଧିକାର କରିଛନ୍ତି। ଅଲରାଉଣ୍ଡର୍ ମାନ୍ୟତାରେ ହାର୍ଦିକ (୨୫୩) କିନ୍ତୁ ଦ୍ବିତୀୟ ସ୍ଥାନରେ ଥିବା ନେପାଳର ଦୀପେନ୍ଦର ସିଂହ ଆଇରି (୨୩୩)ଙ୍କଠାରୁ ୨୦ ପଏଣ୍ଟ୍‌ ଉଚ୍ଚରେ ରହିଛନ୍ତି। ଅଲରାଉଣ୍ଡର୍ ମାନ୍ୟତାର ଶୀର୍ଷ ୧୦ ଭିତ‌ରେ କିନ୍ତୁ ଅନ୍ୟ କୌଣସି ଭାରତୀୟ ନାହାନ୍ତି। ତେବେ ଟ୍ବେଣ୍ଟି-୨୦ ବ୍ୟାଟର୍‌ ମାନ୍ୟତାର ଶ୍ରେଷ୍ଠ ୧୦ ଖେଳାଳିଙ୍କ ମଧ୍ୟରେ ସୂର୍ଯ୍ୟକୁମାର ୟାଦବ (୭୩୯) ଦ୍ବିତୀୟ ଭାରତୀୟ ଭାବେ ପଞ୍ଚମ ସ୍ଥାନରେ ରହିଛନ୍ତି। ବ୍ୟାଟ୍ସମ୍ୟାନ୍ ମାନ୍ୟତାରେ ଅଷ୍ଟ୍ରେଲିଆର ଟ୍ରାଭିସ୍ ହେଡ୍ (୮୫୬) ପ୍ରଥମ ସ୍ଥାନରେ ରହିଛନ୍ତି। ଅଭିଷେକ (୮୨୯) ତାଙ୍କଠାରୁ ୨୭ ପଏଣ୍ଟ୍‌ ପଛରେ ଅଛନ୍ତି।