ସାର୍ଜା: ବୁଧବାର ହର୍ମନ୍ପ୍ରୀତ୍ କୌରଙ୍କ ସୁପରନୋଭାସ୍କୁ ପରାସ୍ତ କରି ଚଳିତ ମହିଳା ଟି-୨୦ରେ ଅଭିଯାନ ଆରମ୍ଭ କରିଥିବା ମିତାଲି ରାଜ୍ଙ୍କ ଭେଲୋସିଟି ଦଳ ଗୁରୁବାର ନିଜର ଦ୍ବିତୀୟ ମ୍ୟାଚ୍ରେ ଦୟନୀୟ ପରାଜୟ ବରଣ କରିଛି। ବିଶେଷକରି ସୋଫି ଏକ୍ଲେଷ୍ଟୋନ୍ (୩.୧-୧-୯-୪)ଙ୍କ ଘାତକ ବୋଲିଂ ସାଙ୍ଗକୁ ଝୁଲଣ ଗୋସ୍ବାମୀ (୩-୦-୧୩-୨) ଓ ରାଜେଶ୍ବରୀ ଗାଏକ୍ବାଡ (୩-୧-୧୩-୨)ଙ୍କ ଦମ୍ଦାର ବୋଲିଂ ଚିତ୍ର ବଳରେ ସ୍ମୃତି ମନ୍ଧାନାଙ୍କ ଟ୍ରେଲ୍ବ୍ଲେଜର୍ସ ଦଳ ୯ ୱିକେଟ୍ରେ ଗତଥରର ବିଜେତା ଭୋଲୋସିଟିକୁ ପରାସ୍ତ କରିଦେଇଛି। ଭୋଲୋସିଟି ଅନ୍ୟନ୍ତ ଦୟନୀୟ ବ୍ୟାଟିଂ କରି ମାତ୍ର ୪୭ ରନ୍ରେ ସବୁ ୱିକେଟ୍ ହରାଇଥିଲା ବେଳେ ଟ୍ରେଲ୍ବ୍ଲେଜର୍ସ ୭୩ ବଲ୍ ପୂର୍ବରୁ ମାତ୍ର ଗୋଟିଏ ୱିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଏଥି ସହିତ ଟ୍ରେଲ୍ବ୍ଲେଜର୍ସ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ଦୁଇ ମ୍ୟାଚ୍ରୁ ଭେଲୋସିଟି ଗୋଟିଏ ଲେଖାଏଁ ବିଜୟ ଓ ପରାଜୟ ସହ ଦ୍ବିତୀୟ ସ୍ଥାନରେ ରହିଛି। ଅସନ୍ତାକାଲି ଅନ୍ତିମ ଲିଗ୍ ମ୍ୟାଚ୍ରେ ଟ୍ରେଲ୍ବ୍ଲେଜର୍ସ ଓ ସୁପରନୋଭାସ୍ ମୁହାଁମୁହିଁ ହେବେ। ଏଥିରେ ସୁପରନୋଭାସ୍ ବିଜୟୀ ହେଲେ ତିନି ଦଳର ପଏଣ୍ଟ୍ ସମାନ ହୋଇଯିବ। ଫଳରେ ଉନ୍ନତ ରନ୍ରେଟ୍ ଭିତ୍ତିରେ ଶ୍ରେଷ୍ଠ ଦୁଇ ଦଳ ଫାଇନାଲ୍ ଖେଳିବେ। ଅନ୍ୟପକ୍ଷରେ ଯଦି ଟ୍ରେଲ୍ବ୍ଲେଜର୍ସ ମ୍ୟାଚ୍ ଜିତିନିଏ ତାହାଲେ ଭେଲୋସିଟି ଫାଇନାଲ୍ ଖେଳିବା ପକ୍କା ହୋଇଯିବ।
ଗୁରୁବାର ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭେଲୋସିଟି। ଦଳରେ ଗୋଟିଏ ପରିବର୍ତନ କରିଥିଲା ଏହି ଦଳ। ମାନାଲି ଦକ୍ଷିଣୀଙ୍କ ସ୍ଥାନରେ ଓଡ଼ିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ ଚୂଡାନ୍ତ ଏକାଦଶରେ ଖେଳିଥିଲେ। ତେବେ ପ୍ରାରମ୍ଭିକ ବ୍ୟାଟର୍ ସେଫାଳି ବର୍ମା (୧୩), ଲିହ କାସ୍ପରେକ୍ (୧୧*) ଏବଂ ଶିଖା ପାଣ୍ଡେ (୧୦) କେବଳ ଦୁଇ ଅଙ୍କ ଛୁଇଁଥିଲା ବେଳେ ପୂରା ଦଳ ୧୫.୧ ଓଭରରେ ୪୭ ରନ୍ରେ ସଫା ହୋଇଯାଇଥିଲା। ସୁଶ୍ରୀ ପ୍ରଥମ ବଲ୍ରେ ଆଉଟ୍ ହୋଇଥିଲା ବେଳେ ବୋଲିଂରେ ଗୋଟିଏ ଓଭରରେ ୯ ରନ୍ ବ୍ୟୟ କରି ୱିକେଟ୍ଶୂନ୍ୟ ରହିଥିଲେ।
ଜବାବରେ ଦିନ୍ଦ୍ରା ଡଟିନ୍ଙ୍କ ଅପରାଜିତ ୨୯ ଏବଂ ରିଚା ଘୋଷଙ୍କ ଅପରାଜିତ ୧୩ ରନ୍ ବଳରେ ଟ୍ରେଲ୍ବ୍ଲେଜର୍ସ ୭.୫ ଓଭରରେ ୪୯/୧ କରିନେଇଥିଲା। ଅଧିନାୟିକା ମାନ୍ଧାନା (୬) ଏକା ଆଉଟ୍ ହୋଇଥିଲା ବେଳେ ଉଭୟ ଡଟିନ୍ ଓ ଘୋଷ ଅବିଭାଜିତ ଦ୍ବିତୀୟ ୱିକେଟ୍ରେ ୨୪ ବଲ୍ରୁ ୩୭ ରନ୍ ଯୋଡ଼ି ଦଳକୁ ଅତି ସହଜ ବିଜୟ ଭେଟି ଦେଇଥିଲେ। ମାରାତ୍ମକ ବୋଲିଂ ପାଇଁ ଏକ୍ଲେଷ୍ଟାନ୍ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।