କଟକ: ଓଡ଼ିଶା କ୍ରିକେଟ୍‌ର ଭବିଷ୍ୟତ କାର୍ଯ୍ୟପନ୍ଥାକୁ ନେଇ ଓଡ଼ିଶା କ୍ରିକେଟ୍‌ ଏକାଡେମିର ନବ ନିଯୁକ୍ତ ବୈଷୟିକ ନିର୍ଦ୍ଦେଶକ ଭି. ଭେଙ୍କଟରାମ ଶୁକ୍ରବାର ଓସିଏ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି। ଭେଙ୍କଟରାମ କହିଛନ୍ତି କି, ସ୍ବତନ୍ତ୍ର ଭାବେ ଏକ ବୋଲିଂ ଶିବିର ଅନୁଷ୍ଠିତ ହେବ। ଏହି ଶିବିରରେ ବୋଲରଙ୍କ ଦୋଷ ତ୍ରୁଟି ପରଖାଯିବ। ବୋଲିଂ ଆକ୍‌ସନରେ କିଭଳି ସୁଧାର ଆସିବ ସେ ନେଇ ମଧ୍ୟ ପରାମର୍ଶ ଦିଆଯିବ। ସେହିଭଳି କୋଚ୍‌ମାନଙ୍କ ପାଇଁ ମଧ୍ୟ ଏକ ରିଫ୍ରେସର ପାଠ୍ୟକ୍ରମ ଆୟୋଜନ କରାଯିବ। କୋଚ୍‌ ଆଶାୟୀ ଓ କୋଚ୍‌ମାନଙ୍କୁ ଏହି ରିଫ୍ରେସର ପାଠ୍ୟକ୍ରମ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯିବ। ନିଜେ ସେ ଏହି ଶିବିରରେ ଯୋଗଦେବେ। ଜିଲ୍ଲା କ୍ରିକେଟ ଏକାଡେମିରେ ପ୍ରଶିକ୍ଷଣ ଦେବା ପୂର୍ବରୁ ସେମାନେ ଏହି ଶିବିରରେ ‌ଯୋଗଦେ‌ବେ। ଜୁନିଅର କ୍ରିକେଟର (୧୬ରୁ ୧୯ ବର୍ଷ ବୟସ ବର୍ଗର) କ୍ରିକେଟରମାନଙ୍କୁ ନେଇ ପ୍ରତିଭା ବିକାଶ ଶିବିର (ସ୍କିଲ୍‌ ଡେଭଲପମେଣ୍ଟ୍‌ କ୍ୟାମ୍ପ୍‌) ମଧ୍ୟ ଅନୁଷ୍ଠିତ ହେବ। ତୃଣମୂଳସ୍ତରରୁ ଅର୍ଥାତ ୧୪ ବର୍ଷ ବୟସ ବର୍ଗରୁ ପ୍ରତିଭା ଚିହ୍ନଟ କରାଯିବ। ସେମାନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତାମୂଳକ ମନୋଭାବ ସୃଷ୍ଟି କରିବା ସହିତ ଶୃଙ୍ଖଳା ଶିକ୍ଷା ଦିଆଯିବ। ଜିଲ୍ଲାସ୍ତରରେ ପ୍ରତିଭା ଚୟନ ଚିହ୍ନଟ ଶିବିରମାନ ଅନୁଷ୍ଠିତ ହେବ। ଜିଲ୍ଲାଗୁଡ଼ିକୁ ବିଭିନ୍ନ କ୍ଲଷ୍ଟରରେ ବିଭକ୍ତ କରାଯାଇ କ୍ରିକେଟ୍ ପ୍ରତିଯୋଗିତାମାନ ଆୟୋଜନ କରାଯିବ। ଏପରିକି ବ୍ୟକ୍ତିଗତ ସ୍ତରରେ ପ୍ରତି କ୍ରିକେଟରମାନଙ୍କର ସମସ୍ୟାକୁ ଅନୁଧ୍ୟାନ କରାଯିବ ବୋଲି ଶ୍ରୀ ଭେଙ୍କଟରାମ ସୂଚନା ଦେଇଥିଲେ।