ଦଳଗତ ସମର୍ଥନ ବିନା ବ୍ୟକ୍ତିଗତ ପ୍ରଦର୍ଶନର ମାନେ ନାହିଁ – ଭେଙ୍କଟେଶ ପ୍ରସାଦ

ଶନିବାର ଯୁଗଳ ଲଢ଼େଇ ଥିଲେ ମଧ୍ୟ ରବିବାରର ଶେଷ ଲିଗ୍ ଦିବସରେ କିଏ ଶୀର୍ଷ ସ୍ଥାନ ଦଖଲ କରିବ ସ୍ପଷ୍ଟ ହୋଇଯିବ। ଚେନ୍ନାଇ ସୁପର୍ କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଏଥି ପାଇଁ ଦୃଢ଼ ଦାବିଦାର ରହିଛନ୍ତି। ମୁଁ ଅତୀତ ଉପରେ ନଜର ପକାଇ କହିପାରିବି ଆଇପିଏଲ୍ ଅଧିକାଂଶ ସମୟ ଉତ୍‌ଥାନ ଓ ପତନ ଦେଇ ଗତି କରୁଛି। କିଛି ସଂଘର୍ଷପୂର୍ଣ୍ଣ, କିଛି କଡ଼ା ପଶ୍ଚାତଧାବନ ଏବଂ ଆଉ କିଛି ହୃଦୟ ବିଦାରକ ପରାଜୟ ମଧ୍ୟ ଦେଇଛି। ଏଭଳି ଏକ ଦଳ ହେଉଛି କିଙ୍ଗସ ଇଲେଭେନ୍ ପଞ୍ଜାବ ଯିଏ ରବିବାର ଚେନ୍ନାଇ ସୁପର୍ କିଙ୍ଗସକୁ ଭେଟିବ। ପ୍ରଥମ ୭ ମ୍ୟାଚ୍‌ରୁ ୪ ଜିତିଥିବା ଆର୍ ଅଶ୍ବିନଙ୍କ ଦଳ ଏହା ପରେ ତଳମୁହାଁ ହୋଇଥିଲା। ପରବର୍ତୀ ୬ଟିରୁ ଦଳ ମାତ୍ର ଗୋଟିଏ ଜିତିଛି। ଦଳର ଦୁଇ ଶୀର୍ଷ ବ୍ୟାଟସମ୍ୟାନ୍‌ ଲୋକେଶ ରାହୁଲ ଏବଂ କ୍ରିସ୍ ଗେଲ୍ ଭଲ ଖେଳିଥିଲେ ମଧ୍ୟ ଦଳଗତ ସମର୍ଥନ ନ ରହିଲେ ବ୍ୟକ୍ତିଗତ ପ୍ରଦର୍ଶନର କିଛି ମାନେ ରୁହେ ନାହିଁ ବୋଲି ପ୍ରମାଣିତ ହୋଇଛି। ମୟଙ୍କ ଅଗ୍ରୱାଲ, ନିକୋଲାସ ପୁରନ୍ ଏବଂ ମନଦୀପ୍ ସିଂହଙ୍କ ବିଫଳତା ଦଳକୁ ପଛକୁ ଟାଣିଛି। ଦଳ ବ୍ୟାଟିଂ ପାୱାର ପ୍ଲେ ଏବଂ ବୋଲିଂ ପାୱାର ପ୍ଲେ’ରେ ଅକ୍ଷମତା ଦେଖାଇ ପରାଜୟ ସ୍ବୀକାର କରିଛି।

ଯେଉଁ ଦୁଇଟି ଦଳ ନିଜ ନିଜ ସମ୍ବଳକୁ ସର୍ବାଧିକ ଉପଯୋଗ କରିପାରିଛନ୍ତି ସେମାନେ ହେଲେ ଚେନ୍ନାଇ ଏବଂ ମୁମ୍ବାଇ। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବ ସବୁଠୁ ଉତ୍କର୍ଷ, କିନ୍ତୁ ବିଗତ କିଛି ବର୍ଷ ରୋହିତ ଶର୍ମା ଉଭା ହେବା ଏହି ଧାରାକୁ ଆଗକୁ ନେଇଛି। ଚେନ୍ନାଇ ଏକ ପାୱାର ହିଟିଂ ଦଳ ନୁହେଁ, କିନ୍ତୁ ଏକ ଭଲ ତେଲ ଦିଆ ମେସିନ୍ ଭଳି ଖେଳାଳି ରଖିଛି। ରୋହିତ ଏଥର ଭଲ ବ୍ୟାଟିଂ କରିନାହାନ୍ତି, କିନ୍ତୁ ଅଧିନାୟକ ଭାବେ ଚମତ୍କାର କରିଛନ୍ତି। ରବିବାର କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମୁକାବିଲାରେ ରୋହିତ ଶର୍ମାଙ୍କ ନେତୃତ୍ବ ନିଶ୍ଚିତ ପରୀକ୍ଷାରେ ରହିବ।

ସମ୍ବନ୍ଧିତ ଖବର