ନ୍ୟୁୟର୍କ: ସ୍ପେନ୍ ତାରକା ରାଫେଲ ନାଦାଲ ଓ ସ୍ବିଜରଲାଣ୍ଡ୍ କିଂବଦନ୍ତି ରୋଜର୍ ଫେଡେରର୍ କରୋନା ମହାମାରୀ ଯୋଗୁଁ ଓହରିଯିବା ଏବଂ ଅଧାବାଟରୁ ଶୀର୍ଷ ମାନ୍ୟତାପ୍ରାପ୍ତ ସର୍ବିୟା ତାରକା ନୋଭାକ୍ ଜୋକୋଭିକ୍ଙ୍କୁ ଆୟୋଜକ ଅଯୋଗ୍ୟ ଘୋଷଣା କରିବା ପରେ ଚଳିତ ୟୁଏସ୍ ଓପନ୍ ଗ୍ରାଣ୍ଡ୍ ସ୍ଲାମ୍ ଟେନିସ୍ ପ୍ରତିଯୋଗିତା କିଛିଟା ଆକର୍ଷଣ ହରାଇଥିଲା। ବିଶେଷକରି ପୁରୁଷ ଏକକରେ ଏଥର ନୂଆ ବିଜେତା ମିଳିବା ନିଶ୍ଚିତ ହୋଇଯାଇଥିଲା। ଶୁକ୍ରବାର ସୁଦ୍ଧା ପୁରୁଷ ଏକକ ବର୍ଗର ସେମିଫାଇନାଲ୍ ପର୍ଯ୍ୟାୟ ଶେଷ ହୋଇଯାଇଛି। କେବଳ ବାକି ରହିଛି ଟ୍ରଫି ମୁକାବିଲା। ଏଥର ପୁରୁଷ ଏକକ ଟ୍ରଫି ପାଇଁ ଲଢ଼ିବେ ଅଷ୍ଟ୍ରିଆ ତାରକା ଡୋମିନିକ୍ ଥିମ୍ ଏବଂ ଜର୍ମାନୀ ତାରକା ଆଲେକ୍ଜାଣ୍ଡର ଭେରେଭ୍। ଉଭୟ ମଧ୍ୟ ନିଜ ନିଜର ପ୍ରଥମ ଗ୍ରାଣ୍ଡ୍ ସ୍ଲାମ୍ ଟ୍ରଫି ଜିତିବା ପାଇଁ ଆପ୍ରାଣ ଉଦ୍ୟମ କରିବେ। ଏହି ମେଗା ଫାଇନାଲ୍ ରବିବାର ଖେଳାଯିବ।
ଆର୍ଥର ଆସେସ୍ ଷ୍ଟାଡିୟମ୍ ଭିତରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଥିମ୍ ପ୍ରାୟ ୩ ଘଣ୍ଟା (୨ ଘଣ୍ଟା ୫୬ ମିନିଟ୍) ଲଢ଼େଇ କରି ୬-୨, ୭-୬ (୯/୭) ଓ ୭-୬ (୭/୫) ସିଧାସଳଖ ସେଟ୍ରେ ତୃତୀୟ ମାନ୍ୟତାପ୍ରାପ୍ତ ରୁଷିଆର ଡାନିଲ ମେଦଭେଦେଭ୍ଙ୍କୁ ପରାସ୍ତ କରି ଫାଇନାଲ୍ ପ୍ରବେଶ କରିଥିଲେ। ୨୭ ବର୍ଷ ବୟସ୍କ ଥିମ୍ଙ୍କ ପାଇଁ ଏହାଥିଲା କ୍ରମାଗତ ଦ୍ବିତୀୟ ଏବଂ ମୋଟ ଉପରେ ଚତୁର୍ଥ ଗ୍ରାଣ୍ଡ୍ସ୍ଲାମ୍ ଫାଇନାଲ୍ ପ୍ରବେଶ। ଏହା ପୂର୍ବରୁ ଚଳିତ ବର୍ଷ ଅଷ୍ଟ୍ରେଲିଆନ୍ ଓପନ୍ ଫାଇନାଲ୍ରେ ମଧ୍ୟ ପହଞ୍ଚିଥିଲେ ଥିମ୍। ସେହିପରି ଫ୍ରେଞ୍ଚ ଓପନ୍ର ରୋଲାଁ ଗ୍ୟାରସ୍ରେ ୨୦୧୮ ଓ ୨୦୧୯ ଫାଇନାଲ୍ରେ ମଧ୍ୟ ସେ ରାଫେଲ ନାଦାଲଙ୍କ ନିକଟରୁ ହାରିଯାଇଥିଲେ।
ଅନ୍ୟପକ୍ଷରେ ତୀବ୍ର ସଂଘର୍ଷପୂର୍ଣ୍ଣ ଦ୍ବିତୀୟ ସେମିଫାଇନାଲ୍ରେ ପ୍ରଥମ ଦୁଇ ସେଟ୍ ହାରିବା ସତ୍ତ୍ବେ ଚମତ୍କାର ପ୍ରତ୍ୟାବର୍ତନ କରିଥିବା ପଞ୍ଚମ ମାନ୍ୟତାପ୍ରାପ୍ତ ଭେରେଭ୍ ୩-୬, ୨-୬, ୬-୩, ୬-୪ ଓ ୬-୩ରେ ବିଂଶତମ ମାନ୍ୟତାପ୍ରାପ୍ତ ସ୍ପେନ୍ ତାରକା ପାବ୍ଲୋ କାରେନ୍ ବୁସ୍ତାଙ୍କୁ ପରାସ୍ତ କରି ନିଜ ଜୀବନର ପ୍ରଥମ ଗ୍ରାଣ୍ଡ୍ ସ୍ଲାମ୍ ଫାଇନାଲ୍ ପ୍ରବେଶ କରିଥିଲେ। ପୁଣି ପ୍ରଥମ ଦୁଇଟି ସେଟ୍ ହାରିବା ପରେ ଭେରେଭ୍ ମଧ୍ୟ ତାଙ୍କ ଖେଳ ଜୀବନରେ ପ୍ରଥମ ଥର ମ୍ୟାଚ୍ ଜିତିଥିଲେ। ଆଉ ଯଦି ଏଥର ୟୁଏସ୍ ଟ୍ରଫି ହାସଲ କରନ୍ତି, ତାହାଲେ ୧୯୯୬ରେ ବୋରିସ୍ ବେକର ଅଷ୍ଟ୍ରେଲିଆନ୍ ଓପନ୍ ବିଜେତା ହେବା ପରଠାରୁ ପ୍ରଥମ ଜର୍ମାନୀ ଖେଳାଳି ଭାବେ ସେ ଗ୍ରାଣ୍ଡ୍ସ୍ଲାମ୍ ଟ୍ରଫି ହାତେଇବାର ଗୌରବ ଅର୍ଜନ କରିବେ।
ଭେରା-ଲୌରା ଜିତିଲେ ମହିଳା ଯୁଗଳ ଟ୍ରଫି
ରୁଷିଆର ଭେରା ଜୋନାରେଭା ଏବଂ ଜର୍ମାନିର ଲୌରା ସିଗେମୁଣ୍ଡ ଚଳିତ ୟୁଏସ୍ ଓପନ୍ ମହିଳା ଯୁଗଳ ବିଜେତା ହୋଇଛନ୍ତି। ଉଭୟ ପ୍ରଥମ ଥର ଲାଗି ଏକାଠି ଖେଳି ଗ୍ରାଣ୍ଡ୍ ସ୍ଲାମ୍ ଟ୍ରଫି ହାସଲ କରିଛନ୍ତି। ଶୁକ୍ରବାର ଫାଇନାଲ୍ରେ ଅଣମାନ୍ୟତାପ୍ରାପ୍ତ ରୁଷିଆ-ଜର୍ମାନି ଯୋଡ଼ି ସିଧାସଳଖ ୬-୪ ଓ ୬-୪ ସେଟ୍ରେ ତୃତୀୟ ମାନ୍ୟତାପ୍ରାପ୍ତ ଚୀନ୍ର ଜୁ ୟିଫାନ୍ ଓ ଆମେରିକାର ନିକୋଲେ ମେଲିଚରଙ୍କୁ ପରାସ୍ତ କରିଦେଇଥିଲେ। ଚଳିତ ସପ୍ତାହରେ ୩୬ ବର୍ଷରେ ପଦାର୍ପଣ କରିଥିବା ଭେରେଭ୍ଙ୍କ ପାଇଁ ଏହା ଦ୍ବିତୀୟ ୟୁଏସ୍ ଓପନ୍ ଟ୍ରଫି ଥିଲା। ଏହା ପୂର୍ବରୁ ସେ ନାତାଲି ଡେକିଙ୍କୁ ସାଥୀ କରି ୨୦୦୬ ୟୁଏସ୍ ଓପନ୍ ବିଜୟିନୀ ହୋଇଥିଲେ। ଏହା ବ୍ୟତୀତ ଭେରେଭ୍ ୨୦୧୦ ଫ୍ଲସିଂ ମିଡୋଜ୍ରେ କିମ୍ କ୍ଲାଇଷ୍ଟର୍ସଙ୍କଠୁ ହାରି ମହିଳା ଏକକ ଉପବିଜୟିନୀ ରହିଥିଲେ। ହେଲେ ୨୦୧୬ରେ କନ୍ୟା ଏଭେଲିନାକୁ ଜନ୍ମ ଦେବା ପରେ ସୁପର ମମ୍ ଭାବେ ବହୁତ କମ୍ ପ୍ରତିଯୋଗିତା ଖେଳିଥିଲେ। ଅନ୍ୟପକ୍ଷରେ ନ୍ୟୁୟର୍କରେ କ୍ରମାଗତ ଦ୍ବିତୀୟ ପ୍ରତିଯୋଗିତାରେ ଜୁ ଓ ନିକୋଲେ ଉପବିଜୟିନୀରେ ସନ୍ତୁଷ୍ଟ ରହିଲେ। ୟୁଏସ୍ ଓପନ୍ ପୂର୍ବରୁ ଏଠାରେ ଆୟୋଜିତ ୱେଷ୍ଟର୍ନ ଆଣ୍ଡ୍ ସଦର୍ନ ଓପନ୍ ପ୍ରତିଯୋଗିତାରେ ମଧ୍ୟ ଏହି ଯୋଡ଼ି ଫାଇନାଲ୍ରେ ହାରିଯାଇଥିଲା।