ବ୍ରହ୍ମପୁର: ବ୍ରହ୍ମପୁରଠାରେ ସଦ୍ୟ ସମାପ୍ତ ଅସ୍ମିତା ଖେଲୋ ଇଣ୍ଡିଆ ଜାତୀୟ ଜୋନାଲ୍ ମହିଳା ଭାରୋତ୍ତୋଳନ ଲିଗ୍ର ବରିଷ୍ଠ ବର୍ଗରେ ଶ୍ରେଷ୍ଠ ଲିଫ୍ଟର ସମ୍ମାନ ଅର୍ଜନ କରି ସ୍ନେହା ସୋରେନ୍ ସମସ୍ତଙ୍କ ନଜରକୁ ଆସିଛନ୍ତି। ମୟୁରଭଞ୍ଜ ବେତନଟୀ ଥାନାର ଶିଖରଘାଟି ଗାଁର ଏହି ୨୪ ବର୍ଷୀୟା ଝିଅକୁ ଓଡ଼ିଶା ଭାରୋତ୍ତୋଳନର ଭବିଷ୍ୟତ କୁହାଯାଉଛି। ବିଗତ କିଛି ବର୍ଷ ଧରି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସୁନାମ ଅର୍ଜନ କରି ଚାଲିଥିବା ସ୍ନେହାଙ୍କୁ ଭେଟିଥିଲା ‘ସମ୍ବାଦ’।
ସମ୍ବାଦ: ଭାରୋତ୍ତୋଳନ ଶିଖିବାକୁ କାହାଠାରୁ ପ୍ରେରଣା ମିଳିଥିଲା ?
ସ୍ନେହା: ଅଷ୍ଟମ ଶ୍ରେଣୀ ପଢ଼ିବା ସମୟରେ ଆମ ଘର ଠାରୁ ୬କିମି ଦୂରରେ ଜିମ୍ନାସିୟମ୍ ଥିଲା, ଆମ ଅଞ୍ଚଳର ସ୍ବନାମଧନ୍ୟ କ୍ରୀଡ଼ାବିତ୍ ମନ୍ଦାକିନୀ ମହାନ୍ତଙ୍କଠାରୁ ପ୍ରେରଣା ପାଇ ଭାରୋତ୍ତୋଳନ ପ୍ରଶିକ୍ଷଣ ଆରମ୍ଭ କରିଥିଲି।
ସମ୍ବାଦ: ଜାତୀୟ ଜୋନାଲ୍ ମହିଳା ଭାରୋତ୍ତୋଳନରେ ବରିଷ୍ଠ ବର୍ଗରେ ଶ୍ରେଷ୍ଠ ଲିଫ୍ଟର୍ ହେବା କିଭଳି ଅନୁଭବ ଦେଇଛି?
ସ୍ନେହା: ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିପାରିଥିବାରୁ ମୁଁ ବହୁତ ଖୁସି ଅଛି। ବ୍ରହ୍ମପୁର ଠାରେ ରହିଥିବା ଭିତ୍ତିଭୂମି ଅତ୍ୟନ୍ତ ପ୍ରଶଂସନୀୟ।
ସମ୍ବାଦ: ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମି ବିଷୟରେ କ’ଣ କହିବେ?
ସ୍ନେହା: ସରକାରଙ୍କ ତରଫରୁ କ୍ରୀଡ଼ାକୁ ପ୍ରାଥମିକତା ପ୍ରଦାନ କରାଯାଉଥିବାରୁ କେବଳ ମୁଁ ନୁହେଁ, ସମସ୍ତ କ୍ରୀଡ଼ାବିତ୍ ଶତ ପ୍ରତିଶତ ସନ୍ତୁଷ୍ଟ। କଳିଙ୍ଗ ଷ୍ଟାଡିୟମ୍ରେ ଥିବା ସମସ୍ତ ସୁବିଧା ସୁଯୋଗ ବିଶ୍ବସ୍ତରୀୟ।
ସମ୍ବାଦ: ଶିକ୍ଷାଗତ ଯୋଗ୍ୟତା କ’ଣ ରହିଛି ଓ ବର୍ତ୍ତମାନ କ’ଣ କରୁଛନ୍ତି ?
ସ୍ନେହା: କୃଷ୍ଣଚନ୍ଦ୍ରପୁର ଉଚ୍ଚବିଦ୍ୟାଳୟରୁ ଶିକ୍ଷା ସରିଛି। କଳା ସ୍ରୋତରେ ମୁଁ ଯୁକ୍ତଦୁଇ ରାଗଦା କଲେଜରୁ ଶେଷ କରିବା ପରେ ବର୍ତ୍ତମାନ କିଟ୍ରେ ସ୍ନାତକ ପଢ଼ୁଛି। ଓଡ଼ିଶା ସରକାରଙ୍କ ତରଫରୁ ୨୦୨୩ରେ ମୋତେ କନିଷ୍ଠ କିରାଣିର ଚାକିରି ମିଳିଛି।
ସମ୍ବାଦ: ଜାତୀୟ ଓ ଅନ୍ତର୍ଜାତୀୟ ପଦକ ସଂଖ୍ୟା କେତେ? କେମିତି ରହିଥିଲା ପ୍ରଥମ ଅନୁଭୂତି ?
ସ୍ନେହା: ପ୍ରଥମ ପଦକ ଜିତିବାର ଖୁସି ଅଭୁଲା। ଅନ୍ତର୍ଜାତୀୟ ପଦକ ସଂଖ୍ୟା ୪ ଓ ଜାତୀୟ ପଦକ ୨୦ରୁ ଅଧିକ।
ସମ୍ବାଦ: ଯୁବପିଢ଼ିଙ୍କୁ କ’ଣ ବାର୍ତ୍ତା ପ୍ରଦାନ କରିବାକୁ ଚାହିବେ?
ସ୍ନେହା: ଯେତେବେଳେ ମୁଁ ପ୍ରଶିକ୍ଷଣ ଆରମ୍ଭ କରିଥିଲି ବର୍ତ୍ତମାନ ପରି ସୁବିଧା ସୁଯୋଗ ନଥିଲା। କିନ୍ତୁ ଏବେ ଜଣେ ଚାହିଲେ ସରକାରଙ୍କ ପକ୍ଷରୁ ମିଳୁଥିବା ସୁବିଧା ସୁଯୋଗ ମାଧ୍ୟମରେ ଦେଶ ବିଦେଶର ଯେକୌଣସି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପଦକ ଜିତିପାରିବ। ତେଣୁ ମୁଁ ସମ୍ବାଦ ମାଧ୍ୟମରେ କହିବାକୁ ଚାହୁଛି ବହୁ ମାତ୍ରାରେ ଯୁବପିଢ଼ି ଆସି ପ୍ରଶିକ୍ଷଣ ଗ୍ରହଣ କରି ରାଜ୍ୟ ଓ ଦେଶରେ ସୁନାମ ଅର୍ଜନ କରନ୍ତୁ।
ସମ୍ବାଦ: ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶା କ୍ରୀଡ଼ା ବ୍ୟବସ୍ଥା ଭିତରେ ପ୍ରଭେଦକୁ କିପରି ଅନୁଭବ କରନ୍ତି?
ସ୍ନେହା: ଭାରତରେ ଥିବା ବିଭିନ୍ନ ରାଜ୍ୟର ଭାରୋତ୍ତୋଳନ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଶିକ୍ଷଣ ନେଇଛି କିନ୍ତୁ ଆମ ପରି ପରିବେଶ କେଉଁଠାରେ ଅନୁଭବ କରିନାହିଁ। ଏଠାରେ ରହିଥିବା ପ୍ରଶିକ୍ଷକଙ୍କ ଠାରୁ ଆରମ୍ଭ କରି ପୁରାତନ କ୍ରୀଡ଼ାବିତ୍ମାନେ ନିୟମିତ ଉନ୍ନତ ପ୍ରଦର୍ଶନ କରିବାକୁ ପ୍ରୋତ୍ସାହିତ କରିଥାନ୍ତି।
ସମ୍ବାଦ: ଆପଣଙ୍କ ପ୍ରଥମ ପ୍ରଶିକ୍ଷକ କିଏ ଥିଲେ ଓ ଓଡ଼ିଶା ଭାରୋତ୍ତୋଳନରେ ବର୍ତ୍ତମାନ ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣରେ କେତେ ସନ୍ତୁଷ୍ଟ ଅଛନ୍ତି?
ସ୍ନେହା: ମୋର ପ୍ରଥମ ଗୁରୁ ହେଉଛନ୍ତି ପରେଶ ଚନ୍ଦ୍ର ମହାନ୍ତ। ବର୍ତ୍ତମାନ ମୁଁ କଳିଙ୍ଗ ଷ୍ଟାଡ଼ିୟମରେ ଯଜ୍ଞନାରାୟଣ ନନ୍ଦଙ୍କ ଅଧୀନରେ ପ୍ରଶିକ୍ଷଣ ନେଉଛି। ବିଦେଶୀ ପ୍ରଶିକ୍ଷକ ଜଲଟେନ୍ ସାର୍ ମଧ୍ୟ ଆମକୁ ଗାଇଡ୍ କରୁଛନ୍ତି। ତା’ ସହ ଅଲିମ୍ପିଆନ୍ କେ ରବି କୁମାର ସାର୍ ଆମକୁ ଭଲ ପ୍ରଦର୍ଶନ କରିବାକୁ ମାର୍ଗଦର୍ଶନ ପ୍ରଦାନ କରୁଛନ୍ତି।