ରାଉରକେଲା (ଦେବବ୍ରତ ଗଡ଼ତିଆ):ରାଉରକେଲା ସହରର ଦୁଇ ଜଣ ଭେଟେରାନ ଆଥଲେ୍‌ଟ। ଜଣଙ୍କ ବୟସ ୭୨ ଓ ଅନ୍ୟ ଜଣଙ୍କ ବୟସ ୬୬। କିନ୍ତୁ ଦୌଡ଼କୁଦ ପ୍ରତି ସେମାନଙ୍କର ଭଲ ପାଇବା କମିନି। ଉଭୟଙ୍କ ସମ୍ମୁଖରେ ବାର୍ଦ୍ଧକ୍ୟ ହାର୍‌ ମାନିଛି। କାରଣ, ଏହି ବୟସରେ ମଧ୍ୟ ଉଭୟେ ଜାତୀୟସ୍ତରରେ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗନେଇ ପଦକ ଜିତୁଛନ୍ତି। ଦେଶର ଅସଂଖ୍ୟ ପ୍ରତିଯୋଗୀଙ୍କୁ ପଛରେ ପକାଇ ସ୍ବର୍ଣ୍ଣପଦକ ହାସଲ କରୁଛନ୍ତି। ଏମାନେ ପ୍ରମାଣିତ କରୁଛନ୍ତି ଯେ ପ୍ରତିଯୋଗିତାମୂଳକ ଉତ୍କର୍ଷତା କୌଣସି ବୟସ ସୀମା ଜାଣେ ନାହିଁ। ଉଭୟେ କ୍ରମାଗତଭାବେ ଟ୍ରାକ୍ ଓ କ୍ଷେତ୍ର ଇଭେଣ୍ଟଗୁଡ଼ିକରେ ଉତ୍କୃଷ୍ଟ ପ୍ରଦର୍ଶନ ପ୍ରଦାନ ଅବ୍ୟାହତ ରଖିଛନ୍ତି। ସେମାନଙ୍କର ସଫଳତା କେବଳ ବରିଷ୍ଠ ସମ୍ପ୍ରଦାୟ ନୁହେଁ; ବରଂ ଯୁବପିଢି ମଧ୍ୟରେ ପ୍ରେରଣାର ଏକ ଲହରୀ ସୃଷ୍ଟି କରିଛି, ଯାହାକି ଶାରୀରିକ କାର୍ଯ୍ୟକଳାପ ଗ୍ରହଣ କରିବା ତଥା ଫିଟନେସ୍ ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ଉତ୍ସାହିତ କରୁଛି। ଏହି ଦୁଇ ପ୍ରେରଣାଦାୟୀ ବରିଷ୍ଠ କ୍ରୀଡ଼ାବିତ୍‌ ହେଉଛନ୍ତି ଅଶୋକ ବିଶ୍ବାଳ (୭୨) ଓ ଆନନ୍ଦ ଏକ୍କା (୬୬)।

Advertisment

ଅଶୋକ ବିଶ୍ବାଳ

ପିଲାଟି ଦିନରୁ ଦୌଡ଼କୁଦରେ ନିଜର ନାଁ କରିଥିବା ଶ୍ରୀ ବିଶ୍ବାଳ ଆଜି ମଧ୍ୟ ଏହି ଧାରାକୁ ଅବ୍ୟାହତ ରଖିଛନ୍ତି। ସେ ୧୯୬୬ରୁ ୧୯୭୬ ମସିହା ଯାଏ ସ୍କୁଲ ଓ କଲେଜସ୍ତରରେ ଏକାଧିକ ରେକର୍ଡ ସୃଷ୍ଟି କରିଥିଲେ। ୧୯୭୩ ମସିହାରେ ବରିଷ୍ଠ ବାଳକ ବର୍ଗରେ ୩ ଶହ ମିଟର ହର୍ଡଲ୍ସ୍‌, ୧୯୭୪ରେ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ବ୍ୟକ୍ତିଗତ ଚାମ୍ପିଅନ ମଧ୍ୟ ହୋଇଥିଲେ। ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)ର ମେକାନିକାଲ ଇଞ୍ଜିନିଅରିଂ ବିଭାଗର ୧୯୭୫ ବ୍ୟାଚ୍‌ର ଛାତ୍ର ହେଉଛନ୍ତି ଶ୍ରୀ ବିଶ୍ବାଳ। ପିଲାଟି ଦିନରୁ ଖେଳ ପ୍ରତି ଆକୃଷ୍ଟି ଶ୍ରୀ ବିଶ୍ବାଳ ୬୦ ବର୍ଷ ବୟସ ଅତିକ୍ରମ କଲାପରେ ମାଷ୍ଟର୍ସ୍‌ ବର୍ଗରେ ଭାଗନେବା ଆରମ୍ଭ କରିଥିଲେ। ଇଣ୍ଡୋ-ବାଲାଂଦେଶ ମାଷ୍ଟର୍‌ ଆଥ୍‌ଲେଟ୍‌ ମିଟ୍‌ (୨୦୧୮), ଚଣ୍ଡିଗଡ଼, ଦେହରାଡୁନ ଓ ଭଦୋଦରାରେ ଯଥାକ୍ରମେ ଅନୁଷ୍ଠିତ ପ୍ରଥମ, ଦ୍ବିତୀୟ ଓ ତୃତୀୟ ଜାତୀୟ ମାଷ୍ଟର୍ସ୍‌ ଗେମ୍‌ସ, ଅଲ୍‌ଇଣ୍ଡିଆ ମାଷ୍ଟର୍ସ୍‌ ଆଥଲେଟିକ୍ସ (୨୦୨୧), ୫ମ ଜାତୀୟ ମାଷ୍ଟର୍ସ୍‌ ଗେମ୍‌ସ (୨୦୨୩), ଷଷ୍ଠ ଜାତୀୟ ମାଷ୍ଟର୍ସ୍‌ ଗେମ୍‌ସ, ୪୪ତମ ମାଷ୍ଟର୍ସ୍‌ ଆଥ୍‌ଳେଟିକ୍‌ ଚାମ୍ପିଅନସିପ୍‌ ଆଦି ଏକାଧିକ ଜାତୀୟ ପ୍ରତିଯୋଗିତାରେ ପଦକ ହାସଲ କରିଥିଲେ। ଏମିତିକି ଚେନ୍ନାଇରେ ଅନୁଷ୍ଠିତ ପ୍ରଥମ ଅନ୍ତର୍ଜାତୀୟ ପ୍ରତିଯୋଗିତା ‘୨୩ତମ ଏସିଆ ମାଷ୍ଟର୍ସ୍‌ ଆଥଲେଟିକ ଚାମ୍ପିଅନସିପ୍‌ରେ ୪ ଶହ ମିଟର ଦୌଡ଼ ଓ ୩ ଶହ ମିଟର ହର୍ଡଲ୍ସ୍‌ରେ କାଂସ୍ୟ ପଦକ ଏବଂ ୨ ଶହ ମିଟର ଦୌଡ଼ରେ କାଂସ୍ୟ ପଦକ ପାଇଥିଲେ। ନିକଟ ଅତିତରେ ସିକନ୍ଦରାବାଦ୍‌ରେ ଅନୁଷ୍ଠିତ ୭ମ ବରିଷ୍ଠ ନାଗରିକ ଆଥଲେଟିକ୍‌ ଚାମ୍ପିଅନସିପ୍‌ରେ ୭୦ ବର୍ଷରୁ ଅଧିକ ବର୍ଗରେ ଯୋଗଦେଇ ୧୦୦ ମିଟର,୨ ଶହ ମିଟର ଓ ୪ ଶହ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ପାଇଥିଲେ। ଶ୍ରୀ ବିଶ୍ବାଳ ଏ ପର୍ଯ୍ୟନ୍ତ ମୋଟ୍‌ ୨୩ଟି ସ୍ବର୍ଣ୍ଣ, ୫ଟି ରୌପ୍ୟ ଓ ୨ଟି କାଂସ୍ୟ ପଦକ ହାସଲ କରିସାରିଛନ୍ତି।

ଆହୁରି ପଢ଼ନ୍ତୁ: Odisha Tourism: ହୀରାକୁଦ-ସାତକୋଶିଆ ଅଞ୍ଚଳର ବିକାଶ ପାଇଁ ୧୯୯ କୋଟିରୁ ଅଧିକ ଟଙ୍କା ମଞ୍ଜୁର

ଆନନ୍ଦ ଏକ୍କା

ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ସମଲେଇମୁଣ୍ଡା ଗାଁରେ ଜନ୍ମିତ ଶ୍ରୀ ଏକ୍କା ପିଲାଟି ଦିନରୁ କ୍ରୀଡ଼ା ପ୍ରତି ଆକର୍ଷିତ ହୋଇଥିଲେ। ଗାଁ ମାଟିରେ ହକି ଖେଳିବା ସହ ଦୌଡ଼କୁଦ ପ୍ରତି ମଧ୍ୟ ବେଶ୍‌ ଆଗ୍ରହୀ ଥିଲେ। ପ୍ରାଥମିକ ଶିକ୍ଷା ସମାପ୍ତିପରେ ପୁରୀସ୍ଥ ବିଶ୍ବମ୍ଭର ବିଦ୍ୟାପୀଠରେ ହାଇସ୍କୁଲ ଓ ବିଜେବି କଲେଜରେ ଆଇଏସ୍‌ସି ପଢୁଥିବା ସମୟରେ ମଧ୍ୟ ଖେଳକୁଦରେ ଅଂଶଗ୍ରହଣ କରୁଥିଲେ। ଏହାପରେ ରାଉରକେଲା ଏନ୍‌ଆଇଟିରେ ଆଥଲେଟିକ୍ସ ଦଳର ନେତୃତ୍ବ ମଧ୍ୟ ନେଇଥିଲେ। ୧୯୮୩ ମସିହାରେ ଏନ୍‌ଆଇଟିରୁ ମେକାନିକାଲ ଇଞ୍ଜିନିଅରିଂରେ ଶିକ୍ଷାଗ୍ରହଣ କରିବାପରେ ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍‌)ରେ ଯୋଗଦେଇଥିଲେ। ଦୀର୍ଘବର୍ଷର ଚାକିରୀ ଜୀବନରେ ସେ ପୁରୁଣାପାଣି ଡୋଲୋମାଇଟ୍‌ ଖଣି, ବରସୁଆଁ ଖଣି, କିରିବୁରୁ ଖଣିରେ ଅବସ୍ଥାପିତ ସମୟରେ ମଧ୍ୟ ଅନ୍ତଃଇସ୍ପାତ ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ ଭାଗନେଉଥିଲେ। ୫୦ ବର୍ଷ ପରେ ଭେଟେରାନ୍‌ ଓ ୨୦୧୯ ମସିହାରେ ମେକାନିକାଲ ବିଭାଗର ମହାପ୍ରବନ୍ଧକଭାବେ ଅବସର ନେବାପରଠାରୁ ମାଷ୍ଟର୍ସ୍‌ ବର୍ଗରେ ପଡ଼ିଆରେ ଦୌଡ଼ୁଛନ୍ତି। ଶ୍ରୀ ଏକ୍କା ୨୦୨୨ ମସିହାରେ ଜାତୀୟ ମାଷ୍ଟର୍ସ୍‌ ପ୍ରତିଯୋଗିତା ଓ ପରେ ଗୁଣ୍ଟୁର୍‌ରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ଭାଗନେଇଥିଲେ ମଧ୍ୟ ପଦକଶୂନ୍ୟ ରହିଥିଲେ। ତେବେ ୨୦୨୪ରେ ଗୋଆରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ଲମ୍ବଡିଆଁ ଓ ଡିସ୍‌କସ୍‌ ଥ୍ରୋ’ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେହିଭଳି ଗତ ଫେବ୍ରୁଆରିରେ ରାଉରକେଲା ବିର୍ସା ମୁଣ୍ଡା ଆଥଲେଟିକ୍‌ ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ଡିସ୍‌କସ୍‌ ଥ୍ରୋ ଓ ସଟ୍‌ପୁଟ୍‌ ଥ୍ରୋରେ ସ୍ବର୍ଣ୍ଣପଦକ ହାସଲ କରିଥିବାବେଳେ ଜାଭେଲିନ୍‌ ଓ ଲମ୍ବଡ଼ିଆଁରେ ରୌପ୍ୟ ପଦକ ଜିତିଥିଲେ। ତିନିଦିନ ପୂର୍ବେ ସିକନ୍ଦରାବାଦ୍‌ରେ ଅନୁଷ୍ଠିତ ୭ମ ବରିଷ୍ଠ ଆଥ୍‌ଲେଟିକ୍‌ ଚାମ୍ପିଅନସିପ୍‌ରେ ୬୫ ବର୍ଷରୁ ଅଧିକ ବର୍ଗରେ ଯୋଗଦେଇ ସଟ୍‌ପୁଟ୍‌ ଓ ଡିସ୍‌କସ୍‌ ଥ୍ରୋ’ରେ ରୌପ୍ୟ ପଦକ ଓ ଜାଭେଲିନ୍‌ ଥ୍ରୋରେ କାଂସ୍ୟ ପଦକ ଜିଣିଛନ୍ତି।

ଆହୁରି ପଢ଼ନ୍ତୁ: Minor Rescued ରାଉରକେଲାରୁ ନିଖୋଜ, ଆଗ୍ରାରୁ ଉଦ୍ଧାର: ୬ ବର୍ଷପରେ ନାବାଳିକାଙ୍କ ପତ୍ତା ମିଳିଲା