ପୁନର୍ବାର ଏଫ୍‌ଆଇଏଚ୍ ସ୍ବାସ୍ଥ୍ୟ ଅଧିକାରୀ ପଦ ପାଇ ବିଭୂକଲ୍ୟାଣ ଉଲ୍ଲସିତ

୨୦୨୩ ବିଶ୍ବକପ୍‌ରେ ୨୦୧୮ ସ୍ତର ବଜାୟ ରଖିବାକୁ ଚେଷ୍ଟା କରିବି

ଭୁବନେଶ୍ବର: ଭୁବନେଶ୍ବର ଓ ରାଉରକେଲାରେ ହେବାକୁ ଥିବା ୨୦୨୩ ପୁରୁଷ ହକି ବିଶ୍ବକପ୍ ଲାଗି ଓଡ଼ିଆ ଡାକ୍ତର ବିଭୂକଲ୍ୟାଣ ନାୟକଙ୍କୁ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍) ସ୍ବାସ୍ଥ୍ୟ ଅଧିକାରୀ ନିଯୁକ୍ତ କରିଛି। ଏହା ପୂର୍ବରୁ ୨୦୧୮ ମସିହା ଭୁବନେଶ୍ବର ପୁରୁଷ ହକି ବିଶ୍ବକପ୍‌ରେ ମଧ୍ୟ ବିଭୂକଲ୍ୟାଣ ସ୍ବାସ୍ଥ୍ୟ ଅଧିକାରୀ ନିଯୁକ୍ତ ହୋଇଥିଲେ। ପ୍ରଥମ ଓଡ଼ିଆ ଭାବେ ଏଭଳି ଏକ ସମ୍ମାନଜନକ ପଦ ପାଇଥିବା ବିଭୂକଲ୍ୟାଣ ଘରୋଇ ପରିବେଶରେ ଲଗାତାର ଦ୍ବିତୀୟ ଥର ପାଇଥିବା ଏହି ଗୁରୁ ଦାୟିତ୍ବ ଲାଗି ବେଶ୍ ଲଲ୍ଲସିତ ଅଛନ୍ତି। ‘‘୨୦୧୮ ମସିହାରେ ସଫଳତାର ଯେଉଁ ସ୍ତର ମୁଁ ଧାର୍ଯ୍ୟ କରିଥିଲି, ତାହା ୨୦୨୩ରେ ମଧ୍ୟ ବଜାୟ ରଖିବାକୁ ଚେଷ୍ଟା କରିବି। ଖେଳାଳିଙ୍କ ସ୍ବାସ୍ଥ୍ୟ ଭଳି ଗୁରୁଦାୟିତ୍ବ ମିଳିଥିବାରୁ ମୋତେ ସବୁବେଳେ ସଜାଗ ରହିବାକୁ ହେବ।

ଏଫ୍‌ଆଇଏଚ୍ ମୋ ଉପରେ ପୁନର୍ବାର ଆସ୍ଥା ପ୍ରକଟ କରିଥିବାରୁ ଖୁସି ଲାଗୁଛି। ସବୁଠାରୁ ବଡ଼ କଥା ହେଲା ଓଡ଼ିଶାର ନାଁ ଅନ୍ତର୍ଜାତୀୟ ସ୍ତରରେ ରଖି ପାରିଥିବାରୁ ବହୁ ଗର୍ବ ଲାଗୁଛି’’ ବୋଲି ‘ସମ୍ବାଦ’କୁ ଦେଇଥିବା ସ୍ବତନ୍ତ୍ର ସାକ୍ଷାତକାରରେ ମିଷ୍ଟଭାଷୀ ବିଭୂ କହିଥିଲେ। ଆଉ ଏକ ବଡ଼ କଥା ହେଲା ଭାରତୀୟ ହକି ଦଳ ପାଇଁ ତିନିଟି ଅଲିମ୍ପିକ୍ସରେ ସ୍ବାସ୍ଥ୍ୟ ଅଧିକାରୀ ଦାୟିତ୍ବ ତୁଲାଇବାର ଅଭିଜ୍ଞତା ରଖିଥିବା ବିଭୂକଲ୍ୟାଣଙ୍କୁ ଭାରତୀୟ ସେନା ତାଙ୍କ ବଳିଷ୍ଠ ଟ୍ରାକ୍ ରେକର୍ଡ ଲାଗି ବ୍ରିଗେଡିୟର ପଦକୁ ପଦୋନ୍ନତି ଦେଇଛି। ଏହି ସୁଖଦ ଖବର ପୂର୍ବରୁ ମିଳିସାରିଥିଲେ ମଧ୍ୟ ଗୁରୁବାରଠାରୁ ଆନୁଷ୍ଠାନିକ ଭାବେ ବ୍ରିଗେଡିୟର ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି ସେ। ସେହିଭଳି ପ୍ରଥମ ଭାରତୀୟ ଭାବେ ଏଫ୍‌ଆଇଏଚ୍ ସ୍ବାସ୍ଥ୍ୟ କମିଟିକୁ ବିଭୂକଲ୍ୟାଣ ଦୁଇଥର ନିର୍ବାଚିତ ହୋଇଛନ୍ତି।

ସ୍ପୋର୍ଟସ ଇଞ୍ଜୁରୀ ସେଣ୍ଟର ଭିଏମସିସି ଆଣ୍ଡ ସଫଦରଜଙ୍ଗ ହସ୍ପିଟାଲ, ନୂଆଦିଲ୍ଲୀର କନସଲଟାଣ୍ଟ ଥିବା‌ ବିଭୂକଲ୍ୟାଣ ଭାରତୀୟ ସେନା ପକ୍ଷରୁ ଗଲୱାନ୍ ଘାଟି, ସିଆଚିନ୍ ଗ୍ଲେସିୟର ଭଳି ବିପଜ୍ଜନକ ଓ ଆହ୍ବାନପୂର୍ଣ୍ଣ ସ୍ଥାନରେ ଦକ୍ଷତାର ସହ କାର୍ଯ୍ୟ କରିସାରିଛନ୍ତି। ଆଗକୁ ସେ ଭାରତ ସରକାରଙ୍କ ଅଧୀନରେ ଆଉ ଏକ ଗୁରୁଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି। ଟୋକିଓ ଅଲିମ୍ପିକ୍ସ ସଫଳତା ପରେ ଭାରତ ସରକାର ଖୁବଶୀଘ୍ର ନ୍ୟାସନାଲ ସେଣ୍ଟର ଫର ସ୍ପୋର୍ଟସ ସାଇନ୍ସ ଆଣ୍ଡ ରିସର୍ଚ ନାମକ ଏକ ସଂସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି।

୨୫୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ଅନ୍ତର୍ଜାତୀୟ ସ୍ତରର ସଂସ୍ଥାରେ ଅନ୍ୟତମ ନିର୍ଦ୍ଦେଶକ ଭାବେ ଯୋଗଦେବାର ଯଥେଷ୍ଟ ସମ୍ଭାବନା ରହିଛି। ଆଉ ମାତ୍ର ୧୬ ମାସ ଭିତରେ ଏହି ସଂସ୍ଥାକୁ କାର୍ଯ୍ୟକ୍ଷମ କରିବାକୁ ଭାରତ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। କେବଳ ବିଶ୍ବକପ୍ ହକି ନୁହେଁ ଭାରତୀୟ କ୍ରୀଡ଼ା ପାଇଁ ମଧ୍ୟ ବିଭୂକଲ୍ୟାଣ ବଳିଷ୍ଠ ଯୋଗଦାନ ରଖନ୍ତି। ଏଲିଟ୍ ଖେଳାଳିମାନଙ୍କ ପ୍ରକୃତ ଆଘାତ ନିରୁପଣ କରି ସେମାନଙ୍କୁ ତଦନୁଯାୟୀ ଚିକିତ୍ସା ଗ୍ରହଣ କରିବାକୁ ପରାମର୍ଶ ଦିଅନ୍ତି। ଏହି ତାଲିକାରେ ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲ, ରୀନା ଖୋଖର, ମନଜିତ କୌରଙ୍କ ଭଳି ଖେଳାଳି ଅଛନ୍ତି। ଭୁବନେଶ୍ବରରେ ଆୟୋଜିତ ଏସୀୟ ଦୌଡ଼କୁଦ ଅବସରରେ ଗୁରୁତର ଆହତ ହୋଇଥିବା ଭାରତୀୟ ପୋଲଭଲ୍ଟ ତାରକା ସବିତା ତାଙ୍କ ମାର୍ଗଦର୍ଶନରେ ହିଁ ଆଜି ପଡ଼ିଆକୁ ପୁନର୍ବାର ଫେରିପାରିଛନ୍ତି। ଓଡ଼ିଶା ସରକାର ଏକ ସ୍ପୋର୍ଟସ ସାଇନ୍ସ ସଂସ୍ଥାନ ଖୋଲୁଥିବାରୁ ବିଭୂକଲ୍ୟାଣ ବେଶ୍ ଖୁସି ଅଛନ୍ତି।

ସୂଚନାଯୋଗ୍ୟ ଯେ ବିଭୂକଲ୍ୟାଣ ହେଉଛନ୍ତି ଗ୍ରିଡକୋର ପୂର୍ବତନ ମୁଖ୍ୟଯନ୍ତ୍ରୀ ସୀତାକାନ୍ତ ନାୟକ ଏବଂ ଓଡ଼ିଶା ଶିକ୍ଷା ସେବାର ନୟନମଞ୍ଜରି ନାୟକଙ୍କ ସୁଯୋଗ୍ୟ ସନ୍ତାନ ଏବଂ ସେଲ୍ ରାଉରକେଲାର ବରିଷ୍ଠ ପ୍ରବନ୍ଧକ ଟିଏନ୍ ପଣ୍ଡା ଓ ପୁଷ୍ପଲତା ପଣ୍ଡାଙ୍କ ଜ୍ବାଇଁ।

ସମ୍ବନ୍ଧିତ ଖବର