କଳିଙ୍ଗରେ ବିଜୟ ଉତ୍ସବ, ଓଡ଼ିଶାର ପଦକ ଦୁଃସ୍ବପ୍ନ ଦୂର

ବର୍ଷାରେ ଭିଜି ନାଚିଲେ, ଗାଇଲେ, ମିଠା ଖାଇଲେ

ଭୁବନେଶ୍ବର: ଭାରତୀୟ ହକି ଦଳର ବହୁ ପ୍ରତୀକ୍ଷିତ ଅଲିମ୍ପିକ୍ସ ପଦକ ବିଜୟ ପରେ ଗୁରୁବାର ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ରେ ବିଜୟ ଉତ୍ସବ ପାଳନ ହୋଇଥିଲା। ଭାରତୀୟ ହକିର ମୁଖ୍ୟ ପୃଷ୍ଠପୋଷକ ଓଡ଼ିଶା ସରକାର ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ତୁରନ୍ତ ଆୟୋଜିତ ଏହି ଉତ୍ସବରେ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସ ଏବଂ ହକି ହାଇପରଫର୍ମାନ୍ସର ଅନ୍ତେବାସୀ ଖେଳାଳିମା‌ନେ ସାମିଲ ହୋଇ ନାଚଗୀତରେ ଝୁମି ଉଠିଥିଲେ। ବର୍ଷା ହେବା ‌ସତ୍ତ୍ବେ ଏହା ସେମାନଙ୍କ ଉତ୍ସାହ ଓ ଉଦ୍ଦୀପନାକୁ ପ୍ରଭାବିତ କରିପାରିନଥିଲା। କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଅତିଥି ଭାବେ ଯୋଗଦେଇ ଏହି ଉତ୍ସବରେ ସାମିଲ ହୋଇଥିଲେ। ଭାରତୀୟ ହକିର ଗୌରବମୟ ମୁହୂର୍ତକୁ ସବୁ ଖେଳାଳିଙ୍କ ସହ ମନ୍ତ୍ରୀ, ପ୍ରଶିକ୍ଷକ ଓ ପ୍ରଶାସକମାନେ ଉପଭୋଗ କରିଥିଲେ। ୪୧ ବର୍ଷ ପରେ ଭାରତର ଅଲିମ୍ପିକ୍ସ ପଦକ ସ୍ବପ୍ନ ସାକାର ହେବା ଦିଗରେ ଓଡ଼ିଶା ସରକାରଙ୍କ ଅବଦାନକୁ କେହି ଭୁଲି ପାରିବେନାହିଁ ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଥିଲେ। ଏହି ବିଜୟ ଯୁବ ଖେଳାଳିମାନଙ୍କ ପାଇଁ ‘ଆମେ ପାରିବା’ର ଆତ୍ମବିଶ୍ବାସ ଦେଇଛି ବୋଲି ମନ୍ତ୍ରୀ କହିଥିଲେ। ଅଭିଭାଷଣ ରଖିବା ପରେ ମନ୍ତ୍ରୀ ଶ୍ରୀ ବେହେରା ଖେଳାଳିମାନଙ୍କୁ ମିଠା ବାଣ୍ଟିଥିଲେ। ନାଭାଲ୍ ଟାଟା ହକି ଏକାଡେମିର ମୁଖ୍ୟ ରାଜୀବ ସେଠ୍‌ ମଧ୍ୟ ଉପସ୍ଥିତ ରହି ଖେଳାଳିମାନଙ୍କୁ ପ୍ରେରିତ କରିଥିଲେ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ‌ ଟୋକିଓରେ ଥିବା ଭାରତୀୟ ଦଳ ଅଧିନାୟକ ମନପ୍ରୀତ୍ ସିଂହ ଏବଂ ପ୍ରଶିକ୍ଷକ ଗ୍ରାହାମ ରିଡ୍‌ଙ୍କ ସହ ଟେଲିଫୋନ୍‌ରେ କଥାବାର୍ତ୍ତା କରିବା ସହ ଅଗଷ୍ଟ ୧୬ ତାରିଖରେ ଭୁବନେଶ୍ବର ଆସିବାକୁ ଦଳକୁ ନିମନ୍ତ୍ରଣ କରିଥିଲେ। ଦୁଇ ଓଡ଼ିଆ ‌ଖେଳାଳି ବୀରେନ୍ଦ୍ର ଲାକ୍ରା, ‌ଅମିତ ରୋହିଦାସଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ କଥା‌ ହୋଇ ଅଭିନନ୍ଦନ ଜଣାଇଥିଲେ। ଦୁଇ ଖେଳାଳିଙ୍କ ସହ ମଧ୍ୟ ଭିଡିଓ କନଫରେନ୍ସିଂରେ କଥା ହୋଇ ‘ତୁମେମାନେ ଖୁସୀ, ମୁଁ ବି ଖୁସୀ’ ବୋଲି ପ୍ରକାଶ କରିଥିଲେ।

ଓଡ଼ିଶାର ପଦକ ଦୁଃସ୍ବପ୍ନ ଦୂର

ଭୁବନେଶ୍ବର: ଅଲିମ୍ପିକ୍ସର ୧୨୫ ବର୍ଷ ଇତିହାସରେ ଓଡ଼ିଶା ପାଇଁ ପଦକ ଦୂରର କଥା ଅଂଶଗ୍ରହଣ ଲାଗି ଯୋଗ୍ୟତା ଅର୍ଜନ କରିବା ଦୁର୍ଲଭ ବ୍ୟାପାର ଥିଲା। ୧୯୯୬ ଆଟଲାଣ୍ଟା ଅଲିମ୍ପିକ୍ସରେ ଦିଲ୍ଲୀପ ତିର୍କି ପ୍ରଥମ ଥର ଅଂଶଗ୍ରହଣ କରିବା ପରେ ଅଦ୍ୟାବଧି ସର୍ବାଧିକ ୧୦ ଜଣ ହକି ଖେଳାଳି ଓଡ଼ିଶାର ପ୍ରତିନିଧିତ୍ବ କରିଛନ୍ତି। ଦିଲ୍ଲୀପଙ୍କ ପରେ ଲାଜରୁସ୍ ବାର୍ଲା, ଇଗ୍ନେସ ତିର୍କି, ୱିଲିୟମ୍‌ ଖାଲକୋ, ବୀରେନ୍ଦ୍ର ଲାକ୍ରା, ନମିତା ଟପ୍ପୋ, ସୁନିତା ଲାକ୍ରା, ଦୀପ୍ ଗ୍ରେସ୍‌ ଏକ୍କା, ଲିଲିମା ମିଞ୍ଜ୍, ଅମିତ ରୋହିଦାସ ଏହି ଗୌରବରେ ସାମିଲ‌ ଅଲିମ୍ପିଆନ୍‌ ହୋଇପାରିଥିଲେ। ସେହିଭଳି ଦୌଡ଼କୁଦରୁ ରଚିତା ମିସ୍ତ୍ରୀ, ଅନୁରାଧା ବିଶ୍ବାଳ, ଦୂତି ଚାନ୍ଦ, ଶ୍ରାବଣୀ ନନ୍ଦ ଏବଂ ଭାରୋତ୍ତୋଳନରୁ କେ ରବି କୁମାର ମଧ୍ୟ ଅଲିମ୍ପିକ୍ସ ପ୍ରତିନିଧିତ୍ବ କରିଛନ୍ତି। ତେବେ ଓଡ଼ିଆଙ୍କ ଅଲିମ୍ପିକ୍ ପଦାର୍ପଣର ୨୫ ବର୍ଷ ପରେ ଓଡ଼ିଶାକୁ ପଦକ ଆସିବାକୁ ଯାଉଛି। ଏହି ଗୌରବର ଅଧିକାରୀ ହୋଇଛନ୍ତି ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ। ବୀରେନ୍ଦ୍ର ଦ୍ବିତୀୟ ଥର ଅଂଶଗ୍ରହଣ କରି ପଦକ ବିଜେତା ହୋଇଛନ୍ତି। ଅମିତ କିନ୍ତୁ ତାଙ୍କ ପଦାର୍ପଣ ଅଲିମ୍ପିକ୍ସରେ ପଦକ ଜିତି ଓଡ଼ିଶା କ୍ରୀଡ଼ାରେ ନୂଆ ଫର୍ଦ ଯୋଡ଼ି ଦେଇଛନ୍ତି।

ସମ୍ବନ୍ଧିତ ଖବର