ମେଲବର୍ନରେ ମହାବିଜୟ: ରାହାଣେଙ୍କୁ ଜନି ମୁଲାଗ ମେଡାଲ

ସିରାଜ ଓ ଶୁବମନଙ୍କ ପାଇଁ ଗର୍ବିତ: ରାହାଣେ

ମେଲବର୍ନ: ଆଉ ମାତ୍ର କିଛି ଘଣ୍ଟା ପରେ କରୋନା କବଳିତ ୨୦୨୦ ବିଦାୟ ନେବ। ନୂତନ ଆଶା ଓ ନୂଆ ଉନ୍ମାଦନା ସହ ନୂଆବର୍ଷକୁ ସ୍ବାଗତ କରିବାକୁ ଲକ୍ଷ୍ୟ ରଖିଥିବା ଭାରତୀୟ କ୍ରିକେଟପ୍ରେମୀଙ୍କୁ ମଙ୍ଗଳବାର ମେଲବର୍ନରୁ ମିଳିଛି ନିଆରା ଭେଟି। ଭାରତୀୟ କ୍ରିକେଟ୍ ଦଳ ଦେଇଛି ଏହି ମୂଲ୍ୟବାନ ଉପହାର। ଆଡିଲେଡ୍ ବିପର୍ଯ୍ୟୟ ପରେ ମେଲ୍‌ବର୍ନରେ ନାଟକୀୟ ତଥା ଆତ୍ମବିଶ୍ବାସଭରା ବିଜୟ ହାସଲ କରି ଅଷ୍ଟ୍ରେଲିଆଠାରୁ ବି ପ୍ରତିଶୋ‌ଧ ନେଇଛି ଟିମ୍ ଇଣ୍ଡିଆ। ଏହି ସ୍ମରଣୀୟ ଓ ସ୍ବତନ୍ତ୍ର ବିଜୟକୁ ନେଇ ପ୍ରଶଂସକଙ୍କଠାରୁ ଆରମ୍ଭ କରି ପୂର୍ବତନ କ୍ରିକେଟରଙ୍କ ପର୍ଯ୍ୟନ୍ତ ସମସ୍ତେ ଉଲ୍ଲସିତ। ଟିମ୍ ଇଣ୍ଡିଆ ମଧ୍ୟ ବିଜୟରେ ନିଜ ଘଟଣାବହୁଳ, କଠିନ ତଥା କଟକଣାଭରା ୨୦୨୦ ଅଭିଯାନକୁ ଶେଷ କରିଛି।

ଅନ୍ୟତମ ଐତିହାସିକ ପ୍ରତ୍ୟାବର୍ତ୍ତନ: ଶାସ୍ତ୍ରୀ
ମେଲ୍‌ବର୍ନର ଆଧିପତ୍ୟଭରା ବିଜୟକୁ ଭାରତୀୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ କ୍ରିକେଟ୍ ଇତିହାସର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ପ୍ରତ୍ୟାବର୍ତ୍ତନର ଆଖ୍ୟା ଦେଇଛନ୍ତି। ଅଧିନାୟକ ଅଜିଙ୍କ୍ୟ ରା‌ହାଣେଙ୍କ ପାଳିକୁ ମ୍ୟାଚ୍‌ର ଟର୍ନିଂ ପଏଣ୍ଟ୍‌ ଭାବେ ବର୍ଣ୍ଣନା କରିଛନ୍ତି ସେ। ସେହିଭଳି ଆଡିଲେଡ୍‌ ବିପର୍ଯ୍ୟୟ ପରେ ମେଲବର୍ନ ଟେଷ୍ଟ୍ ଲାଗି ଦଳ କିଭଳି ଓ କେମିତି ଯୋଜନା କରିଥିଲା ସେ ବିଷୟରେ ସୂଚନା ଦେଇଛନ୍ତି ଶାସ୍ତ୍ରୀ। ‘‘ଆମେ କିଛି ଏଣୁତେଣୁ ଗପି ନଥିଲୁ। ପରସ୍ପରକୁ କହିଥିଲୁ କେବଳ ଛିଡ଼ା ହୋଇ ଲଢ଼େଇ କରିବା। ସହଜରେ କାହାକୁ ଛାଡ଼ିବା ନାହିଁ। ଏହି ବିଜୟ ଆମ କୋଟି କୋଟି ପ୍ରଶଂସକଙ୍କ ପାଇଁ ନୂଆବର୍ଷ ଭେଟି। ଚାପରେ ଥାଇ ମଧ୍ୟ ରାହାଣେଙ୍କ ନେତୃତ୍ବରେ ଆମ ପିଲାମାନେ ଲଢ଼ୁଆ ଖେଳ ଖେଳିଲେ। ଆମର ଏହି ପ୍ରତ୍ୟାବର୍ତ୍ତନ କ୍ରିକେଟ୍ ଇତିହାସର ଅନ୍ୟତମ ସ୍ବର୍ଣ୍ଣିମ ଅଧ୍ୟାୟ ହୋଇରହିବ। ୩୬ ରନ୍‌ରେ ଅଲଆଉଟ୍ ହେବାଠାରୁ ଚାରି ଦିନ ଭିତରେ ମ୍ୟାଚ୍ ଜିତିବାର ଅନୁଭବ ଓ ଅଭିଜ୍ଞତା ବେଶ୍ ନିଆରା। ଦୁଇ ପଦାର୍ପଣକାରୀ ଶୁବମନ ଗିଲ୍‌ ଓ ମହମ୍ମଦ ସିରାଜଙ୍କ ଉଦ୍ୟମ ପ୍ରଶଂସନୀୟ। ସେମାନେ ପଡ଼ିଆ ଭିତରେ ଯେଉଁ ପରିପକ୍ବତା ଦେଖାଇଲେ, ତାହା ଅତି ଚମତ୍କାର’’ ବୋଲି ଶାସ୍ତ୍ରୀ ମ୍ୟାଚ୍ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ କହିଥିଲେ।

ତେନ୍ଦୁଲକର, କୋହଲିଙ୍କ ଶୁଭେଚ୍ଛା‌
ନୂଆଦିଲ୍ଲୀ: ଆଡିଲେଡ୍‌ର ଲଜ୍ଜାଜନକ ପରାଜୟ ପରେ ମେଲ୍‌ବର୍ନରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ମଙ୍ଗଳବାର ବିଜୟ ପାଇଥିବା ଭାରତୀୟ ଦଳକୁ ଶୁଭେଚ୍ଛାର ସୁଅ ଛୁଟିବାକୁ ଲାଗିଛି। ଜାତୀୟ ଦଳର ଏହି ଐତିହାସିକ ବିଜୟରେ କିଂବଦନ୍ତି ସଚିନ ତେନ୍ଦୁଲକର, ଛୁଟିରେ ଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ନିଜ ନିଜ ଟ୍ବିଟର୍‌ ପୃଷ୍ଠାରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି।

।ବିରାଟ, ‌ରୋହିତ, ଈଶାନ୍ତ ଓ ସାମିଙ୍କ ବିନା ଗୋଟିଏ ଟେଷ୍ଟ୍‌ ମ୍ୟାଚ୍‌ ଜିତିବା ବଡ଼ ସଫଳତା। ପ୍ରଥମ ଟେଷ୍ଟ୍‌ ହାରିବା ପରେ ଏହି ମ୍ୟାଚ୍‌ରେ ଖେଳାଳିମାନେ ନିଜ ନିଜ ଦାୟିତ୍ବ ତୁଲାଇ ଶୃଙ୍ଖଳାକୁ ୧-୧ ସମାନ ସ୍ତରକୁ ଆଣିଛନ୍ତି। ସୁନ୍ଦର ବିଜୟ। ଭଲ କଲ ଟିମ୍‌ ଇଣ୍ଡିଆ: ସଚିନ ତେନ୍ଦୁଲକର
।କ’ଣ ଥିଲା ଏହି ବିଜୟ, ପ୍ରକୃତରେ ପୂରା ଦଳର ପ୍ରୟାସ ଚମତ୍କାର ଥିଲା। ବିଜୟରେ ସ୍ବତନ୍ତ୍ର ଭୂମିକା ନେଇଥିବା ଖେଳାଳି ଏତିକିରେ ଖୁସି ହେବାର ନାହିଁ। ଆଗକୁ ଆହୁରି ଅନେକ ବାଟ ରହିଛି: ବିରାଟ କୋହଲି
।ଏମ୍‌ସିଜିରେ ଭରତୀୟ ଦଳର ଚମତ୍କାର ବିଜୟ। ମ୍ୟାଚ୍‌ ସାରା ଦଳର ପ୍ରଦର୍ଶନ ଦେଖିବାର ଥିଲା: ରୋହିତ ଶର୍ମା
।୩୬ ରନ୍‌ର ବିପର୍ଯ୍ୟୟ ଭୟଙ୍କର ଅନୁଭବ ଥିଲା। କିନ୍ତୁ ୮ ୱିକେଟ୍‌ ବିଜୟ ନୁହେଁ… ମୋର ବିଶ୍ବାସ ଭାରତ ଉଭୟକୁ ଭୁଲିପାରିବ…ଗୋଟିଏ ଦୁଃସ୍ବପ୍ନ ଏବଂ ଅନ୍ୟଟି ବାଦଲରେ ଭାସିବା ଭଳି.. ଏବେ ଦୁଇଟି ‌ଟେଷ୍ଟ୍‌ ବାକି ଅଛି। ଏଥିପାଇଁ ପ୍ରସ୍ତୁତ ‌ହୁଅ ଏବଂ ଅଧିନାୟକଙ୍କୁ ସହଯୋଗ କର: ବିଶେନ ସିଂହ ବେଦୀ
।ଏତେ ପ୍ରତିଘାତ ‌ସତ୍ତ୍ବେ ଏମ୍‌ସିଜିରେ ଭାରତୀୟ ଦଳ ଦୃଢ଼ ପ୍ରଦର୍ଶନ ଦେଇଛି। ସହଯୋଗ ପାଇଁ ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ: ଶୁବମନ ଗିଲ୍‌
।ଏହି ବିଜୟରେ ‌ଅନେକ ସକାରାତ୍ମକ ଦିଗ ରହିଛି। ରାହାଣେ ଭଲ ନେତୃତ୍ବ ନେଲେ। ବୋଲରମା‌ନେ ନିର୍ମମ ଥିଲେ କିନ୍ତୁ ସବୁଠୁ ବଡ଼ ସକାରାତ୍ମକ ଦିଗ ହେଉଛି ଦୁଇ ପଦାର୍ପଣକାରୀଙ୍କ ପ୍ରଦର୍ଶନ। ଉଭୟଙ୍କ ଆତ୍ମବିଶ୍ବାସ ଦୃଢ଼ ଥିଲା। ଭାରତୀୟ ଦଳର ବେଞ୍ଚ୍‌ ଷ୍ଟ୍ରେନ୍ଥ ଭଲ ବୋଲି ପ୍ରମାଣିତ ହେଲା: ଭିଭିଏସ୍‌ ଲକ୍ଷ୍ମଣ
।ଭାରତୀୟ ଦଳର ଚିତ୍ତାକର୍ଷକ ବିଜୟ: ଗୌତମ ଗମ୍ଭୀର
।ପ୍ରତ୍ୟାବର୍ତ୍ତନ କରିବା ସବୁଠୁ କଷ୍ଟକର। କିନ୍ତୁ ଟିମ୍‌ ଇଣ୍ଡିଆ ଚମତ୍କାର ଢଙ୍ଗରେ ଏପରି କଲା: ଇର୍ଫାନ ପଠାନ୍‌
।୪୨ର ସର୍ବନିମ୍ନ ସ୍କୋର୍‌ ପରେ ଭାରତ ପରବର୍ତ୍ତୀ ମ୍ୟାଚ୍‌ରେ ଗୋଟେ ପାଳି ୭୮ ରନ୍‌ରେ ହାରିଥିଲା। ଏବେ ୩୬ ରନ୍‌ ପରେ ଭାରତ ବିଜୟୀ ହୋଇଥିଲା। ଏହା‌ ଐତିହାସିକ ବିଜୟ। କାରଣ ଐତିହାସିକ ପରାଜୟ ପରେ ଏହା ଆସିଛି: ସଞ୍ଜୟ ମଞ୍ଜରେକର
।ଚମତ୍କାର ପ୍ରତ୍ୟାବର୍ତ୍ତନ ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା। ଅଜିଙ୍କ୍ୟ ରାହାଣେଙ୍କ ଶ୍ରେଷ୍ଠ ଅଧିନାୟକତ୍ବରେ ଅବିଶ୍ବସନୀୟ ବିଜୟ… ଶୁବମନ ଗିଲ୍‌ ବଢ଼ିଆ ଖେଳିଲ: ସୁରେଶ ରାଇନା

ସମ୍ବନ୍ଧିତ ଖବର