ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଆଇନଗତ ଲଢ଼େଇରେ ବିଜୟ ପରେ ୩୯ ମହିଳା ସେନା ଅଧିକାରୀଙ୍କୁ ସ୍ଥାୟୀ କମିସନ୍ ମିଳିଛି। ୭୧ ମହିଳା ଏସଏସସି (ସର୍ଟ ସର୍ଭିସ୍ କମିସନ୍) ଅଫିସର୍ ସ୍ଥାୟୀ କମିସନ୍ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କୋର୍ଟ ଏହି ମାମଲାର ଶୁଣାଣି କରି ମହିଳା ସେନା ଅଧିକାରୀଙ୍କୁ ସ୍ଥାୟୀ କମିସନ୍ ଦେବାପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟରେ ତଥ୍ୟ ରଖି କହିଛନ୍ତି ଯେ, ୭୧ ଅଧିକାରୀଙ୍କ ମଧ୍ୟରୁ ୩୯ ଜଣ ସ୍ଥାୟୀ କମିସନ୍ ପାଇଁ ଯୋଗ୍ୟ ବିବେଚିତ। ତେବେ ୭ ଜଣ ସ୍ବାସ୍ଥ୍ୟଗତ କାରଣରୁ ସ୍ଥାୟୀ କମିସନ୍ ପାଇଁ ଯୋଗ୍ୟ ହୋଇପାରିନାହାନ୍ତି। ଅନ୍ୟପକ୍ଷେ ୨୫ ଜଣ ଶୃଙ୍ଖଳାଗତ କାରଣ ଯୋଗୁଁ କଟି ଯାଇଛନ୍ତି। ଜଣେ ଅଧିକାରୀ ଚାକିରିରୁ ଅବସର ନେବାପାଇଁ ନିଷ୍ପତ୍ତି ନେଇଥିବା ସରକାର କୋର୍ଟଙ୍କୁ ଅବଗତ କରିଛନ୍ତି।
ତେବେ ୨୫ ଜଣ ମହିଳା ଅଧିକାରୀ କାହିଁକି ସ୍ଥାୟୀ କମିସନ୍ ପାଇଁ ଯୋଗ୍ୟ ବିବେଚିତ ହୋଇନାହାନ୍ତି ସେନେଇ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବାପାଇଁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ୧ ତାରିଖରେ କୋର୍ଟ ସରକାରଙ୍କୁ କହିଥିଲେ ଯେ, ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କୌଣସି ଜଣେ ହେଲେ ଅଧିକାରୀଙ୍କୁ ଦାୟିତ୍ବରୁ ହଟାଇବେ ନାହିଁ। ସ୍ଥାୟୀ କମିସନ୍ ହେଉଛି ଅବସର ପର୍ଯ୍ୟନ୍ତ ସେନାରେ କ୍ୟାରିୟର। ଅନ୍ୟପକ୍ଷେ ଏସ୍ଏସ୍ସି (ସର୍ଟ ସର୍ଭିସ କମିସନ୍) ହେଉଛି ୧୦ ବର୍ଷ ପାଇଁ ସେନାରେ କ୍ୟାରିୟର।